୪୭୨ ବିଲୁପ୍ତ ଧାନ ସଂରକ୍ଷିତ

0

ନୟାଗଡ଼ : ଦେଶୀ ପ୍ରଜାତିର ଧାନ ବିହନ ଏବେ ଏକ ପ୍ରକାର ଲୋପ ପାଇଯାଇଥିଲାବେଳେ ପୁଣି ଏହି ପାରମ୍ପରିକ ବିହନ କିଭଳି ଚାଷୀଙ୍କ ଦ୍ୱାରା ପୁଣି ଆଦୃତ ହୋଇପାରିବ ସେଥିପାଇଁ ଏକନିଷ୍ଠ ପ୍ରୟାସ ଜାରି ରଖିଛନ୍ତି ଜଣାଶୁଣା ସାମାଜିକ କର୍ମୀ ସାବରମତୀ। ବୁଡ଼ି ଯାଉଥିବା ଦେଶୀ ବିହନର ସଂରକ୍ଷଣ, ଗବେଷଣା ଏବଂ ପ୍ରସାର ନିମନ୍ତେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ନିରବ ସାଧିକା ସାବରମତୀଙ୍କ ଐକାନ୍ତିକ ଏବଂ ଉତ୍ସର୍ଗୀକୃତ ପ୍ରୟାସ ଏବେ ଆଶାର ଆଲୋକବର୍ତ୍ତିକା ସୃଷ୍ଟି କରିଛି। ଏକ ହଜାରରୁ ଊର୍ଦ୍ଧ୍ବ ଦେଶୀଧାନ ବିହନ ସମ୍ପୂର୍ଣ୍ଣ ଭାବେ ବୁଡ଼ିଯାଇଥିଲାବେଳେ ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ରୋହିବାଙ୍କ ଗ୍ରାମରେ ‘ସମ୍ଭବ’ ନାମକ ଏକ ଅନୁଷ୍ଠାନ ରହିଛି। ସାବରମତୀ ‘ସମ୍ଭବ’ ଫାର୍ମ ହାଉସରେ ୪୭୨ପ୍ରକାର ଦେଶୀ ବିହନର ସଂରକ୍ଷଣ କରି ଏସବୁର ଚାଷ କରିବା ନିମନ୍ତେ ଚାଷୀଙ୍କୁ ଉତ୍ସାହିତ କରିବା ଏକ ଉଲ୍ଲେଖନୀୟ ଘଟଣା। ଦେଶର ଏହା ହେଉଛି ଏକମାତ୍ର ଅନୁଷ୍ଠାନ ଯେଉଁଠି ଏତେ ପ୍ରକାରର ଧାନକୁ କେବଳ ‘ଶ୍ରୀ ପଦ୍ଧତି’ରେ ଚାଷ କରାଯାଉଛି ବୋଲି ସାବରମତୀ ସୂଚନା ଦେଇଛନ୍ତି।
ଏହି ପ୍ରଣାଳୀ ଦ୍ୱାରା ଅତି ସ୍ୱଳ୍ପ ପରିମାଣର ବିହନ ଖର୍ଚ୍ଚ ହେଉଥିଲାବେଳେ ଖର୍ଚ୍ଚ ମଧ୍ୟ ଅପେକ୍ଷାକୃତ କମ୍‍ ଖର୍ଚ୍ଚ ହୋଇଥାଏ ବୋଲି ସେ କହିଛନ୍ତି। ତେବେ ଚାଷୀମାନେ ଏ ସମ୍ପର୍କରେ ଅଜ୍ଞ ଥିବାରୁ ଦେଶୀଧାନ ଚାଷକୁ ଆପଣେଇ ପାରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସରକାରୀ ଧାନ ଚାଷ କରିବା ପାଇଁ ପ୍ରଶାସନ ପକ୍ଷରୁ ଯେଭଳି ବ୍ୟାପକ ପ୍ରଚାର ଓ ପ୍ରୋତ୍ସାହନ ଦିଆଯାଇ ଚାଷୀମାନଙ୍କୁ ପ୍ରରୋଚିତ କରାଯାଉଛି ସେହି ପରିପ୍ରେକ୍ଷୀରେ ଦେଶୀ ଧାନ ଚାଷ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉ ନ ଥିବାରୁ ଏଥିପାଇଁ ସାବରମତୀ ଗଭୀର କ୍ଷୋଭ ଏବଂ ଉଦ୍‍ବେଗ ପ୍ରକାଶ କରିଛନ୍ତି। ସରକାରୀ ଧାନର ଚାଉଳ ଖାଇବା ଦ୍ୱାରା ରକ୍ତଚାପ, ହୃଦ୍‍ ସମସ୍ୟା, କ୍ୟାନସର ସମେତ ଅନ୍ୟାନ୍ୟ ଦୁରାରୋଗ୍ୟ ଅଧିକ ହେଉଥିବାର ସାବରମତୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଦେଶୀ ଚାଉଳ ଖାଇବା ଦ୍ୱାରା ବହୁ ରୋଗରୁ ନିସ୍ତାର ଏବଂ ଉପଶମ ମିଳିଥାଏ ବୋଲି ସେ କହିଛନ୍ତି। ସେହିଭଳି ଦେଶୀ ଧାନର ଲିଆ, ମୁଢ଼ି, ଚୁଡ଼ା, ଖିରି ଏବଂ ଭାତର ସ୍ୱାଦ ମଧ୍ୟ ସ୍ୱତନ୍ତ୍ର ଅଟେ। ଗୋଟିଏ ଉଦାହରଣ ଦେଇ ସାବରମତୀ କହିଛନ୍ତି ଯେ କଳା ଧାନର ଚାଉଳ ଖାଇଲେ ଚକ୍ଷୁ ରୋଗରୁ ଲୋକଙ୍କୁ ମୁକ୍ତି ମିଳିଥାଏ। ତେବେ ସରକାରୀ ଧାନ ଚାଷ ପାଇଁ ରାସାୟନିକ ସାର,କୀଟନାଶକ ସମେତ ଅଧିକ ଜଳର ଆବଶ୍ୟକତା ପଡ଼ିଥାଏ। ଅନ୍ୟପକ୍ଷରେ ଦେଶୀଧାନ ଚାଷ ପାଇଁ ଏସବୁର ମୋଟ ଉପରେ ଆବଶ୍ୟକ ନ ଥାଏ। ଜୈବିକ ସାର ଦ୍ୱାରା ଦେଶୀଧାନ ଚାଷ କରାଯାଉଥିବାରୁ ଏହାର ଗୁଣବତ୍ତା ଏବଂ ପୋଷକତତ୍ତ୍ୱ ଅଧିକ ଥାଏ। ସେହିଭଳି ସରକାରୀ ଧାନଚାଷ କେବଳ ମଣିଷ ନୁହେଁ ପାରିପାର୍ଶ୍ବିକ ପରିବେଶର ମଧ୍ୟ ଯଥେଷ୍ଟ କ୍ଷତି ଘଟାଇଥାଏ। ଅନ୍ୟପକ୍ଷରେ ସରକାରୀ ଧାନ ଅପେକ୍ଷା ଦେଶୀଧାନର ଝଡ଼ବତାସ, ମରୁଡ଼ି, ପୋକ ଆକ୍ରମଣ ସହଣିଶକ୍ତି ଅଧିକ ଅଟେ। ଚାଷୀମାନେ ମଧ୍ୟ କମ୍‍ ଖର୍ଚ୍ଚ କରି ଦେଶୀ ଧାନ ଚାଷ କରିଥାନ୍ତି। ମାତ୍ର ସେହି ଅନୁପାତରେ ସରକାରୀ ଧାନ ପାଇଁ ଅଧିକ ପରିଶ୍ରମ ଏବଂ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଥାଏ। ତେବେ ସରକାରୀ ପ୍ରୋତ୍ସାହନ ଅଭାବରୁ ଆମ ରାଜ୍ୟ ନୁହେଁ ସମଗ୍ର ଦେଶକୁ ଦେଶୀଧାନ ଚାଷ ଏକ ପ୍ରକାର ଲୋପ ପାଇଯାଇଥିବା ସେ କହିଛନ୍ତି। ବରଗଡ଼କୁ ଓଡ଼ିଶାର ଭାତ ହାଣ୍ଡି ବୋଲି କୁହାଯାଇଥାଏ। ଏଠାରେ ବ୍ୟାପକ ପରିମାଣର