ନାହାଦା ହୁଡ଼ାରେ ମିଳିଲା ପ୍ରାଚୀନ ସଭ୍ୟତାର ସନ୍ଧାନ

0

ନିଆଳି: ପ୍ରାଚୀନଦୀ ଓଡ଼ିଶାର ଏକ ପୁରାତନ ନଦୀ ହୋଇଥିବା ବେଳେ ଦିନେ ଏହି ଉପତ୍ୟକାରେ ପ୍ରାଚୀନ ସଭ୍ୟତା ଓ ସଂସ୍କୃତି ଗଢ଼ି ଉଠିଥିଲା। କାଳକ୍ରମେ ତାହା ବିଲୁପ୍ତ ହୋଇଗଲା। କିନ୍ତୁ ଏବେ ଏହାର ସନ୍ଧାନ ମିଳୁଛି। ପ୍ରାଚୀ ଉପତ୍ୟକାର ଜହ୍ଲାରପୁରସ୍ଥିତ ଭାରତୀହୁଡ଼ାରେ ପ୍ରାଚୀନ ସଭ୍ୟତାର ସନ୍ଧାନ ମିଳିବାପରେ ଗତ ୪ ମାସ ହେଲା ସେଠାରେ ଭୁବନେଶ୍ୱରସ୍ଥିତ ପ୍ରତ୍ନତାତ୍ତ୍ୱିକ ସର୍ବେଷଣ ସଂସ୍ଥା ଉତ୍‍ଖନନ ଶାଖା-୪ର ଅଧୀକ୍ଷକଙ୍କ ନେତୃତ୍ୱରେ ଖନନ ଚାଲିଛି। ଏଥିରେ ତାମ୍ର ପ୍ରସ୍ତଯୁଗର ସନ୍ଧାନ ମିଳିଛି। ୫୦୦୦ ବର୍ଷ ତଳର ପୁରୁଣା ମାଟିପାତ୍ର, ପ୍ରସ୍ତର ନିର୍ମାଣ ହାତ ହତିଆର, ମାଛକଣ୍ଟା, ଶସ୍ୟ, ହାଡ଼ ତିଆରି ଅସ୍ତ୍ରଶନ୍ତ୍ର, ଚଟାଣ ଆଦି ଆବିଷ୍କୃତ ହୋଇଥିଲା। ତେଣୁ ପ୍ରାଚୀ ଉପତ୍ୟକାରେ ତାମ୍ର ପ୍ରସ୍ତରଯୁଗର ସଭ୍ୟତା ଗଢ଼ି ଉଠିଥିବା ନିଶ୍ଚିତ ହୋଇଥିଲା। ଏବେ ପ୍ରାଚୀ ଉପତ୍ୟକାର ନିଆଳିଠାରୁ ୮ କିମି ଦୂର ମାଧବସ୍ଥିତ ନାହାଦା ହୁଡ଼ାରେ ପ୍ରାଚୀନ ସଭ୍ୟତାର ସନ୍ଧାନ ମିଳିଛି।
ଭାରତୀହୁଡ଼ାର ପ୍ରଥମ ସନ୍ଧାନ ଦେଇଥିବା ପ୍ରାଚୀନ ଇତିହାସ ପ୍ରତ୍ନତତ୍ତ୍ୱ ବିଭାଗ ଉତ୍କଳ ବିଶ୍ୱବିଦ୍ୟାଳୟର ଗବେଷକ ପୂର୍ଣ୍ଣଚନ୍ଦ୍ର ଦାସ ନାହାଦା ହୁଡ଼ାରେ ପ୍ରାଚୀନ ସଭ୍ୟତାର ସନ୍ଧାନ ପାଇଥିବା ନେଇ ଭୁବନେଶ୍ୱର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାକୁ ଜଣାଇଥିଲେ। ପରେ ଉତ୍‍ଖନନ ଶାଖା-୪ର ଅଧିକ୍ଷକ ଡ଼ଃ ଡ଼ି.ବି. ଗଡ଼ନାୟକଙ୍କ ନେତୃତ୍ୱରେ ଏକ ଦଳ ସେଠାକୁ ଯାଇ ଅନୁଧ୍ୟ୍ୟାନ କରିଛନ୍ତି। ୧୫ ଏକର ପରିମିତ ଏବଂ ୪ ମିଟର ଉଚ୍ଚତା ବିଶିଷ୍ଟ ଏହି ସ୍ଥାନଟି ମାଧବ ଆହାର ପୋଖରୀର ନିମ୍ନଭାଗ, ପ୍ରାଚୀ ଓ ତଅଁଳା ନଦୀର ମଧ୍ୟବର୍ତ୍ତୀ ଅଞ୍ଚଳ ହୋଇଥିବା ବେଳେ ଏହାର ଉପରିଭାଗରୁ ମିଳିଥିବା ନାଲି, କଳା ଓ ଧୂସର ରଙ୍ଗର ଲେପ ଦିଆଯାଇଥିବା ଓ ତା’ ଉପରେ ବିଭିନ୍ନ ରେଖାଚିତ୍ର ଖୋଦିତ ହୋଇଥିବା ଭଗ୍ନ ମାଟିପାତ୍ର, ଏହି ପାତ୍ରକୁ ଚିକ୍କଣ କରିବା ପାଇଁ ପ୍ରସ୍ତର ଖଣ୍ଡ, ପ୍ରସ୍ତର ନିର୍ମିତ ମାଳି, ପକ୍ଷୀ ଶିକାର ପାଇଁ ବ୍ୟବହୃତ ବାଟୁଳିଗୁଲି ଆଦି ମିଳିଛି। ଏହିସବୁ ପ୍ରାଚୀନ ସାମଗ୍ରୀଗୁଡ଼ିକ ୨୦୦୦ରୁ ୨୫୦୦ ବର୍ଷର ପୁରୁଣା ବୋଲି ଅନୁମାନ କରାଯାଉଛି।
ଏ ସମ୍ପର୍କରେ ଭୁବନେଶ୍ୱରସ୍ଥିତ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ଉତ୍‍ଖନନ ଶାଖା-୪ର ଅଧିକ୍ଷକ ଡ଼ଃ ଗଡ଼ନାୟକଙ୍କୁ ପଚାରିବାରୁ ଆମେ ନାହାଦା ହୁଡ଼ା ଅଞ୍ଚଳ ପରିଦର୍ଶନ କରିଛୁ। ସେଠାକାର ଉପରିଭାଗରୁ ମିଳିଥିବା ସାମଗ୍ରୀରୁ ଏଠାରେ ପ୍ରାଚୀନ ସଭ୍ୟତା ଥିବା ଅନୁମାନ କରାଯାଉଛି। ଆଗାମୀଦିନରେ ଅଧିକ ଅନୁସନ୍ଧାନ କରାଯାଇ ପରବର୍ତ୍ତୀ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି କହିଥିଲେ।

Leave A Reply