ରିଜର୍ଭ ବ୍ୟାଙ୍କ ଆଗରେ କଂଗ୍ରେସର ପ୍ରତିବାଦ

0

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇବର୍ଷ ତଳେ ନେଇଥିବା ବିମୁଦ୍ରାୟନ ପଦକ୍ଷେପ ଦେଶ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସାଧାରଣ ଲୋକେ ତଳିତଳାନ୍ତ ହୋଇଛନ୍ତି। ଶତାଧିକ ଲୋକ ମରିଛନ୍ତି କିନ୍ତୁ ଏହାର ଫାଇଦା ଦେଶବାସୀଙ୍କୁ କିଛି ମିଳିଲା ନାହିଁ। ଯାଦୁକର ମୋଦୀ ଯେଉଁଭଳି ଭାବେ ସଫଳତାର ସ୍ୱପ୍ନ ଦେଖାଇଥିଲେ ତାହା ପ୍ରହେଳିକାରେ ପରିଣତ ହୋଇଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।
ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ସ୍ଥାନୀୟ ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଅନୁଷ୍ଠିତ ଧାରଣା ଓ ବିକ୍ଷୋଭରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଆଜିର ଦିନରେ ପ୍ରଧାନମନ୍ତ୍ରୀ କଳାଟଙ୍କା କାରବାର ବନ୍ଦ କରିବା ଏବଂ ଦେଶରେ ଜାଲନୋଟ୍‍ ପ୍ରଚଳନକୁ ରୋକିବା ଲାଗି ରାତି ଅଧିଆ ନିଷ୍ପତ୍ତି ନେଇଥିଲେ। ସେତେବେଳେ ପ୍ରଚଳିତ ସମସ୍ତ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟକୁ ଅକାମି କରିଦେଲେ। ମୋଦୀଙ୍କର ଏଭଳି ତରବରିଆ ଏବଂ ରାତିଅଧିଆ ତୋଗଲକି ନିଷ୍ପତ୍ତି ଯୋଗୁଁ ଦେଶର ୧୨୫ କୋଟି ଲୋକ ନଗଦ ମୁଦ୍ରା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ମୋଦୀ ଦାବି କରୁଥିବା କଳା ଟଙ୍କା କୁଆଡେ ଗଲା ବୋଲି କଂଗ୍ରେସ ନେତୃବୃନ୍ଦ ପ୍ରଶ୍ନ କରିଥିଲେ। ନୋଟବନ୍ଦୀ କରାଯିବାର ମାସକ ମଧ୍ୟରେ ବଜାରରେ ୨୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍‍ର ଜାଲନୋଟ ମିଳିଲା। ଛଅମାସ ମଧ୍ୟରେ ବିଦେଶରେ ୭ ହଜାର କୋଟି ଟଙ୍କା ଜମା ହେଲା, ଯାହା କଳାଟଙ୍କା ବୋଲି ସୂଚନା ମିଳିଲା। ପ୍ରଧାନମନ୍ତ୍ରୀଙ୍କର ଏଭଳି ନିଷ୍ପତ୍ତିକୁ ଦେଶ ବିଦେଶରେ ବହୁ ବିଶିଷ୍ଟ ଅର୍ଥନୀତିଜ୍ଞ ନିନ୍ଦା କଲେ। କିନ୍ତୁ ବିଜେପି ଠିକ୍‍ ବୋଲି ଦର୍ଶାଇ ପ୍ରଶଂସା ଗୋଟାଇବାର ବୃଥା ପ୍ରୟାସ କଲା। ଏଭଳି ନିଷ୍ପତ୍ତି କାରଣରୁ ଦେଶରେ ବହୁ ଲୋକ ନିଜର କାମଧନ୍ଦା ହରାଇଲେ ଏବଂ ବହୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ତାଲା ଝୁଲିଲା। ମୋଦୀ ନିଜର ଏଭଳି ଏକଚାଟିଆ ଏବଂ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ପାଇଁ ଦେଶବାସୀଙ୍କ ନିକଟରେ କ୍ଷମା ମାଗିବାକୁ କଂଗ୍ରେସ ନେତୃବୃନ୍ଦ ଦାବି କରିଥିଲେ। ମୋଦୀଙ୍କର ଏଭଳି ନିଷ୍ପତ୍ତିକୁ ସେତେବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମର୍ଥନ ଜଣାଇଥିଲେ। ଏଥିରୁ ବିଜେପି ଏବଂ ବିଜେଡି ପରସ୍ପର ନିଷ୍ପତ୍ତିକୁ ସମର୍ଥନ ଜଣାଉଥିବା ଏବଂ ଗୋଟିଏ ମୁଦ୍ରାର ଦୁଇପାର୍ଶ୍ବ ବୋଲି କଂଗ୍ରେସର ବରିଷ୍ଠ ନେତାମାନେ କହିବା ସହିତ ମୋଦୀ ଓ ନବୀନଙ୍କୁ ସମାଲୋଚନା କରିଥିଲେ।
ଏହି ବିକ୍ଷୋଭରେ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, ଏଆଇସିସି ସଂପାଦକ ଶରତ ରାଉତ, ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା, ପିସିସିର ପୂର୍ବତନ ସଭାପତି ଶରତ ପଟ୍ଟନାୟକ ଓ ଜୟଦେବ ଜେନା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ସାଂସଦ ଅନନ୍ତ ସେଠୀ ପ୍ରମୁଖ ସାମିଲ ଥିଲେ।

Leave A Reply