ବ୍ରୁହାନ ୱାନିର ଶ୍ରାଦ୍ଧ ଦିବସ ପାଇଁ କାଶ୍ମୀରରେ କଟକଣା

0

ଶ୍ରୀନଗର : ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ବ୍ରୁହାନ ୱାନିର ଦ୍ୱିତୀୟ ଶ୍ରାଦ୍ଧ ଦିବସ ଉପଲକ୍ଷେ ଜାମ୍ମୁ-କାଶ୍ମୀରରେ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଲାଗି ପ୍ରଶାସନ ବିଭିନ୍ନ ପ୍ରକାର କଟକଣା ଲାଗୁ କରିଛି। ଶନିବାର ପୁଲୱାମା ଜିଲାର ତ୍ରାଲ, ଶ୍ରୀନଗରର ନୌହାଟ୍ଟା ଓ ମଇସୁଷା ଅଞ୍ଚଳରେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ଏହା ସହିତ ସମ୍ବେଦନଶୀଳ ଅଞ୍ଚଳରେ ଲୋକଙ୍କ ଗତିବିଧି ଉପରେ କଡା ନଜର ରଖାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି କିମ୍ବା କୌଣସି ଅପ୍ରୀତିକର ପରିସ୍ଥିତିକୁ ରୋକିବା ଲାଗି ପ୍ରଶାସନ ଆଗୁଆ ଏହି ପଦକ୍ଷେପ ନେଇଛି। ୨୦୧୬ ଜୁଲାଇ ୮ରେ ବ୍ରୁହାନ ୱାନିକୁ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲା କୋରେଗାଓଁ ଅଞ୍ଚଳରେ ହତ୍ୟା କରାଯାଇଥିଲା। ବ୍ରୁହାନର ହତ୍ୟାକୁ ନେଇ କାଶ୍ମୀରରେ ହିଂସା ଦେଖାଯାଇଥିଲା। ଏଥିରେ ୮୫ଜଣଙ୍କର ମୃତ୍ୟୁ ହେବା ସହ ହଜାରରୁ ଅଧିକ ଆହତ ହୋଇଥିଲେ। ବ୍ରୁହାନର ଶ୍ରାଦ୍ଧ ଦିବସ ଉପଲକ୍ଷେ ବିଚ୍ଛିନ୍ନତାବାଦୀ ସଂଗଠନଗୁଡିକ ପକ୍ଷରୁ ରବିବାର ପାଇଁ ବନ୍ଦ ଡାକରା ଦିଆଯାଇଛି। ବିଚ୍ଛିନ୍ନତାବାଦୀଙ୍କ ବନ୍ଦ ଡାକରାକୁ ଭଣ୍ଡୁର କରିବା ପାଇଁ ପ୍ରଶାସନ ଏହାର କେତେକ ନେତାଙ୍କୁ ଗୃହବନ୍ଦୀ କରିଛି। ଗୃହବନ୍ଦୀ ହୋଇଥିବା ନେତାଙ୍କ ମଧ୍ୟରେ ୟାସିନ ମଲିକ, ମିରୱାଜ ଉମର ଫାରୁକ ଓ ସୟଦ ଅଲି ଶାହା ଗିଲାନୀ ରହିଛନ୍ତି। ବନ୍ଦ ଡାକରାକୁ ନେଇ ଦୋକାନ ବଜାର ଓ ବ୍ୟାବସାୟୀକ ପ୍ରତିଷ୍ଠାନ ବନ୍ଦ ରଖାଯାଇଛି। ସରକାରୀ ପରିବହନ ବ୍ୟବସ୍ଥା ବନ୍ଦ ରହିଥିବାବେଳେ ଘରୋଇ ଗାଡି ମୋଟର ଚଳାଚଳ କରୁଛି।

Leave A Reply