ମହାକାଶ ଓ ଭାରତ

0

ଭାରତ ଇତିମଧ୍ୟରେ ଦେଶର ସବୁଠୁ ଓଜନିଆ ଯୋଗାଯୋଗ ଉପଗ୍ରହ ଜିସାଟ୍‌-୧୧କୁ ସଫଳତାର ସହ ମହାକାଶକୁ ପ୍ରେରଣ କରିଛି। ଏହାର ଓଜନ ପ୍ରାୟ ୬ଟନ୍‌। ଦେଶର ଅଗମ୍ୟ ତଥା ଦୂରଦୂରାନ୍ତ ଅଞ୍ଚଳକୁ ହାଇସ୍ପିଡ୍‌ ଡାଟା ପ୍ରେରଣ କରିବାକୁ ଏହା ସକ୍ଷମ। ଅତ୍ୟାଧୁନିକ ଟେକ୍‌ନୋଲୋଜିର ସୁଫଳ ସାଧାରଣ ଜନତା ପାଇବା ଉଚିତ ବୋଲି ଭାରତୀୟ ମହାକାଶ ଗବେଷଣା କାର୍ଯ୍ୟକ୍ରମ ତଥା ଇସ୍ରୋର ଜନକ ଡକ୍ଟର ବିକ୍ରମ ସାରାଭାଇ ଯେଉଁ ସ୍ବପ୍ନ ଦେଖିଥିଲେ ଜିସାଟ୍‌-୧୧ ତାହାକୁ ପୂରଣ କରିଛି। ବିଶ୍ବର ବିକାଶଶୀଳ ରାଷ୍ଟ୍ରମାନଙ୍କ ତୁଳନାରେ ଭାରତର ମହାକାଶ କାର୍ଯ୍ୟକ୍ରମ ପ୍ରାୟ ୨୦ବର୍ଷ ପଛୁଆ ଥିଲା। ଏହା ସତ୍ତ୍ବେ ଭାରତ ଏ କ୍ଷେତ୍ରରେ ନିରନ୍ତର ତାହାର ଉଦ୍ୟମ ଜାରି ରଖି ବିଶ୍ବର ​‌େ​‌ଶ୍ରଷ୍ଠ ଛ’ଟି ମହାକାଶ ଶକ୍ତି ମଧ୍ୟରେ ସ୍ଥାନ ହାସଲ କରିଛି। ଆମେରିକା, ରୁଷିଆ, ୟୁରୋପୀୟ ସଂଘ, ଚୀନ ଓ ଜାପାନ ପରେ ଭାରତ ନିଜସ୍ବ ଜ୍ଞାନକୌଶଳ ଓ କାରିଗରୀ ବିଦ୍ୟାର ଉପଯୋଗ କରି ମହାକାଶକୁ ଉପଗ୍ରହ ପ୍ରେରଣ କରିବାରେ ସକ୍ଷମ। ଏବେ ଭାରତର ମହାକାଶ କାର୍ଯ୍ୟକ୍ରମ କେବଳ ଉପଗ୍ରହ ପ୍ରେରଣ ଓ ଦୂରସଂବେଦୀ ଯୋଗାଯୋଗ ପ୍ରତିଷ୍ଠାରେ ସୀମିତ ରହିନାହିଁ; ଏହା ଚନ୍ଦ୍ର ଓ ମଙ୍ଗଳକୁ ସଂପ୍ରସାରିତ ହୋଇଛି। ପିଏସ୍‌ଏଲ୍‌ଭି, ଜିଏସ୍‌ଏଲ୍‌ଭି ଭଳି ଉପଗ୍ରହବାହୀ ଯାନର ସଫଳତା ଓ ରେକର୍ଡ ବେଶ୍‌ ଭଲ ଏବଂ ଏହା ଅପେକ୍ଷାକୃତ ସ୍ବଳ୍ପ ବ୍ୟୟରେ ଉପଗ୍ରହ ପ୍ରେରଣ କରିପାରୁଛି। ଏହାଫଳରେ ବିଭିନ୍ନ ବିକଶିତ ରାଷ୍ଟ୍ର ଉପଗ୍ରହ ପ୍ରେରଣ ପାଇଁ ଭାରତର ସହାୟତା ନେଉଛନ୍ତି। ଉପଗ୍ରହ ପ୍ରେରଣରେ ତ୍ରୁଟିଶୂନ୍ୟତା ଓ ସଫଳତା ପାଇଁ ଭାରତ ବିଶ୍ବରେ ବିଶ୍ବସନୀୟ ହୋଇଛି ଓ ଏହା ମାନବସମାଜର ବିକାଶରେ ନିଜକୁ ନିୟୋଜିତ କରିଛି। ଟିଭି ସିଗ୍‌ନାଲର ଡିଟିଏଚ୍‌ ସେବା ପ୍ରଦାନ, ବ୍ୟାଙ୍କ ଓ ବିଭିନ୍ନ ବିତ୍ତୀୟ ଅନୁଷ୍ଠାନ ମଧ୍ୟରେ ସଂଯୋଗ ସ୍ଥାପନ, ଟେଲିମେଡିସିନ, ଟେଲିଶିକ୍ଷା, ଦୁର୍ବିପାକ ସମ୍ପର୍କରେ ଆଗୁଆ ସୂଚନା ପ୍ରଦାନ ଆଦି ଭାରତୀୟ ମହାକାଶ କାର୍ଯ୍ୟକ୍ରମର କେତେକ ଉଲ୍ଲେଖନୀୟ ସଫଳତା।
ମାନବବାହୀ ମହାକାଶ ଯାନ ପ୍ରେରଣ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା ହେଲା ଉପଯୁକ୍ତ କ୍ରିଉ ମଡ୍ୟୁଲ ବା ମାନବବାହୀ ଯାନ ନିର୍ମାଣ କରିବା। ଜରୁରୀ ପରିସ୍ଥିତିରେ ଯାନରୁ ମହାକାଶଚାରୀ ଉଦ୍ଧାର ବ୍ୟବସ୍ଥା ବା କ୍ରିଉ ଏସ୍‌କେପ୍‌ ସିଷ୍ଟମର ବିକାଶ ଓ ଉତ୍‌କ୍ଷେପଣ ଯାନର ବିଶ୍ବସନୀୟତା ତଥା ନିରାପତ୍ତା ଏ କ୍ଷେତ୍ରରେ ପ୍ରଥମ ଆବଶ୍ୟକତା। ମହାକାଶରେ ଏହି ମାନବବାହୀ କ୍ୟାପ୍‌ସୁଲ ବା ପେଟିକା ଅବସ୍ଥାନ କରିବାବେଳେ ପ୍ରାୟତଃ ଜିରୋ-ଗ୍ରାଭିଟି ବା ଶୂନ୍ୟ ମାଧ୍ୟାକର୍ଷଣ ସ୍ଥିତିରେ ଥାଏ। ଏହାଛଡ଼ା ଏହି କ୍ୟାପ୍‌ସୁଲ ଭିତରେ କଠୋର ଶୂନ୍ୟତା ବା ହାର୍ଡ ଭାକମ୍‌ ସୃଷ୍ଟି ହେବା ସହ ଉଚ୍ଚ ବିକିରଣ ଅନୁଭୂତ ହୁଏ। ଅତଏବ ମହାକାଶ କ୍ୟାପ୍‌ସୁଲ ଭିତରେ ବାସୋପଯୋଗୀ ସ୍ଥିତି ସୃଷ୍ଟି କରିବା ସହ ଆବଶ୍ୟକ ଅମ୍ଳଜାନ, ଜଳ ଓ ଖାଦ୍ୟ ତଥା ବର୍ଜ୍ୟବସ୍ତୁ ନିଷ୍କାସନ ବ୍ୟବସ୍ଥା କରିବା ପ୍ରଥମ ଆବଶ୍ୟକତା। ନୂଆ ଜ୍ଞାନକୌଶଳ ଉପଯୋଗ କରିବା ସହ ମହାକାଶରେ ନିର୍ଦିଷ୍ଟ ଦିନ ପାଇଁ ତା’ ଭିତରେ ମଣିଷକୁ ନିରାପଦରେ ରଖିବାର ସମସ୍ତ ପ୍ରକାର ବନ୍ଦୋବସ୍ତ କରିବାକୁ ହେବ। ଏହି ପରିପ୍ରେକ୍ଷୀରେ ମହାକାଶଚାରୀଙ୍କୁ ତାଲିମ ଦେବା ସହଜ କାମ ନୁହେଁ। ଏ ନିମନ୍ତେ ମହାକାଶଚାରୀଙ୍କ ମନସ୍ତତ୍ତ୍ବରେ ପରିବର୍ତ୍ତନ ଆଣିବା ବିଶେଷ ଗୁରୁତ୍ବପୂର୍ଣ୍ଣ। ସେଥିପାଇଁ କିଛି ସ୍ବତନ୍ତ୍ର ଧରଣର ଔଷଧର ଆବଶ୍ୟକତା ରହିଛି ଯାହା ସ୍ପେସ୍‌ ମେଡିସିନ୍‌ର ବିଷୟବସ୍ତୁ। ଏହି ଭେଷଜ ବିଦ୍ୟାର ବିକାଶ ମଧ୍ୟ ଜରୁରୀ। ଏସବୁ ସୁବିଧା ଭାରତରେ ନାହିଁ। ତାହାକୁ ମଧ୍ୟ ବିକାଶିତ କରିବାକୁ ପଡ଼ିବ।
