ସ୍ୱୟଂଚାଳିତ ରକ୍ତନମୁନା ପରୀକ୍ଷାଯନ୍ତ୍ରର ଲୋକାର୍ପଣ

0

ବଡ଼ମ୍ବା  : ପ୍ରଥମକରି ଗ୍ରାମାଞ୍ଚଳରେ ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ କିଡ୍‍ନୀ ରୋଗ ନିରାକରଣ ନିମନ୍ତେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯାଇଛି। ବଡ଼ମ୍ବା-ନରସିଂହପୁର ବ୍ଲକରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ୬୦୩ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପ ଲାଗି ଶିଳାନ୍ୟାସ ଏବଂ ଲୋକାର୍ପଣ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, କଟକ ସାଂସଦ ଭର୍ତ୍ତୃହରି ମହତାବ, ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ ଏହି ସବୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।
ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନା ଏବଂ ବିଶିଷ୍ଟ ଅତିଥି ଭାବେ ସାଂସଦ ଶ୍ରୀ ମହତାବ ଯୋଗଦେଇଥିଲେ। ପ୍ରଥମେ ମାଣିଆବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏବଂ ପରେ ବଡ଼ମ୍ବା ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱୟଂଚାଳିତ ରକ୍ତନମୁନା ପରୀକ୍ଷାଯନ୍ତ୍ର (ଅଟୋ ଆନାଲାଇଜର୍‍)ର ଲୋକାର୍ପଣ କରାଯିବା ସହ ୧୫୩.୫୦ ଲକ୍ଷ ଟଙ୍କାରେ ଉଭୟ ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତିକରଣ ପାଇଁ ଶିଳାନ୍ୟାସ କରାଯାଇଥିଲା। ଖୁବ୍‍ଶୀଘ୍ର ବଡ଼ମ୍ବା ତଥା ନରସିଂହପୁର ଅଞ୍ଚଳବାସୀ କିଡ୍‍ନୀ / ହାର୍ଟ ତଥା ଡାଇବେଟିସ୍‍ ରୋଗ ନିରୂପଣ ଏବଂ ଆବଶ୍ୟକ ଚିକିତ୍ସା ପରାମର୍ଶ ସହିତ ଆଶୁଚିକିତ୍ସା ପାଇବା ଦିଗରେ ମାଗଣା ଚିକିତ୍ସାସେବା ପାଇପାରିବେ ବୋଲି ବିଧାୟକ ଶ୍ରୀ ମିଶ୍ର ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲା ମୁଖ୍ୟଚିକିତ୍ସାଧିକାରୀ ଡା. ବିଭୂତିଭୂଷଣ ନାୟକ, ଆଠଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଡା.ବିଜୟ କୁମାର ମିଶ୍ର, ଜିଲା ଜନସ୍ୱାସ୍ଥ୍ୟ ବିଭାଗ ଉପମୁଖ୍ୟ ଚିକିତ୍ସାଧିକାରୀ ଡା. କଲ୍ଲିମୁଲ୍ଲା ଖାଁ, ମାଣିଆବନ୍ଧ ଡାକ୍ତରଖାନା ମୁଖ୍ୟ ଚିକିତ୍ସାଧିକାରୀ ଡା.ସଂକଳ୍ପ କେଶରୀ ଭୋଳ, ବଡ଼ମ୍ବା ଡାକ୍ତରଖାନାର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା.ବିଶ୍ୱନାଥ ଆଢେକ୍‍, ଡା. ଦୋଳଗୋବିନ୍ଦ ଜେନା, ବଡ଼ମ୍ବା ବ୍ଳକଅଧ୍ୟକ୍ଷା ଅନସୂୟା ନାଏକ, ବିଡିଓ ସଦାନନ୍ଦ ସେଠୀ, ତହସିଲଦାର ଅନିଲ କୁମାର ପଟ୍ଟନାୟକ, ବ୍ଳକ ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ, ସାମାଜିକ କର୍ମୀ ରବୀନ୍ଦ୍ର କୁମାର ସାହୁ, ସୁବାସଚନ୍ଦ୍ର ସାହୁ, ପ୍ରଦୀପ୍ତ କୁମାର ସ୍ୱାଇଁ, ସରୋଜ କୁମାର ପଟ୍ଟନାୟକଙ୍କ ସମେତ ସ୍ଥାନୀୟ ଅଂଚଳର ବହୁ ବୁଦ୍ଧିଜୀବୀ ଏବଂ ଜନପ୍ରତିନିଧି ଯୋଗଦେଇଥିଲେ।

Leave A Reply