ଖାକିରେ ଦାଗ ! ନକ୍ସଲ ନାଁରେ ଚାନ୍ଦା ଆଦାୟ ଅଭିଯୋଗରେ କନଷ୍ଟେବଳ ଗିରଫ

0

ବିଷମକଟକ: ଖାକିରେ ଲାଗିଛି ଦାଗ। ରାୟଗଡା ଜିଲା ପୁଲିସର ଜଣେ କର୍ତ୍ତବ୍ୟରତ କନଷ୍ଟେବଳ ନକ୍ସଲ ନାମରେ ଜଣେ ବ୍ୟବସାୟୀଙ୍କ ଠାରୁ ଚାନ୍ଦା ମାଗିବା ଅଭିଯୋଗରେ ବିଷମକଟକ ପୁଲିସ ଗିରଫ କରିଛି। ଗିରଫ ହୋଇଥିବା କନଷ୍ଟେବଳଙ୍କ ନାମ ଜି.ଶ୍ରିକାନ୍ତ କୁମାର। ସେ ଜଣେ ଏପିଆର୍‍ କନଷ୍ଟେବଳ ଓ ଜିଲା ଗୁଇନ୍ଦା ବିଭାଗ ଅପରେସନ୍‍ ସେଲ୍‍ରେ କାର୍ଯ୍ୟରତ ଥିଲେ। ଗିରଫ କନଷ୍ଟେବଳ ଜି. ଶ୍ରୀକାନ୍ତ କୁମାରଙ୍କ ଘର ହେଉଛି ରାୟଗଡା ଜିଲା କଲ୍ୟାଣସିଂପୁର ଥାନା ପୂଜାରୀଗୁଡାରେ। ଜିଲା ପୁଲିସ୍‍ ମୁଖ୍ୟାଳୟରୁ ଜାରି ହୋଇଥିବା ପ୍ରେସ୍‍ ବିଜ୍ଞପ୍ତିରୁ ଜଣାଯାଇଛି ଯେ ଗତ ୧୮.୮.୨୦୧୯ରେ ବିଷମକଟକ ଗୋତିଗୁଡା ଗ୍ରାମରେ ଚାଲୁଥିବା ଏକ ପିଚୁ କାରଖାନାର ସୁପରଭାଇଜରକୁ ଜଣେ ଅଜଣା ମୁଖାଧାରୀ ବନ୍ଧୁକ ଦେଖାଇ ଟଙ୍କା ମାଗିଥିଲା। ସେ ନିଜକୁ ନକ୍ସଲ ବୋଲି ପରିଚୟ ଦେବା ସହ ଟଙ୍କା ନ ଦେଲେ ପରିଣାମ ଭୟଙ୍କର ହେବ ବୋଲି ଧମକ ଚମକ ଦେଇଥିଲା। ପୁଣି ଗତ ୪.୯.୨୦୧୯ରେ ଦିନ ସକାଳ ୮ଟା ବେଳେ ଜୟପୁରରେ ରହୁଥିବା ଏହି ପ୍ଲାଣ୍ଟର ମାଲିକ ସାବନ କୁମାର ମହାନ୍ତିଙ୍କୁ ଫୋନ୍‍ ଗଲା ଯେ, ଯଦି ଟଙ୍କା ନ ଦିଅନ୍ତି ତେବେ ତାଙ୍କ ସୁପରଭାଇଜରକୁ ହତ୍ୟା କରାଯିବ ଓ ପ୍ଲାଣ୍ଟକୁ ନିଆଁ ଲଗାଇ ପୋଡି ଦିଆଯିିବ। ଏହି ଘଟଣା ପରେ ପ୍ଲାଣ୍ଟ ମାଲିକ ଗତ ୫ ତାରିଖ ଦିନ ବିଷମକଟକ ପୁଲିସ୍‍ ଥାନାରେ ଏତଲା ଦେଇଥିଲେ। ଏତଲା ପରେ ପୁଲିସ୍‍ ଘଟଣାର ଛାନଭିନ କରି ତଦନ୍ତ ଜାରି ରଖିଥିଲା। ତଦନ୍ତରେ ପୁଲିସ୍‍ ଏହି କାଣ୍ଡରେ କନଷ୍ଟେବଳ ଜି. ଶ୍ରିକାନ୍ତ କୁମାର ଥିବା ଓ ସେ ନିଜକୁ ନକ୍ସଳ ବୋଲି ପରିଚୟ ଦେଇ ଠିକାଦାରଙ୍କ ଠାରୁ ବଟି ଆଦାୟ କରୁଥିବା ଜାଣି ପାରିଥିଲା। ଫଳରେ ଆଜି ଅଭିଯୁକ୍ତ କନଷ୍ଟେବଳକୁ ପୁଲିସ୍‍ ଗିରଫ କରିଛି। ଗିରଫ ପରେ ଅଭିଯୁକ୍ତ ଶ୍ରୀକାନ୍ତକୁ ଡାକ୍ତର ପରୀକ୍ଷା କରାଯିବା ପରେ ଜେଲ୍‍ ହାଜତକୁ ପଠାଇ ଦିଆଯାଇଛି। ଗିରଫ ଶ୍ରୀକାନ୍ତ ଠାରୁ ପୁଲିସ୍‍ ଗୋଟିଏ ୯ଏମ୍‍ଏମ୍‍ ପିସ୍ତଲ, ୨୪ ରାଉଣ୍ଡ ଗୁଳି, ୨ଟି ମେଗାଜିନ୍‍, ୩ଟି ମୋବାଇଲ୍‍ ଫୋନ୍‍, ଓ ଗୋଟିଏ ସ୍କୁଟି ଜବତ କରିଛି।

Leave A Reply