କ୍ରୋଧର ପରିଣତି

0

ଋଷି ପ୍ରଚେତା ଥିଲେ ଜଣେ ଉଚ୍ଚକୋଟୀର ସାଧକ ଏବଂ ତପସ୍ବୀ। ଜ୍ଞାନ ତପସ୍ବୀ ଭାବରେ ମଧ୍ୟ ତାଙ୍କର ବିଶେଷ ଖ୍ୟାତିଥିଲା। ଅଥର୍ବବେଦୀୟ ଉପାସନା ପଦ୍ଧତିରେ ତାଙ୍କର ଗଭୀର ଜ୍ଞାନ ଥିଲା। ମନ୍ତ୍ର ବିଜ୍ଞାନର ଗହନ ଅନୁସନ୍ଧାନରେ ତାଙ୍କର ଜୀବନର ଅର୍ଦ୍ଧାଧିକ ବର୍ଷ ଅତିବାହିତ ହୋଇ ଯାଇଥିଲା। ଏତେ ଜ୍ଞାନୀଗୁଣୀ ହେଲେ ମଧ୍ୟ ତାଙ୍କର ବ୍ୟକ୍ତିତ୍ବର କାଳିମା ସଦୃଶ ଏକ ବଡ଼ ଦୋଷ ଥିଲା- ସେ ଥିଲେ ଭୟଙ୍କର କ୍ରୋଧୀ। ଜ୍ଞାନକୁ ନେଇ ଗର୍ବ, ଅହଂକାର ନଥିଲା, କିନ୍ତୁ କ୍ରୋଧକୁ ବଶ କରିପାରି ନଥିଲେ। ଥରେ କୌଣସି କାରଣରୁ ରାଗିଗଲେ ଅନ୍ୟମାନଙ୍କ ଭଳି ସେ ହିତାହିତ ଜ୍ଞାନ ହରାଉ ଥିଲେ, ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉ ଥିଲା। ଏ ନିମନ୍ତେ ସେ ପରବର୍ତ୍ତୀ ସମୟରେ ଅନେକ ପଶ୍ଚାତ୍ତାପ କରୁଥିଲେ, ହେଲେ କ୍ରୋଧକୁ ଆୟତ୍ତ କରିବା ଦିଗରେ ଚେଷ୍ଟା କରୁନଥିଲେ।
ଅନ୍ୟଦିନ ଭଳି ସେ ଦିନ ପ୍ରଚେତା ପ୍ରତ୍ୟୁଷରୁ ନଦୀରେ ସ୍ନାନ ସାରି ଜଳ ତର୍ପଣ କରିଥିଲେ। ଫେରିବା ବାଟରେ କଲ୍ୟାଣପାଦ ନାମକ ଜଣେ ଯୁବକ ବାଟରେ ହାବୁଡ଼ିଗଲେ। ବାଟଟି ଥିଲା ସଂକୀର୍ଣ୍ଣ- ଅଣଓସାରିଆ। କଲ୍ୟାଣପାଦ ସ୍ବଭାବତଃ ଉଚ୍ଛୃଙ୍ଖଳ, ଦୁରାଚାରୀ ଥି​‌େ​‌ଲ। ମଦପାନ ଓ ବେଶ୍ୟାଳୟ ଗମନ ଭଳି କୁପ୍ରକୃତିର ଦାସତ୍ବ ସ୍ବୀକାର କରିଥିଲେ। କଲ୍ୟାଣପାଦକୁ ଦେଖୁଦେଖୁ ଋଷି ପ୍ରଚେତା କାୟା ଅପବିତ୍ର ହେବା ଆଶଙ୍କା କରି ତାକୁ ରାସ୍ତାରୁ ହଟିଯିବା ପାଇଁ କହିଲେ। ହେଲେ ସ୍ବଭାବତଃ ଉଦ୍ଧତ ପ୍ରକୃତିର ଥିବା କଲ୍ୟାଣପାଦ ଋଷିଙ୍କ ନିର୍ଦେଶକୁ ଅବମାନନା କରି ମନା କରିଦେଇଥିଲେ ରାସ୍ତାରୁ ହଟିବାପାଇଁ।
ଏହି ଘଟଣାର ପ୍ରଚେତା ହଠାତ୍‌ କ୍ରୋଧିତ ହୋଇଗଲେ। କ୍ରୋଧର ବଶବର୍ତ୍ତୀ ହୋଇ ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଏହାର ପରିଣାମ ସମ୍ପର୍କରେ ସଚେତନ ନ ହୋଇ ଭୟଙ୍କର ରାଗିଯାଇ କଲ୍ୟାଣପାଦକୁ ଅଭିଶାପ ଦେଇଥିଲେ ‘ତୁ ରାକ୍ଷସ ହୋଇଯା।’
ସିଦ୍ଧତପା ଋଷିଙ୍କ ଶାପ ତତ୍‌କ୍ଷଣାତ ଫଳବତୀ ହୋଇଥିଲା। କଲ୍ୟାଣପାଦ ରାକ୍ଷସ ହୋଇଯାଇଥିଲା। ରାକ୍ଷସ ସମ୍ମୁଖରେ ଏବେ ଋଷି ପ୍ରଚେତା। ରାକ୍ଷସ ତା’ର ପ୍ରକୃତି ଅନୁସାରେ ତତ୍‌କ୍ଷଣାତ ଋଷିପ୍ରଚେତା ଉପରେ ଆକ୍ରମଣ କରିଥିଲା।
ଋଷି ପ୍ରଚେତାଙ୍କ ତପସ୍ୟାର ପୁଞ୍ଜି ମାତ୍ରାଧିକ କ୍ରୋଧ କାରଣରୁ ନଷ୍ଟ ହୋଇଯାଇଥିଲା। କ୍ରୋଧର ଆବେଗରେ ସେ ଯେଉଁ ଶାପ ଦେଲେ ତାହା ଥିଲା ତପସ୍ୟା ଲବ୍ଧ ଜ୍ଞାନର ଦୁରୁପଯୋଗ। ତପଃଫଳ ନଷ୍ଟ ହେବା କାରଣରୁ ଋଷି ନିଜକୁ ରକ୍ଷା କରିବାକୁ ଅସମର୍ଥ ହୋଇ ଜୀବନ ହରାଇଥିଲେ। ଯଦି ବୁଦ୍ଧିବିବେକର ଉପଯୋଗରେ ଶାନ୍ତ ମନରେ ସେ ପଦକ୍ଷେପ ନେଇଥାନ୍ତେ ତେବେ କ୍ରୋଧଜନିତ ଏଭଳି ଭୟଙ୍କର ସ୍ଥିତିକୁ ତାଙ୍କୁ ସାମ୍‌ନା କରିବାକୁ ପଡ଼ିନଥା’ନ୍ତା। ପ୍ରତ୍ୟେକ କ୍ଷେତ୍ରରେ କ୍ରୋଧର ଭୟଙ୍କର, କଳ୍ପନାତୀତ ପରିଣାମ ଏହାର କର୍ତ୍ତାଙ୍କୁ ହିଁ ଭୋଗିବାକୁ ହୋମଇଥାଏ।

Leave A Reply