ଚଳନ୍ତା ବସ ଉପରେ ପଡିଲା ୧୧ କେଭିର ବିଦ୍ୟୁତ୍ ଖୁଣ୍ଟ

0

ନିରାକାରପୁର : ଶରଣକୁଳ-ପୁରୀ ନୂଆ ଜଗନ୍ନାଥ ସଡକର ନିରାକାରପୁର ମୁଖ୍ୟ ବଜାରରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଏକ ଯାତ୍ରୀବାହୀ ଚଳନ୍ତା ବସ ଉପରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ଖସିପଡ଼ିଥିଲା, ମାତ୍ର ସୌଭାଗ୍ୟବଶତଃ କୌଣସି ଅଘଟଣ ଘଟିନାହିଁ। ବସ୍‌ରେ ଥିବା ୫୫ରୁ ଊର୍ଦ୍ଧ୍ବ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସ୍ଥାନୀୟ ଲୋକେ ବିଦ୍ୟୁତ ବିଭାଗକୁ ଖବର ଦେଇ ଲାଇନ କାଟି ସମସ୍ତଙ୍କୁ ଉଦ୍ଧାର କରିଥିଲେ।
ମିଳିଥିବା ସୂଚନା ମୁତାବକ, ପୂର୍ବାହ୍ନ ପ୍ରାୟ ୧୧ଟାରେ ପାରାଦ୍ୱୀପରୁ କଣାସ ବ୍ଲକ ବାଲିପଡା ଅଭିମୁଖେ ଉକ୍ତ ଯାତ୍ରୀବାହୀ ବସ ନିରାକାରପୁର ବଜାର ଦେଇ ଯାଉଥିବାବେଳେ ହଠାତ୍‌ ରାସ୍ତାକଡ଼ରେ ଥିବା ଖତରା ଲୁହା ବିଦ୍ୟୁତ ଖୁଣ୍ଟଟି ବସ ଉପରକୁ ଲେଉଟି ପଡିଥିଲା। ଏହି ବିଦ୍ୟୁତ୍‌ ଖୁଣ୍ଟରେ ୧୧କେଭି ତାର ସଂଯୋଗ ରହିଥିଲା। ଖୁଣ୍ଟଟି ଲେଉଟି ପଡିଲା ବେଳେ ସେଥିରେ ଲାଗିଥିବା ଏକ ଲୁହା ଆଙ୍ଗେଲ ବସରେ ଲାଗିଯିବାରୁ ୧୧କେଭି ତାର ବସଠାରୁ ସାମାନ୍ୟ ଉଚ୍ଚରେ ରହିଗଲା। ଫଳରେ ତାରଟି ବସ୍‌ ସଂସ୍ପର୍ଶରେ ଆସିପାରିନଥିଲା। ଫଳସ୍ୱରୂପ ଏକ ବଡ଼ ଦୁର୍ଘଟଣାରୁ ବସ୍‌ ଓ ଯାତ୍ରୀମାନେ ରକ୍ଷା ପାଇଯାଇଥିଲେ। କିଛି ସମୟ ନୂଆ ଜଗନ୍ନାଥ ସଡକରେ ଯାତାୟାତ ବାଧପ୍ରାପ୍ତ ହୋଇଥିଲା। ସ୍ଥାନୀୟ ଲୋକେ ବସ ଉପରୁ ବିଦ୍ୟୁତ୍‌ ଖୁଣ୍ଟଟିକୁ ବାହାର କରିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ଉକ୍ତ ବିଦ୍ୟୁତ୍‌ ଖୁଣ୍ଟ ମୂଳ ଅଂଶ କଳଙ୍କ ଲାଗି ଖତରା ହୋଇଥିଲେ ମଧ୍ୟ ବିଭାଗୀୟ କର୍ମଚାରୀଙ୍କ ଅବହେଳାରୁ ମରାମତି କିମ୍ବା ବଦଳ ହୋଇନଥିଲା। ସୂଚନା ଯେ, ଏହି ବଜାର ମଧ୍ୟରେ ପ୍ରାୟ ୪/୫ଟି ବିଦ୍ୟୁତ୍‌ ଖୁଣ୍ଟ ଏପରି ବିପଜ୍ଜନକ ଅବସ୍ଥାରେ ଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି।

Leave A Reply