ମୋହନଙ୍କ ଭାଗବତ

0

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ମୁଖ୍ୟ ମୋହନ ଭାଗବତ ନୂଆଦିଲ୍ଲୀରେ ଚାଲିଥିବା ସଂଗଠନର ଚିନ୍ତନ ଶିବିରରେ ଦେଇଥିବା ଭାଷଣ ନୀତି, ଆଦର୍ଶ, ବିଚାର ଓ ଭବିଷ୍ୟତର ଭାରତ ଭାବନା ଦୃଷ୍ଟିରୁ ଶୁଣିବାକୁ ଭାଗବତ ପରି ଲାଗୁଛି; ଯେଉଁଥିରୁ ଅନେକ କିଛି ଶିକ୍ଷଣୀୟ। ଦେଶରେ ଏବେ ଯେଉଁ ଘଟଣାମାନ ଘଟୁଛି ଏବଂ ଯେଉଁ ସବୁ ବିଷୟ ନେଇ ସରକାର ଏବଂ ସଂଘପରିବାରକୁ ବିଭିନ୍ନ ମହଲରୁ କଟୁ ସମାଲୋଚନା କରାଯାଉଛି, ସେ ସମସ୍ତ ବିଷୟ ଉପରେ ମୋହନ ଭାଗବତ ତାଙ୍କ ସଂଗଠନର ବିଚାର ବ୍ୟକ୍ତ କରିଛନ୍ତି।
ତାଙ୍କର ହିନ୍ଦୁତ୍ବର ପରିଭାଷା, ବିଭିନ୍ନତା ମଧ୍ୟରେ ଏକତା, ସମୃଦ୍ଧ ଭାରତ ଗଠନ‌େର ଦେଶର ବରପୁତ୍ରମାନଙ୍କର ଅବଦାନ ଓ ଦୃଷ୍ଟିକୋଣର ଉଦ୍ଧୃତି, ଗୋରୁ ଚାଲାଣକାରୀଙ୍କୁ ସଂଘବଦ୍ଧ ଭାବେ ହତ୍ୟାକୁ ନିନ୍ଦା, ମୁସଲମାନ ଓ କଂଗ୍ରେସ ମୁକ୍ତ ଭାରତ ପ୍ରସଙ୍ଗରେ ସଂଘୀୟ ବିଚାର ଆଦି ଶୁଣିବାପରେ ସାଧାରଣରେ ଭ୍ରୂକୁଞ୍ଚନ ହେବା ସ୍ବାଭାବିକ। ‘ଭବିଷ୍ୟତର ଭାରତ’ ଶୀର୍ଷକ ଏକ କର୍ମଶାଳାରେ ମୋହନଜୀ ପ୍ରଥମଥର ପାଇଁ ଏଭଳି କେତେକ କଥା କହିଛନ୍ତି ଯାହା ପ୍ରଣିଧାନଯୋଗ୍ୟ। ତାଙ୍କର କେତେକ କଥା ଆର୍‌ଏସ୍‌ଏସ୍‌ର ନୀତି ଓ ଦୃଷ୍ଟିକୋଣକୁ ସ୍ପଷ୍ଟ କରିଛି ଏବଂ ସେ ଆନୁଷ୍ଠାନିକ ଭାବେ ନିଜ ସଂଗଠନର ଉଦ୍ଦେଶ୍ୟ ସ୍ପଷ୍ଟ କରିଦେଇଛନ୍ତି।
ଆର୍‌ଏସ୍‌ଏସ୍‌ ସରକାରର ରିମୋଟ କ​‌େ​‌ଣ୍ଟ୍ରାଲ ନୁହେଁ ଓ ମୁସଲମାନମୁକ୍ତ ଭାରତ ହିନ୍ଦୁତ୍ବର ବାସ୍ତବ ଦର୍ଶନ ନୁହେଁ ଭଳି ତାଙ୍କ ଉକ୍ତି ଶୁଣିବାକୁ ଅବଶ୍ୟ ଭଲ ଲାଗୁଛି। ହିନ୍ଦୁତ୍ବର ଅର୍ଥ ଅନ୍ୟ ଧର୍ମ ଓ ସଂପ୍ରଦାୟର ବିଲୋପ-ବିନାଶ ନୁହେଁ ଏବଂ ମୁସଲମାନ ନଥିବା ଭାରତରେ ଏହା ସମ୍ଭବ ନୁହେଁ ବୋଲି କହି ସେ ଉଗ୍ର ହିନ୍ଦୁବାଦୀଙ୍କୁ ଭବିଷ୍ୟତ ଭାରତର ଖସଡ଼ା ଦେଖାଇଛନ୍ତି। ସମାଲୋଚକ କହିପାରନ୍ତି ଯେ ଆର୍‌ଏସ୍‌ଏସ୍‌ର ଏହା ଏକ କୌଶଳ ଓ ନିର୍ବାଚନ ପୂର୍ବରୁ ଏକ ରାଜନୈତିକ କସରତ୍‌। ତେବେ ସେ ଯା’ହେଉ ଭାଗବତଙ୍କ ଏହି ବାଣୀକୁ ସଙ୍ଘ ପରିବାର କେତେ ସମ୍ମାନ ଦେଉଛି ତାହା ଦେଖିବାର କଥା। କାରଣ ନିକଟରେ ମୋହନ ଭାଗବତ ଥରେ କହିଥିଲେ, ‘‘ନେତା ଆସିବେ ଓ ଯିବେ କିନ୍ତୁ ଆର୍‌ଏସ୍‌ଏସ୍‌ ସେମିତି ରହିଥିବ।’’

Leave A Reply