ଧାମରାରେ ବଧୂ ହତ୍ୟା ଅଭିଯୋଗ

0

ଧାମରା : ଭଦ୍ରକ ଜିଲା ଧାମରା ନିକଟସ୍ଥ କରଣପଲ୍ଲୀ ଠାରେ ଜଣେ ବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାମ ସବିତା ବାରିକ(୨୫)। ସବିତା ବାରିକଙ୍କ ଭାଇ ବାଂଶଡା ଥାନାରେ ନିଜ ଭଉଣୀକୁ ଶାଶୁ ଘର ଲୋକ ମାନେ ମାରି ଟଙ୍ଗାଇ ଦେଇଥିବା ଏକ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, ଶନିବାର କରଣପଲ୍ଲୀ ଠାରେ ସବିତା ବାରିକଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଜବତ କରି ବ୍ୟବଛେଦ ପାଇଁ ପଠାଇ ଦେଇଥିବା ବେଳେ ସବିତାଙ୍କ ସ୍ୱାମୀ ତପନ ବାରିକଙ୍କୁ ବାଂଶଡା ପୁଲିସ ଡାକି ପଚରା ଉଚରା କରିବା ବେଳେ ସ୍ୱାମୀ ସ୍ତ୍ରୀଙ୍କ ମନୋ ମାଳିନ୍ୟ ଏବଂ ସାମାନ୍ୟ ଝଗଡା ପାଇଁ ସବିତା ଏକ ନିଛାଟିଆ ଘରେ ନିଜେ ଆତ୍ମହତ୍ୟା କରିଥିବା କଥା ତପନ କହିଥିଲା। ମାତ୍ର ସବିତାଙ୍କ ଭାଇଙ୍କ କହିବା ଅନୁଯାୟୀ ଦୀର୍ଘ ୫ବର୍ଷ ହେବ ତପନ ପ୍ରତିଦିନ ସବିତା ସହ ଝଗଡା କରି ଜୀବନରୁ ମାରି ଦେବାକୁ ଧମକ ଦେଉଥିଲା। ଏହାକୁ କେନ୍ଦ୍ର କରି ସବିତା ନିଜ ବାପ ଘରକୁ ଯାଇ ସମସ୍ତ କଥା କହିଥିଲେ ମଧ୍ୟ ସବିତାଙ୍କ ଭାଇ ଆସି ସବୁ ବେଳେ ଝଗଡାର ସମାଧାନ କରୁଥିଲେ। ସବିତାଙ୍କ ସ୍ୱାମୀ ତପନ ଜାଣିଶୁଣି ସବିତାକୁ ମାରି ଦେଇ ଆତ୍ମହତ୍ୟାର ରୂପ ଦେଉଥିବା କଥା ସେ ଅଭିଯୋଗ କରିଥିଲେ। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ବାସ୍ତବ ତଥ୍ୟ ଲୋକ ଲୋଚନକୁ ଆସିବ ବୋଲି ତଦନ୍ତ ଦାୟିତ୍ୱରେ ଥିବା ଥାନା ଅଧିକାରୀ ମତ ରଖିଛନ୍ତି।

Leave A Reply