କେଉଁ ଲୁଣ ସ୍ବାସ୍ଥ୍ୟ ପାଇଁ ସର୍ବୋତ୍ତମ?

0

ଖାଦ୍ୟ ବିଶେଷଜ୍ଞଙ୍କ ମତରେ ବଜାରରେ ଆଜିକାଲି ବିଭିନ୍ନ ପ୍ରକାରର ଲୁଣ ଉପଲବ୍ଧ ରହୁଛି। ସାଧାରଣ ବର୍ଗର ଲୋକ ଅନେକ ସମୟରେ କେଉଁ ପ୍ରକାର ଲୁଣ କିଣି ଖାଦ୍ୟରେ ଉପଯୋଗ କରିବେ, ତାହା ଜାଣିପାରୁନାହାନ୍ତି। ଦିଲ୍ଲୀର ନାମୀ ଖାଦ୍ୟ ବିଶେଷଜ୍ଞ ଅତୁଲ ରୋଇତେ ଏ ସଂକ୍ରାନ୍ତରେ ଜନସାଧାରଣଙ୍କୁ ଉଚିତ୍ ପରାମର୍ଶ ଦେଇଛନ୍ତି। ବିଭିନ୍ନ ପ୍ରକାର ଲୁଣ ମଧ୍ୟରୁ ଟେବୁଲ ସଲ୍ଟ, ସୈନ୍ଧବ ଲୁଣ, କଳା ଲୁଣ, ଲୋ-ସୋଡିୟମ୍ ସଲ୍ଟ, ସି ସଲ୍ଟ ଅନ୍ୟତମ।

ସଂଖ୍ୟାଧିକ ଲୋକ ଟେବୁଲ ସଲ୍ଟ ହିଁ ଖାଦ୍ୟପାନୀୟରେ ଉପଯୋଗ କରିଥାନ୍ତି। ଏଥିରେ ଥିବା ପର୍ୟ୍ୟାପ୍ତ ପରିମାଣର ଆୟୋଡିନ୍ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଆବଶ୍ୟକ ଓ ସୀମିତ ପରିମାଣରେ ଏହାର ଉପଯୋଗ କଲେ ସେଭଳି କ୍ଷତି ହୋଇନଥାଏ। ହେଲେ ଅଧିକ ପରିମାଣରେ ଉପଯୋଗ କଲେ ତାହା ବିଭିନ୍ନ ସମସ୍ୟା ଶରୀରରେ ସୃଷ୍ଟି କରୁଥିବାର ବିଶେଷଜ୍ଞଙ୍କ ପରୀକ୍ଷାରୁ ଜଣାପଡ଼ିଛି। ଏହି ଲୁଣର ଅଧିକ ଉପଯୋଗ ଆମ ହାଡ଼କୁ ଦୁର୍ବଳ କରିଥାଏ। ଏଣୁ ବେଳହୁଁ ଟେବୁଲ ସଲ୍ଟର ଉପଯୋଗରୁ ସଚେତନ ରହିବା ଆବଶ୍ୟକ।

ସୈନ୍ଧବ ଲୁଣ ରକ୍ ସଲ୍ଟ ନାମରେ ମଧ୍ୟ ଜଣାଯାଏ। ଏଥିରେ କ୍ୟାଲସିୟମ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଅଧିକ ପରିମାଣରେ ଥାଏ। ହୃଦ୍ ରୋଗୀ ଓ ବୃକକ୍ ରୋଗୀ ସୈନ୍ଧବ ଲୁଣ ପ୍ରସ୍ତୁତ ବ୍ୟଞ୍ଜନ ଖାଇବା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ।

କଳା ଲୁଣ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଉପକାରୀ। ତେବେ ଏଥିରେ ଥିବା ଫ୍ଲୋରାଇଡ୍ କାରଣରୁ କଳା ଲୁଣ ଅଧିକ ପରିମାଣରେ ଉପଯୋଗ କରିବା ମଧ୍ୟ ଶରୀରକୁ ହାନି ପହଞ୍ଚାଉଥିବାର ବିଶେଷଜ୍ଞଙ୍କ ମତ।

ରକ୍ତଚାପ ରୋଗୀ, ହୃଦ୍ ରୋଗୀ, ମଧୁମେହ ରୋଗୀ ଲୋ-ସୋଡିୟମ୍ ସଲ୍ଟର ଉପଯୋଗ ଖାଦ୍ୟପାନୀୟରେ କରିବା ନିମନ୍ତେ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି। ଏହା ସେମାନଙ୍କ ଶରୀର ଉପରେ ଉତ୍ତମ ପ୍ରଭାବ ପକାଇଥାଏ।

ବାଷ୍ପୀକରଣ ଉପାୟରେ ପ୍ରସ୍ତୁତ ସି-ସଲ୍ଟ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଭଲ। ହେଲେ ବିଶେଷଜ୍ଞଙ୍କ ପରାମର୍ଶରେ ଏହା ସେବନ କରିବା ଉଚିତ।

Leave A Reply