ଛାତ୍ର କଂଗ୍ରେସର ବିକ୍ଷୋଭ ବେଳେ ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ

0

ଭୁବନେଶ୍ୱର: ଗୋଟିଏ ମଞ୍ଚରେ ଗୋଲଡେନ ବାବାଙ୍କ ସହ ଭୁବନେଶ୍ବର ମେୟର କମ୍ବଳ ବାଣ୍ଟୁ ଥିବା ଫଟୋ ଭାଇରାଲ ହେବା ପରେ ବିଜେଡି ସହ ଗୋଲଡେନ ବାବାର ଲିଙ୍କ ଅଭିଯୋଗରେ ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ବିଜେଡି ନେତାମାନଙ୍କ ସହ ଗୋଲଡେନ ବାବାର ସମ୍ପର୍କ ଥିବା ନେଇ ଏହି ଫଟୋରୁ ସ୍ପଷ୍ଟ ହେଉଛି ବୋଲି ଛାତ୍ର କଂଗ୍ରେସ ଅଭିଯୋଗ କରିଛି । ଏହାକୁ ନେଇ ଛାତ୍ର କଂଗ୍ରେସ ଶୁକ୍ରବାର ସକାଳେ କଂଗ୍ରେସ ଭବନରୁ ଏକ ରାଲିରେ ବାହାରିଥିଲେ । ରାଲିରେ ଯାଇ ନବୀନ ନିବାସ ଘେରଉ କରିବାକୁ ଉଦ୍ୟମ କରିବା ବେଳେ ଶିଶୁ ଭବନ ଛକ ନିକଟରେ ପୁଲିସ ସେମାନଙ୍କୁ ଅଟକାଇ ଥିଲା । ଫଳରେ ଘଟଣାସ୍ଥଳରେ ପୁଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଥିଲେ । ଛାତ୍ର କଂଗ୍ରେସ କର୍ମୀ ମାନେ ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଚେଷ୍ଟା କରିବା ବେଳେ ପୁଲିସ ସହ ଧସ୍ତାଧସ୍ତି ମଧ୍ୟ ହୋଇଥିଲେ । ବିକ୍ଷୋଭକାରୀମାନେ ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ କରିଥିଲେ । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁଲିସ ଶତାଧିକ ବିକ୍ଷୋଭକାରୀଙ୍କୁ ଅଟକ ରଖିଥିବା ଜଣାପଡିଛି ।

Leave A Reply