ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ଏବଂ ଜେଡିଏସ୍‍ ନେତା, ୧୧୭ ବିଧାୟକଙ୍କ ତାଲିକା ଦେଲେ

0

ବେଙ୍ଗାଲୁରୁ : କଂଗ୍ରେସ ଏବଂ ଜେଡିଏସ୍‍ ନେତା ବୁଧବାର କର୍ଣ୍ଣାଟକ ରାଜ୍ୟପାଳ ବିଜୁଭାଇ ବାଲାଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି। ଏହାସହ ଉଭୟ ଦଳ ୧୧୭ ବିଧାୟକଙ୍କ ସମର୍ଥନପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି। ଜେଡିଏସ୍‍ ପକ୍ଷରୁ ଏଚ୍‍.ଡି କୁମାରସ୍ୱାମୀ ଏବଂ କଂଗ୍ରେସ ପକ୍ଷରୁ ପରମେଶ୍ୱର ରାଜ୍ୟପାଳଙ୍କୁ ଭେଟି ସରକାର ଗଠନର ଦାବି ରଖିଥିଲେ। ସରକାର ଗଢିବା ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ସମର୍ଥନ ରହିଛି ଓ ଏନେଇ ଆମେ କାଗଜପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛୁ ବୋଲି କୁମାରସ୍ୱାମୀ କହିଛନ୍ତି। ସମ୍ବିଧାନ ଅନୁସାରେ ବିଚାର କରିବେ ବୋଲି ରାଜ୍ୟପାଳ ସେମାନଙ୍କୁ ଆଶ୍ୱାସନା ଦେଇଥିବା କୁମାରସ୍ୱାମୀ ପ୍ରକାଶ କରିଛନ୍ତି। କଂଗ୍ରେସ ନେତା ଡିକେ ଶିବକୁମାର ମଧ୍ୟ କୁମାରସ୍ୱାମୀଙ୍କ କଥାକୁ ଦୋହରାଇଛନ୍ତି। ରାଜ୍ୟପାଳ ସେମାନଙ୍କୁ ଆଶ୍ୱାସନା ଦେଇଥିବା ପ୍ରକାଶ କରିଛନ୍ତି। ଉଲ୍ଲେଖ ଯେ ନିର୍ବାଚନ ଫଳାଫଳ ଅନୁସାରେ କୌଣସି ରାଜନୈତିକ ଦଳକୁ ସରକାର ଗଠନ ପାଇଁ ପୂର୍ଣ୍ଣ ବହୁମତ ମିଳିନାହିଁ। ମୋଟ ୨୨୨ଆସନରୁ ବିଜେପିକୁ ୧୦୪ଟି ଆସନ ମିଳିଥିବାବେଳେ କଂଗ୍ରେସକୁ ୭୮ ଓ ଜେଡି(ଏସ୍‍)କୁ ୩୮, ସ୍ୱାଧୀନ ଓ ଅନ୍ୟାନ ଦୁଇଟି ଆସନରେ ବିଜୟୀ ହୋଇଛନ୍ତି। ଏପଟେ ଏକକ ସଂଖ୍ୟାଗରିଷ୍ଠ ଦଳର ନେତା ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‍ ୟେଦୁରାପ୍ପା ମଧ୍ୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଦାବି ଉପସ୍ଥାପନ କରିଛନ୍ତି। ତାଙ୍କ ପାଖରେ ଆବଶ୍ୟକ ବିଧାୟକଙ୍କ ସମର୍ଥନ ରହିଛି ଓ ସେ ଗୁରୁବାର ଶପଥ ନେବେ ବୋଲି ପ୍ରକାଶ କରିଛନ୍ତି। ଫଳ ପ୍ରକାଶନ ପରେ ମଙ୍ଗଳବାର କଂଗ୍ରେସ ସହାୟତାରେ ଏଚ୍‍.ଡି କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ ଜେଡିଏସ୍‍ ସରକାର ଗଠନ ପାଇଁ ରାଜ୍ୟପାଳ ବିଜୁଭାଇ ବାଲାଙ୍କ ନିକଟରେ ତୁରନ୍ତ ଦାବି ଉପସ୍ଥାପନ କରିଥିଲା। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ବିଜେପିକୁ ସରକାର ଗଠନରୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ତୁରନ୍ତ ଜେଡି(ଏସ୍‍)କୁ ସମର୍ଥନ ଘୋଷଣା କରିବାର ପ୍ରସ୍ତାବ ଦେବା ଫଳରେ ଖେଳ ବଦଳିଯାଇଛି। ସୋନିଆ ତାଙ୍କ ପ୍ରସ୍ତାବରେ କୁମାରସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ କରି ମିଳିତ ସରକାର ଗଠନ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହାରି ବଳରେ ତୃତୀୟ ସ୍ଥାନରେ ରହି ‘କିଙ୍ଗ୍‍ ମେକର୍‍’ ହେବାକୁ ଥିବା ଜେଡିଏସ୍‍ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଛି।
ଉଲ୍ଲେଖଯୋଗ୍ୟ କି ପାଞ୍ଚ ବର୍ଷର ବ୍ୟବଧାନ ପରେ ବିଜେପି ଦାକ୍ଷିଣାତ୍ୟ ରାଜନୀତିରେ ପୁଣିଥରେ ପ୍ରଭାବ ଜାହିର କରିଛି। ୨୦୦୮ରେ ପ୍ରଥମ ଥର ପାଇଁ ପ୍ରଥମ ଦାକ୍ଷିଣାତ୍ୟ ରାଜ୍ୟ ଭାବେ କର୍ଣ୍ଣାଟକରେ ବିଜେପି ୟେଦୁରାପ୍ପାଙ୍କ ନେତୃତ୍ୱରେ ସରକାର ଗଠନ କରିଥିଲା। ଏବେ ପୁନର୍ବାର ତାଙ୍କରି ନେତୃତ୍ୱରେ କ୍ଷମତାକୁ ଫେରିବା ପାଇଁ ପ୍ରୟାସ ଚଳାଇଛି। ଏଥିରେ ସଫଳ ହେଲେ ବିଜେପିକୁ ଦାକ୍ଷିଣାତ୍ୟରେ ପ୍ରଭାବ ବିସ୍ତାର ପାଇଁ ସୁଯୋଗ ମିଳିଯିବ। ଅପରପକ୍ଷରେ କଂଗ୍ରେସର ସର୍ବଭାରତୀୟ ସଭାପତି ହେବା ପରେ ରାହୁଲ ଗାନ୍ଧି ତାଙ୍କ ପ୍ରଥମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରି ନାହାନ୍ତି। ଫଳରେ କଂଗ୍ରେସ ହାତରୁ ଆଉଗୋଟିଏ ରାଜ୍ୟ ଖସିଯାଇ କେବଳ ପଞ୍ଜାବ, ପୁଡୁଚେରୀ ଓ ମିଜୋରାମରେ ସୀମାବଦ୍ଧ ରହିଛି।

Leave A Reply