ବସରୁ ପଡି ଯାତ୍ରୀ ମୃତ

0

କୋକସରା : କାଉଡୋଳା ଗାଁ ହାଇସ୍କୁଲ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ କାଉଡୋଳା ଗ୍ରାମର ପ୍ରେମଲାଲ ନାଏକ ବୋଲି ଜଣାପଡିଛି। ପରିବାର ସମେତ ଗ୍ରାମବାସୀ କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ରୋକ କରିଛନ୍ତି। ସୂଚନାନୁଯାୟୀ କାଉଡୋଳା ଗାଁର ପ୍ରେମଲାଲ ନାଏକ ଟଙ୍କା ଉଠାଇବା ପାଇଁ ଆମପାଣି ଷ୍ଟେଟବ୍ୟାଙ୍କକୁ ଯାଇଥିଲେ। ଟଙ୍କା ଉଠାଇ ସେ ଦାମନଯୋଡିରୁ ବଲାଙ୍ଗୀର ଯାଉଥିବା ଓଡି ୦୨ଏଚ ୨୧୬୭ ନମ୍ବର ବିଶିଷ୍ଟ ଏକ ସରକାରୀ ବସରେ ଗାଁକୁ ଫେରୁଥିଲେ। ଗାଁକୁ ଅଳ୍ପ ବାଟଥିବାବେଳେ ଗାଁ ହାଇସ୍କୁଲ ନିକଟରେ ସେ ଓହ୍ଳାଇବାକୁ ବସକୁ ଅଟକାଇଥିଲେ। ବସରୁ ଓହ୍ଳାଇବା ସମୟରେ ସେ ପଡିଯାଇଥିଲେ ଏବଂ ଠିକ ଏହି ସମୟରେ ବସଟି ଛାଡି ଦେବାରୁ ତାଙ୍କ ମୁଣ୍ଡ ବସ ଚକ ତଳେ ଚାପି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା। ଖବରପାଇ ପରିବାର ଓ ଗ୍ରାମବାସୀମାନେ କ୍ଷତି ପୁରଣ ଦାବିରେ ଶବ ରଖି ଜାତୀୟ ରାଜପଥ ୨୬ ଅବରୋଧ କରିଥିଲେ। ଆମପାଣି ପୋଲିସ ସହ କୋକସରା ଥାନା ଅଧିକାରି ଉତ୍ତମ କୁମାର ସାହୁ, କୋକସରା ଅତିରିକ୍ତ ତହସିଲଦାର ସିମାଞ୍ଚଳ ପାତ୍ର ପହଞ୍ଚି ଆନ୍ଦୋଳନକାରି ମାନଙ୍କ ସହିତ ଆଳୋଚନା କରିଥିଲେ। କିନ୍ତୁ ଏହାର କୌଣସି ସୁଫଳ ମିଳି ନଥିବା ବେଳେ ଖବର ଲେଖା ଯିବା ପର୍ଯ୍ୟନ୍ତ ଅର୍ଥାତ ୫ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିଛି। ରାସ୍ତା ରୋକ ଯୋଗୁଁ ଯାତ୍ରୀମାନେ ନାହିନଥିବା ହଇରାଣ ହେଉଛନ୍ତି। ଦୁର୍ଘଟଣାପରେ ଡ୍ରାଇଭର ବସ ସହ କୋକସରା ଥାନାରେ ଆତ୍ମସମର୍ପଣ କରିଛି।

Leave A Reply