ସରକାରୀ ଧାନ ଚାଷ କରାଯାଇଥାଏ। ଏହି ଧାନଚାଷରେ ପ୍ରଚୁର କୀଟନାଶକ ଏବଂ ରାସାୟନିକ ସାର ବ୍ୟବହାର କରାଯାଉଥିବାର ଏହାର ନକାରାତ୍ମକ ପ୍ରଭାବ ସ୍ଥାନୀୟ ଚାଷୀମାନଙ୍କ ଉପରେ ସିଧାସଳଖ ପଡୁଛି ବୋଲି ସେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଏହି ଜିଲାରେ ଚାଷୀମାନେ ଅଧିକ ସଂଖ୍ୟାରେ କ୍ୟାନସର ରୋଗରେ ପୀଡ଼ିତ ବୋଲି ସାବରମତୀ ଅଭିଯୋଗ କରିଛନ୍ତି। ଗହମ ଚାଷରେ ମଧ୍ୟ ଅନୁରୂପ ଭାବେ ବ୍ୟାପକ ସାର ଏବଂ କୀଟନାଶକ ବ୍ୟବହାର କରାଯାଉଥିବାରୁ ଏହାର ପ୍ରଭାବ ଖାଉଟିମାନଙ୍କ ଉପରେ ପଡୁଛି। ତେବେ ଦେଶୀ ଧାନ ଏବଂ ମାଣ୍ଡିଆ ଚାଷ ଆମ ରାଜ୍ୟରେ ପୁଣି ଯେଭଳି ଅଧିକ ପରିମାଣରେ ଚାଷ କରାଯାଇ ଲୋକମାନଙ୍କୁ ବିଷ ବଳୟରୁ ରକ୍ଷା କରାଯାଇ ପାରିବ ସେଥିପାଇଁ ସେ ଅନ୍ୟ ସାମାଜିକ ସଂଗଠନମାନଙ୍କୁ ଆହ୍ୱାନ ଦେଇଛନ୍ତି। ମାଣ୍ଡିଆରେ ଖାଦ୍ୟଗୁଣ ଧାନ ଓ ଗହମ ଠାରୁ ଯଥେଷ୍ଟ ଅଧିକ ଥିବାରୁ ଏ ସମ୍ପର୍କରେ ଅଧିକ ପ୍ରଚାର ପ୍ରସାର ଆବଶ୍ୟକ ରହିଛି ବୋଲି ସେ ମତ ଦେଇଛନ୍ତି। କେବଳ ଦେଶୀ ଧାନ ନୁହେଁ ଦେଶୀ ପନିପରିବା, ଫଳମୂଳ ଚାଷ କରିବା ପାଇଁ ମଧ୍ୟ ସାବରମତୀଙ୍କ ଉଦ୍ୟମ ଅବ୍ୟାହତ ରହିଛି। ୮୦ରୁ ଊର୍ଦ୍ଧ୍ବ ପ୍ରଜାତିର ଦେଶୀ ପନିପରିବା, ଫଳମୂଳ ଉପରେ ତାଙ୍କର ଗବେଷଣା ଓ ସଂରକ୍ଷଣ କାର୍ଯ୍ୟ ଚାଲୁ ରହିଛି। ସେହିଭଳି ଜିଲାର ଅନ୍ୟତମ ଅଗ୍ରିମ ସାମାଜିକ ସଂଗଠନ ‘ଭିଲେଜ ମାର୍ଟ’ ପକ୍ଷରୁ ଦେଶୀଧାନର ସଂରକ୍ଷଣ ଏବଂ ପ୍ରସାର ଉପରେ କାର୍ଯ୍ୟାରମ୍ଭ କରାଯାଇଥିବା ବିଷୟ ସଂସ୍ଥାର ନିର୍ଦେଶକ ଡ଼ଃ.ରମେଶ ଚନ୍ଦ୍ର ବିଶ୍ୱାଳ ସୂଚନା ଦେଇଛନ୍ତି। ଆମେରିକା ଫେରନ୍ତା ବିଶିଷ୍ଟ ଯୁବ ବୈଜ୍ଞାନିକ ଡ଼ଃ.ବିଶ୍ୱାଳ ସାବରମତୀଙ୍କ ଏଭଳି ଉଦ୍ୟମ ଓ ପ୍ରୟାସରୁ ଅନୁପ୍ରେରଣା ଲାଭ କରି ଦେଶୀ ଧାନର ସଂରକ୍ଷଣ ଉପରେ କାର୍ଯ୍ୟାରମ୍ଭ କରିଥିବାର ପ୍ରକାଶ କରିଛନ୍ତି।

Leave A Reply