ସମାଜ ଓ ଯୌତୁକ ନିବାରଣ ଆଇନ

0

ଗୋଧନେଶ୍ବର ହୋତା

ଓଡ଼ିଆରେ ଗୋଟେ ଢଗ ଅଛି- ‘ମାଆ ଝିଅ ଦୁହେଁ ଦେଉଳେ ପଶେ, ଯିଏ ଯାହା ସୁଖ ନିଜେ ମନାସେ’। ମାଆ ଓ ବିବାହିତା ଝିଅ ଏକାସାଙ୍ଗରେ ମନ୍ଦିର ଯିବେ। ମାଆ ତା ସ୍ବାମୀସନ୍ତାନର ମଙ୍ଗଳ ମନାସିବ ଓ ଝିଅ ତା ସ୍ବାମୀ ସନ୍ତାନର ମଙ୍ଗଳ ମନାସିବ। ବିବାହିତା ଝିଅଟି ସାଧାରଣ ସ୍ଥିତିରେ ତା’ର ମାତାପିତା, ଭ୍ରାତାଭଗିନୀଙ୍କ ମଙ୍ଗଳ କାମନା ପ୍ରାୟତଃ କରିନଥାଏ ଓ ସର୍ବଦା ତା’ର ପ୍ରାଧାନ୍ୟ ସ୍ବାମୀ ଓ ସନ୍ତାନଙ୍କ ପ୍ରତି ହିଁ ଥାଏ। ସେ ଜାଣେ ତା’ର ଆପଣାର କେବଳ ତା’ର ସ୍ବାମୀ ଓ ସନ୍ତାନମାନେ। ଏହା ତ ନାରୀର ବିଶେଷତ୍ବ। ତାଙ୍କୁ ଆମ ପାରମ୍ପରିକ ବିଚାରଧାରା ଅନୁସାରେ ସମାଜ ଜନ୍ମରୁ ଏହି ଧାରଣା ଦେଇ ବଢ଼ାଇଛି ଯେ ଯଦିଚ ପିତାମାତା ତା’ର, କିନ୍ତୁ ପିତାର ଘର ତା’ର ନୁହେଁ। ବାହାଦେଇ କନ୍ୟାଦାନ କରିଦେଲେ ପିତାଙ୍କ ଦାୟିତ୍ବର ଅବସାନ ଓ ଝିଅଟିର ଶାଶୂଘରେ ଅନିଶ୍ଚିତତାମୟ ଜୀବନର ଅୟମାରମ୍ଭ। ତା’ପରଠାରୁ ବାପଘରେ ଝିଅଟି ନିଜକୁ ପର ବୋଲି ଭାବିବା ସହ ସଂକୋଚ ବୋଧ କରେ। ନାରୀଟିଏ ଯଦି ସ୍ବାମୀ ଓ ସନ୍ତାନମାନଙ୍କୁ ନେଇ ନିଜ ରୁଚି ମୁତାବକ ସାଧାରଣ ଜୀବନଟିଏ ପାଏ ତେବେ ସେ ସାରା ସଂସାର ପାଇଯାଇଥିବାର ଆତ୍ମତୃପ୍ତି ଲାଭକରେ, କିନ୍ତୁ ଏଥିରେ କେହି ମନ୍ଦ ଉଦ୍ଦେଶ୍ୟରେ ଅନ୍ତରାୟ ସୃଷ୍ଟି କଲେ ଓ ସହିବାର ସୀମା ଉଲ୍ଲଙ୍ଘନ ହେଲେ ନାରୀ ପ୍ରତିକ୍ରିୟାଶୀଳ ହୁଏ। ଏଭଳି ଏକ ଚରିତ୍ର ଯଦି କେବେ ସମାଜକୁ ଓ ସରକାର ତଥା ସରକାରୀ କଳକୁ ଆସି ଅଭିଯୋଗ କରେ ଯେ ସେ ତା ସ୍ବାମୀ ଓ ସ୍ବାମୀଙ୍କ ସମ୍ପର୍କୀୟମାନଙ୍କ ଦ୍ବାରା ଯୌତୁକ ଯୋଗୁଁ ଅସହନୀୟ ଶାରୀରିକ ଓ ମାନସିକ ଯନ୍ତ୍ରଣା ଭୋଗୁଛି ତେବେ ସେପରି ଏକ ଅଭିଯୋଗକୁ ହାଲ୍‌କା ଭାବେ ନେବା ଏକ ସଭ୍ୟ ସମାଜ ଓ ଜନହିତକାରୀ ସରକାରଙ୍କ ପାଇଁ ଆଦୌ ସ୍ପୃହଣୀୟ ନୁହେଁ, ବରଂ ଏହା ତୁରନ୍ତ ଅନୁସନ୍ଧାନ ସାପେକ୍ଷ। ନିଶ୍ଚିତ ରୂପେ ଏଭଳି ଏକ ଅଭିଯୋଗ ପଛରେ କୌଣସି ନା କୌଣସି ଯୁକ୍ତିଯୁକ୍ତ କାରଣ ରହିଥାଇପାରେ। ବିଡ଼ମ୍ବନାର ବିଷୟ, ସମାଜ ସାଧାରଣତଃ ନାରୀଟିର ଏଭଳି ଦୁଃସମୟରେ ନୈତିକ ସମର୍ଥନ ଦେବା ପରିବର୍ତ୍ତେ ତାକୁ ତିରସ୍କାର କରେ। ନାରୀର ଏହି ଅସହାୟତାର ହୀନ ସୁଯୋଗ ନିଅନ୍ତି ମାନସିକ ଭାବେ ବିକଳାଙ୍ଗ ଶାଶୂଘର ଲୋକେ। ଏଇଠୁ ହିଁ ଆରମ୍ଭ ହୋଇଥାଏ ଯୌତୁକର ସର୍ବଗ୍ରାସୀ କ୍ଷୁଧା ଓ ଶାଶୂ ଘରକୁ ଅସୁମାରି ଆଶା ନେଇ ବାପଘରୁ ସାମାଜିକ କର୍ମର ଏକ ପ୍ରକାରର ବାଧ୍ୟବାଧକତାରେ ଯାଇଥିବା ଝିଅଟିଏର ଅକଥନୀୟ ଦୁଃଖଦୁର୍ଦଶା।
ପ୍ରାଚୀନକାଳରୁ ବୈଦିକ ରୀତିରେ ବିବାହ ବେଳେ କନ୍ୟା ପିତା କନ୍ୟାଦାନ କରିବାର ନିୟମ ହିନ୍ଦୁ କର୍ମକାଣ୍ଡରେ ରହିଛି। ନିଜର ସାଧ୍ୟମତେ କନ୍ୟାପିତା ବରକୁ କିଛି ଘରକରଣା ଜିନିଷ ଓ ଅର୍ଥ ସ୍ବଇଚ୍ଛାରେ ସ୍ନେହଶ୍ରଦ୍ଧା ସ୍ବରୂପ ଉପହାର ଦେଇଥିଲେ ଯାହାକୁ ବରଦକ୍ଷିଣା କୁହାଯାଉଥିଲା। ଏହା ବାହାଘରର ପୂର୍ବ ସର୍ତ୍ତ ନଥିଲା କି ଏଥିରେ କୌଣସି ବାଧ୍ୟବାଧକତା ନଥିଲା। କାଳକ୍ରମେ ଏହି ସ୍ବେଚ୍ଛାକୃତ ମୌଳିକ ଉପାଦାନଟିକୁ କବର ଦେଇ ତା ଉପରେ ଯୌତୁକ ରୂପୀ କ୍ୟାକ୍‌ଟସର ଏକ ବଗିଚା ନିର୍ମିତ ହେଲା ଓ ଏହାକୁ କେବଳ ବାହାଘର ବେଳେ ସୀମିତ ନରଖି ବାହାଘର ପୂର୍ବ ଓ ପରବର୍ତ୍ତୀ ସମୟକୁ ମଧ୍ୟ ସଂକ୍ରମିତ କରିଦିଆଗଲା।