ବିଶ୍ବସ୍ତରରେ ପିଏସ୍‌ଏଲ୍‌ଭି ଓ ଜିଏସ୍‌ଏଲ୍‌ଭି ଏକ ବିଶ୍ବସ୍ତରୀୟ ଉପଗ୍ରହବାହୀ ଯାନ ଭାବେ ପ୍ରତିଷ୍ଠା ଲାଭ କରିଛି। ସେଥିପାଇଁ ଆମେରିକା, ୟୁରୋପ ଓ କାନାଡ଼ା ଭଳି ବିଭିନ୍ନ ଦେଶ ନିଜନିଜର ଉପଗ୍ରହ ପ୍ରେରଣ ପାଇଁ ଇସ୍ରୋ ଉପରେ ନିର୍ଭର କରୁଛନ୍ତି। ଭାରତ ବାହ୍ୟ ଉପଗ୍ରହ ପ୍ରେରଣରେ ପ୍ରାୟ ୯୫ ଶତାଂଶ ସଫଳତା ହାସଲ କରିଛି। ତେବେ ମାନବବାହୀ ମହାକାଶ ଯାନ ପ୍ରେରଣରେ ଭାରତର ଅଭିଜ୍ଞତା ନାହିଁ। ଜିଏସ୍‌ଏଲ୍‌ଭି ଏମ୍‌କେ ଉତ୍‌କ୍ଷେପଣ ଯାନ ଏବେ ଇସ୍ରୋ ଦ୍ବାରା ବିକଶିତ ହୋଇଛି। ଏହି ଉତ୍‌କ୍ଷେପଣ ଯାନ ବା ରକେଟ୍‌ ପ୍ରାୟ ୧୦ଟନ୍‌ ଓଜନର ମାନବବାହୀ କ୍ୟାପସୁଲ୍‌ ମହାକାଶକୁ ପ୍ରେରଣ କରିବାକୁ ସକ୍ଷମ। ତେବେ ଏହା ପୃଥିବୀର ନିମ୍ନକକ୍ଷ ପଥଠୁ ଉପରକୁ ଯାଇପାରିବ ନାହିଁ। ଏହି ରକେଟର ବିକାଶ ଉପରେ ଇସ୍ରୋ କାମ କରୁଛି। ଏହାର ସଫଳତା ଉପରେ ଭାରତର ମାନବବାହୀ ମହାକାଶ ଯାନର ଭବିଷ୍ୟତ ନିର୍ଭର କରେ।
ଅତଏବ ଏକ ବିଶ୍ୱସନୀୟ ଉତ୍‍କ୍ଷେପଣ ବ୍ୟବସ୍ଥା ତିଆରି କରିବା ସହଜ ମନେହୁଏ ନାହିଁ। ଏହା ସତ୍ତ୍ବେ ଭାରତ ଏକ ବିଶ୍ୱସନୀୟ ଉତ୍‍କ୍ଷେପଣ ବ୍ୟବସ୍ଥା ତିଆରି କଲେ ମଧ୍ୟ ସମ୍ଭାବ୍ୟ ବିଫଳତା କ୍ଷେତ୍ରରେ ମହାକାଶଚାରୀମାନଙ୍କୁ ଭୂପୃଷ୍ଠକୁ ଫେରାଇ ଆଣିବାର ସାମର୍ଥ୍ୟ ଓ ଜ୍ଞାନକୌଶଳ ଭାରତ ଏଯାଏ ତିଆରି କରିପାରିନାହିଁ। ଏବେ ଇସ୍ରୋ ଏକ ମହାକାଶ ଯାତ୍ରୀ ଉଦ୍ଧାର (କ୍ରିଉ ରିକଭରୀ) ବ୍ୟବସ୍ଥା ବିକଶିତ କରିଛି। ଏହି ବ୍ୟବସ୍ଥାରେ ଉତ୍‍କ୍ଷେପଣ ବିଫଳ ହେଲେ ଯାନରୁ ମହାକାଶଯାତ୍ରୀ ନିରାପଦରେ ସ୍ୱତଃ ନିକ୍ଷେପିତ ବ୍ୟବସ୍ଥାରେ ବାହାରି ଆସି ରକ୍ଷା ପାଇପାରିବେ। ସ୍ପେସ୍‍ ସୁଟ୍‍, କ୍ରିଉ ମଡ୍ୟୁଲ, ଅବତରଣ ଓ ରିକଭରୀ ବ୍ୟବସ୍ଥାର ସମଗ୍ର ଡିଜାଇନକୁ ବିକଶିତ ଟେକ୍‍ନୋଲୋଜି ସହାୟତାରେ କରିବାକୁ ପଡ଼ିବ। ଏଥିପାଇଁ ବୈଜ୍ଞାନିକ, ବୈଷୟିକବିତ୍‍, ସହାୟତାକାରୀ କର୍ମଚାରୀ ସମସ୍ତଙ୍କ ସହଯୋଗ ଲୋଡ଼ା।
ମହାକାଶ ପରିବହନ ବ୍ୟବସ୍ଥାର ବିକାଶ ସହ ପୃଥିବୀର କକ୍ଷପଥରେ ମଣିଷଙ୍କୁ କିଛି କାଳ ବିତାଇବାର ସୁଯୋଗ ଦେବା ଓ ସେମାନଙ୍କୁ ଭୂପୃଷ୍ଠକୁ ଫେରାଇ ଆଣିବା ଅନ୍ତରୀକ୍ଷ ଗବେଷଣା ଓ ଉନ୍ନୟନ କ୍ଷେତ୍ରରେ ଆଉ କେତେକ ପଦକ୍ଷେପ। ସେଥିପାଇଁ ଭାରତକୁ ପ୍ରସ୍ତୁତି ଆରମ୍ଭ କରିବାକୁ ପଡ଼ିବ। ଏହି ବ୍ୟବସ୍ଥା ପୂର୍ଣ୍ଣାଙ୍ଗ ହେଲେ ପୃଥିବୀ ଗ୍ରହର ସବିଶେଷ ପର୍ଯ୍ୟବେକ୍ଷଣ, ବିଜ୍ଞାନଭିତ୍ତିକ ନିରୀକ୍ଷଣ, ତାରା, ନକ୍ଷତ୍ର ଓ ଗ୍ରହାଣୁପୁଞ୍ଜର ଅନୁଧ୍ୟାନ ପାଇଁ ସୁଯୋଗ ସୃଷ୍ଟି ହେବ। ଏହା ମଧ୍ୟ ମଧ୍ୟାକର୍ଷଣ ଶୂନ୍ୟ ସ୍ଥିତିରେ ରାସାୟନିକ ଓ ଜୈବିକ ପରୀକ୍ଷା ନିରୀକ୍ଷା ସହ ନୂଆ ମଲିକ୍ୟୁଲ୍‍ ସୃଷ୍ଟି କରିବାରେ ସହାୟକ ହେବ। ମଙ୍ଗଳ ଓ ଚନ୍ଦ୍ରକୁ ମଣିଷ ପଠାଇବାର ସ୍ୱପ୍ନ ଏବେ ବୈଜ୍ଞାନିକଙ୍କୁ ଘାରିଛି। ଏହା ପଛରେ ରହିଛି ପୃଥିବୀର ପଡ଼ୋଶୀ ଗ୍ରହ ଉପଗ୍ରହରେ ଥିବା ପ୍ରାକୃତିକ ସମ୍ବଳର ଉପଯୋଗ କରିବା ସହିତ ସେଠାରେ ବସତି ସ୍ଥାପନ କରିବା ଲକ୍ଷ୍ୟ। ଏଥିପାଇଁ ଅତ୍ୟାଧୁନିକ ବୈଜ୍ଞାନିକ ପଦ୍ଧତି ଓ ଜ୍ଞାନକୌଶଳ କେବଳ ଲୋଡ଼ା ନୁହେଁ, ପ୍ରଚୁର ଅର୍ଥର ମଧ୍ୟ ଆବଶ୍ୟକତା ରହିଛି। ଏ କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗ, ବିକଶିତ ବୈଷୟିକ ଜ୍ଞାନ କୌଶଳ ଓ ପାଣ୍ଠିକୁ ଏକଜୁଟ କରି ଉଦ୍ୟମ କରିବାକୁ ପଡ଼ିବ। ତେବେ ଯାଇ ଏହି ମହଦାକାଙକ୍ଷୀ ଲକ୍ଷ୍ୟ ସାଧିତ ହେବ।