ଏହି ସାମାଜିକ ସମସ୍ୟାର ସମୂଳେ ନିରାକରଣ ପାଇଁ ସରକାର ୧୯୬୧ ମସିହାରେ ଯୌତୁକ ନିବାରଣ ଆଇନ୍‌ ପ୍ରଣୟନ କରିଛନ୍ତି। ଏହି ଆଇନରେ ଯୌତୁକର ସଂଜ୍ଞାକୁ ଅତି ବ୍ୟାପକ କରାଯାଇଛି। ବିବାହବେଳେ ବା ବାହାଘର ପୂର୍ବରୁ ବା ବାହାଘର ପରେ, ବାହାଘରର ପ୍ରତିବଦଳରେ କନ୍ୟାଘର ତରଫରୁ ବା ବରଘର ତରଫରୁ ଅପରପକ୍ଷକୁ ପ୍ରତ୍ୟକ୍ଷ ଭାବେ ବା ପରୋକ୍ଷଭାବେ ଦିଆଯାଉଥିବା ବା ଦେବାକୁ ରାଜି ହୋଇଥିବା କୌଣସି ସମ୍ପତ୍ତି ବା ମୂଲ୍ୟବାନ ପ୍ରତିଭୂତି ଏହାର ଅନ୍ତର୍ଭୁକ୍ତ।
ଏହି ଆଇନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବ୍ୟବସ୍ଥା ହେଲା ବାହାଘର ପାଇଁ କୌଣସି ସମ୍ପତ୍ତିର ନେଣଦେଣ ପାଇଁ ପୂର୍ବ ସର୍ତ୍ତ ବା ଦାବିକୁ ପ୍ରତିହତ କରିବା। ଯଦି କୌଣସି ବ୍ୟକ୍ତି ଯୌତୁକ ନେବେ ବା ଦେବେ ବା ଯୌତୁକ ଦେବାନେବା ପାଇଁ ପ୍ରବର୍ତ୍ତାଇବେ ତେବେ ସେ ଦୋ‌ଷ‌ୀ ସାବ୍ୟସ୍ତ ହେଲେ ଅନ୍ୟୂନ ପାଞ୍ଚବର୍ଷ କାରାବାସ ଓ ଅତିକମ୍‌ରେ ପନ୍ଦର ହଜାର ଟଙ୍କା ବା ଯୌତୁକ ପରିମାଣ ମଧ୍ୟରୁ ଯେଉଁ ପରିମାଣ ଅଧିକ ହେଉଥିବ ସେହି ପରିମାଣର ଜୋରିମାନା ଦଣ୍ଡରେ ଦଣ୍ଡନୀୟ ହେବେ। ଆହୁରି ମଧ୍ୟ ଯଦି କୌଣସି ବ୍ୟକ୍ତି କନ୍ୟା ବା ବରର ପିତାମାତା ବା ଅନ୍ୟାନ୍ୟ ଆତ୍ମୀୟସ୍ବଜନ ବା ଅଭିଭାବକଙ୍କଠାରୁ ପ୍ରତ୍ୟକ୍ଷ ଭାବେ ବା ପରୋକ୍ଷ ଭାବେ ଯୌତୁକ ଦାବି କରିବେ ତେବେ ସେ ଦୋଷୀ ସାବ୍ୟସ୍ତ ହେଲେ ଅନ୍ୟୂନ ଛଅମାସ ଓ ସର୍ବାଧିକ ଦୁଇବର୍ଷ ପାଇଁ ଜେଲଦଣ୍ଡ ଓ ଦଶହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦଣ୍ଡରେ ଦଣ୍ଡନୀୟ ହେବେ। ଯୌତୁକ ଦେବା ବା ନେବା ପାଇଁ ହୋଇଥିବା କୌଣସି ରାଜିନାମା ଅବଧି ମାନ୍ୟ ହେବ। ସ୍ବଇଚ୍ଛାରେ ଦିଆଯାଇଥିବା ଉପହାର ଆଦି କନ୍ୟା ଭିନ୍ନ ଅନ୍ୟ କେହି ଯଦି ଗ୍ରହଣ କରିଥିବେ ତେବେ ​‌େ‌ସହି ବ୍ୟକ୍ତି ଯଦି ବାହାଘର ପୂର୍ବରୁ ତାହା ଗ୍ରହଣ କରିଥିବେ ତେବେ ବାହାଘର ତାରିଖଠାରୁ ତିନିମାସ ମଧ୍ୟରେ କନ୍ୟାକୁ ତାହା ଫେରାଇବେ। ଯଦି ବାହାଘରବେଳେ ବା ବାହାଘର ପରେ ଉକ୍ତ ବ୍ୟକ୍ତି ତାହା ଗ୍ରହଣ କରିଥିବେ ତେବେ ଯେଉଁ ତାରିଖରେ ତାହା ସେ ଗ୍ରହଣ କରିଥିବେ ତାହାର ତିନିମାସ ମଧ୍ୟରେ ତାହା କନ୍ୟାକୁ ଦେଇଦେବେ। ଯଦି ବିବାହବେଳେ କନ୍ୟାଟି ନାବାଳିକା ହୋଇଥିବେ ତେବେ ଉକ୍ତ ବ୍ୟକ୍ତି ଗ୍ରହଣ କରିଥିବା ଯୌତୁକ ସାମଗ୍ରୀ ଉକ୍ତ କନ୍ୟାକୁ ଅଠର ବର୍ଷ ​‌େହାଇଗଲେ ତାକୁ ହସ୍ତାନ୍ତର କରିବେ।
ଯଦି କୌଣସି ବ୍ୟକ୍ତି ପୂର୍ବୋକ୍ତ ସମୟସୀମା ମଧ୍ୟରେ ନିଜ ପାଖରେ ରଖିଥିବା ଯୌତୁକ ସାମଗ୍ରୀ ଉକ୍ତ କନ୍ୟାକୁ ନ ଦିଅନ୍ତି ତେବେ ସେ ଦୋଷୀ ସାବ୍ୟସ୍ତ ହେଲେ ଅନ୍ୟୂନ ଛଅମାସ ଓ ସର୍ବାଧିକ ଦୁଇବର୍ଷ ପର୍ଯ୍ୟନ୍ତ କାରାବାସ ବା ଅନ୍ୟୂନ ପାଞ୍ଚହଜାର ଟଙ୍କା ଓ ଅଧିକ ଦଶହଜାର ଟଙ୍କା ଜୋରିମାନା ବା ଉଭୟ ଦଣ୍ଡରେ ଦଣ୍ଡନୀୟ ହେବେ। ଉପରୋକ୍ତ ସମ୍ପତ୍ତି ପାଇବାକୁ ହକ୍‌ଦାର ଥିବା ମହିଳା ତାହା ପାଇବା ପୂର୍ବରୁ ଯଦି ମୃତ୍ୟୁବରଣ କରନ୍ତି ତେବେ ସେ କ୍ଷେତ୍ରରେ ସେହି ମହିଳାଙ୍କ ଦାୟାଦମାନେ ତତ୍‌ସମୟେ ସେହି ସମ୍ପତ୍ତି ନିଜ ପାଖରେ ରଖିଥିବା ବ୍ୟକ୍ତିଙ୍କଠାରୁ ତାହା ଦାବି କରିବା ସକା​‌େ​‌ଶ ହକ୍‌ଦାର ହେବେ। ପ୍ରାକୃତିକ କାରଣ ଭିନ୍ନ ଅନ୍ୟଥା ବାହାଘରର ସାତବର୍ଷ ମଧ୍ୟରେ ଯଦି କୌଣସି ମହିଳାଙ୍କ ମୃତ୍ୟୁହୁଏ ଓ ସେତେବେଳେ ତାଙ୍କର କୌଣସି ସନ୍ତାନସନ୍ତତି ଯଦି ନଥିବେ ତେବେ ସେ ସ୍ଥଳେ ସେହି ସମ୍ପତ୍ତି ତାଙ୍କ ପିତାମାତାଙ୍କୁ ଦିଆଯିବ ଓ ଯଦି ସନ୍ତାନ ଥିବେ ତେବେ ତାହା ତାଙ୍କ ସନ୍ତାନମାନଙ୍କୁ ଦିଆଯିବ। ଏହି ଆଇନ ଅନୁଯାୟୀ ଘଟିଥିବା ଅପରାଧର ବିଚାର ଜଣେ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ ବା ପ୍ରଥମ ଶ୍ରେଣୀ ପାହ୍ୟାରୁ କମ୍‌ ହୋଇଥିବା କୌଣସି ନ୍ୟାୟିକ ମାଜି​‌େ​‌ଷ୍ଟ୍ରଟ୍ କରିବେ ନାହିଁ।
ଏହି ଆଇନ ଅନୁଯାୟୀ ଘଟିଥିବା କୌଣସି ଅପରାଧକୁ କୌଣସି ନ୍ୟାୟାଳୟ ବିଚାର ପାଇଁ ଗ୍ରହଣ କରିବେ ନାହିଁ ଯଦି ସେ ନିଜେ ସେ ବିଷୟରେ ଅବଗତ ନଥିବେ ବା ସେ ବିଷୟରେ କୌଣସି ପୁଲିସ ରିପୋର୍ଟ ପାଇନଥିବେ ବା ସେପରି ଅପରାଧରେ କ୍ଷୁବ୍ଧ କୌଣସି ବ୍ୟକ୍ତି ବା ମହିଳାଙ୍କ ପିତାମାତା ବା ଅନ୍ୟାନ୍ୟ ଆତ୍ମୀୟସ୍ବଜନ ବା କୌଣସି ସ୍ବୀକୃତିପ୍ରାପ୍ତ ଜନକଲ୍ୟାଣ ଅନୁଷ୍ଠାନ ବା ସଂଗଠନ ସେ ସମ୍ପର୍କିତ କୌଣସି ଅଭିଯୋଗ ନ କରନ୍ତି। ଏହି ଆଇନର ଏକ ପ୍ରମୁଖ ବିଶେଷତ୍ବ ହେଲା ଯୌତୁକ ନେବା ବା ଯୌତୁକ ନେବାପାଇଁ ପ୍ରବର୍ତ୍ତାଇବା ବା ଯୌତୁକ ଦାବି କରିବା ଅଭିଯୋଗରେ ଅଭିଯୁକ୍ତ ହୋଇଥିବା ବ୍ୟକ୍ତିଙ୍କୁ ହିଁ ଏହା ପ୍ରମାଣିତ କରିବାକୁ ପଡ଼ିବ ନାହିଁ ଓ ମୁଦାଲା ହିଁ ପ୍ରମାଣ କରିବେ ଯେ ଅଭିଯୋଗଟି ଅସତ୍ୟ, କପୋଳକଳ୍ପିତ ଓ ସେ ନିର୍ଦୋଷ।
ସମାଜରୁ ଯୌତୁକର କଳାକାରନାମାକୁ ସମୂଳେ ନିପାତ କରିବା ଲକ୍ଷ୍ୟ ନେଇ ସରକାର ଯୌତୁକ ନିବାରଣ ଆଇନ ବାହାରେ ଭାରତୀୟ ଦଣ୍ଡ ସଂହିତା, ଭାରତୀୟ ସାନ୍ଧ୍ୟ ଆଇନ ତଥା ଦଣ୍ଡ ପ୍ରକ୍ରିୟା ସଂହିତାରେ ମଧ୍ୟ ସମୁଚିତ ବ୍ୟବସ୍ଥା କରିଛନ୍ତି। ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୪-ଖର ବ୍ୟବସ୍ଥା ମତେ ଯଦି ଜଣେ ବିବାହିତ ମହିଳାଙ୍କ ମୃତ୍ୟୁ ବିବାହର ସାତବର୍ଷ ମଧ୍ୟରେ ପୋଡ଼ିଯିବା ବା ଶାରୀରିକ ଆଘାତ ଯୋଗୁଁ ବା ଅସାଧାରଣ ପରିସ୍ଥିତିରେ ହୁଏ ଓ ଏହା ଅଭିଯୋଗ ହୁଏ ଯେ ଉକ୍ତ ମହିଳାଙ୍କୁ ତାଙ୍କ ସ୍ବାମୀ ବା ତାଙ୍କ ସ୍ବାମୀଙ୍କ ଅନ୍ୟାନ୍ୟ ସମ୍ପର୍କୀୟମାନେ ମୃତ୍ୟୁ ପୂର୍ବରୁ ଯୌତୁକଜନିତ ନିର୍ଯାତନା ବା ହଇରାଣହରକତ କରିଛନ୍ତି ତେବେ ସେପରି ମୃତ୍ୟୁ ‘ ‘ଯୌତୁକ ଜନିତ ମୃତ୍ୟୁ’ କୁହାଯିବ ଓ ଉକ୍ତ ମୃତ୍ୟୁ ପାଇଁ ତାଙ୍କ ସ୍ବାମୀ ବା ସ୍ବାମୀଙ୍କ ଅନ୍ୟାନ୍ୟ ସମ୍ପର୍କୀୟମାନେ ଦାୟୀ ବୋଲି ବିବେଚିତ ହେବେ। କୌଣସି ବ୍ୟକ୍ତି ଯଦି ଯୌତୁକଜନିତ ମୃତ୍ୟୁର କାରଣ ବୋଲି ପ୍ରମାଣିତ ହୁଏ ତେବେ ସେ କ୍ଷେତ୍ରରେ ସେ ଦୋଷୀ ସାବ୍ୟସ୍ତ ହେଲେ ଅନ୍ୟୂନ ସାତବର୍ଷ ପର୍ଯ୍ୟନ୍ତ ଯାହାକି ଆଜୀବନ କାରାବାସ ହୋଇପାରେ ଦଣ୍ଡରେ ଦଣ୍ଡନୀୟ ହେବେ। ଆହୁରି ମଧ୍ୟ ଯଦି ସେମାନେ ଯୌତୁକ ପାଇବା ଉଦ୍ଦେଶ୍ୟରେ ମହିଳାଙ୍କ ପ୍ରତି ଏପରି କୌଣସି ପ୍ରକାରର ଶାରୀରିକ, ମାନସିକ କଷ୍ଟ ଦିଅନ୍ତି ଯାହା ସହ୍ୟ କରିନପାରି ମହିଳା ଜଣକ ଆତ୍ମହତ୍ୟା କରିଦିଅନ୍ତି ବା ମହିଳାଙ୍କୁ ଏପରି ଉତ୍ପୀଡ଼ନ ଦିଅନ୍ତି ଯଦ୍ଦ୍ବାରା ଉକ୍ତ ମହିଳା ବା ତାଙ୍କ ସମ୍ପର୍କୀୟମାନେ ଯୌତୁକ ଦାବିକୁ ମାନିଯାଇ ଯୌତୁକ ଦେବାକୁ ଏକରକମ ଭାବେ ବାଧ୍ୟ ହେବେ ତେବେ ସେ ସ୍ଥଳେ ଉକ୍ତ ବ୍ୟକ୍ତିି ଦୋଷୀସାବ୍ୟସ୍ତ ହେଲେ ତିନିବର୍ଷ ପର୍ଯ୍ୟନ୍ତ କାରାବାସ ଓ ସମୁଚିତ ପରିମାଣର ଜୋରିମାନା ଦଣ୍ଡରେ ଦଣ୍ଡନୀୟ ହେବେ।
ଭାରତୀୟ ସାକ୍ଷ୍ୟ ଆଇନର ବ୍ୟବସ୍ଥା ମତେ ଜଣେ ବିବାହିତା ମହିଳା ଯଦି ଆତ୍ମହତ୍ୟା କରନ୍ତି ଓ ପ୍ରଶ୍ନ ଉଠେ ଯେ ଉକ୍ତ ମହିଳାଙ୍କୁ ଆତ୍ମହତ୍ୟା କରିବା ପାଇଁ ତାଙ୍କ ସ୍ବାମୀ ବା ସ୍ବାମୀଙ୍କ ଅନ୍ୟାନ୍ୟ ସମ୍ପର୍କୀୟମାନେ ପ୍ରବର୍ତ୍ତାଇଥିଲେ କି ନାହିଁ ଓ ଯଦି ଏହା ହୃଦବୋଧ ହେବାଭଳି ଦର୍ଶାଇ ଦିଆଯାଏ ଯେ ଉକ୍ତ ମହିଳା ବାହାଘର ତାରିଖରୁ ସାତବର୍ଷ ମଧ୍ୟରେ ଆତ୍ମହତ୍ୟା କରିଛନ୍ତି ଓ ତାଙ୍କ ସ୍ବାମୀ ଓ ସ୍ବାମୀଙ୍କ ସେପରି ସମ୍ପର୍କୀୟମାନେ ତାଙ୍କ ପ୍ରତି ବର୍ବର ଓ ଅମାନବୀୟ ଶାରୀରିକ ଓ ମାନସିକ କଷ୍ଟ ଦେଇଛନ୍ତି ତେବେ ସେ କ୍ଷେତ୍ରରେ ନ୍ୟାୟାଳୟ ମାମଲାଟିର ଅନ୍ୟାନ୍ୟ ପାରିପାର୍ଶ୍ବିକ ସ୍ଥିତିକୁ ବିଚାରକୁ ନେଇ ଧରିନେବେ ଯେ ଉକ୍ତ ମହିଳାଙ୍କ ସ୍ବାମୀ ଓ ସ୍ବାମୀଙ୍କ ସମ୍ପର୍କୀୟମାନଙ୍କ କୁପ୍ରବର୍ତ୍ତନା ଯୋଗୁଁ ହିଁ ଉକ୍ତ ମହିଳା ଆତ୍ମହତ୍ୟା କରିଛନ୍ତି।
ଆହୁରି ମଧ୍ୟ ଯଦି ପ୍ରଶ୍ନ ଉଠେ ଯେ ଜଣେ ବ୍ୟକ୍ତି ଜଣେ ମହିଳାଙ୍କ ଯୌତୁକଜନିତ ମୃତ୍ୟୁ ଘଟାଇଛନ୍ତି କି ନାହିଁ ଓ ଏହା ହୃଦ୍‌ବୋଧ ହେବା ଭଳି ଦର୍ଶାଇ ଦିଆଯାଏ ଯେ ତାଙ୍କ ମୃତ୍ୟୁ ପୂର୍ବରୁ ଉକ୍ତ ମହିଳାଙ୍କୁ ଉକ୍ତ ବ୍ୟକ୍ତି ଯୌତୁକ ନେଇ ବାରମ୍ବାର ନିର୍ମମ ଓ ଯନ୍ତ୍ରଣାଦାୟକ ଆଚରଣ ପ୍ରଦର୍ଶନ କରିଛନ୍ତି ତେବେ ସେ କ୍ଷେତ୍ରରେ ସେହି ବ୍ୟକ୍ତି ଯୌତୁକଜନିତ ମୃତ୍ୟୁ ଘଟାଇଛନ୍ତି ବୋଲି ନ୍ୟାୟାଳୟ ଧରିନେବେ।
ମହିଳାମାନେ ସମାଜର ଭୟ ପରିହାର କରି ଆଇନକୁ ଗତିଶୀଳ କଲେ ହିଁ ଯୌତୁକ ପ୍ରଥା ଲୋପହେବ। ଏହା କହିବା ବାହୁଲ୍ୟ ଯେ ସବୁବେଳେ ଆଇନ୍‌ଗତ ଲଢ଼େଇରେ ବିଭିନ୍ନ କାରଣରୁ ଠିକ୍‌ ନ୍ୟାୟ ମିଳିନଥାଏ ଓ ବେଳେବେଳେ ଦୋଷୀ ଖସିଯାଆନ୍ତି। ତେବେ ସତ୍‌ପଥରେ ଥାଇ ଆଇନ୍‌ଗତ ଲଢ଼େଇରେ ଜିତିଲେ ବି ଯଶ ଓ ହାରିଲେ ବି ଯଶ। ଠିକ୍‌ ଯେପରି ଯୁଦ୍ଧକ୍ଷେତ୍ରରେ ସୈନିକଟିଏ ଶତ୍ରୁପକ୍ଷର ସୈନ୍ୟକୁ ମାରିଲେ ସେନା ପଦକ ଓ ନିଜେ ମଲେ ସହିଦ। ସମାଜରେ ପରିବର୍ତ୍ତନ ଆଣିବାକୁ ହେଲେ କିଛିଟା ବଳିଦାନ ତ ଦେବାକୁ ହଁି ପଡ଼ିବ।

Leave A Reply