ରକ୍ତଦାନ ଜୀବନଦାନ

0
ପ୍ରତି ବର୍ଷ ଜୁନ୍‍ ମାସ ୧୪ ତାରିଖକୁ ବିଶ୍ୱ ରକ୍ତଦାତା ଦିବସ ଭାବରେ ପାଳନ କରାଯାଏ। ରକ୍ତଦାନ ମହତ ଦାନ। ରକ୍ତଦାନର ବିଶେଷତ୍ୱ ନେଇ ଏହା ଉପରେ ଗବେଷଣାତ୍ମକ ଭାବରେ କୁହାଯାଇଛି – ଜଣେ ପୁରୁଷ ଶରୀରରେ ଏକ କେଜିରେ ୭୬ ମି.ଲି. ଓ ମହିଳା ଶରୀରରେ ୬୬ ମି.ଲି. ରକ୍ତ ରହିଛି। ଶରୀରରେ ୫୦ ମି.ଲି. ରକ୍ତର ଆବଶ୍ୟକ ହୋଇଥାଏ। ଅବଶିଷ୍ଟ ରକ୍ତକୁ ବଳକା ରକ୍ତ କୁହାଯାଏ। ଏଣୁ ଉକ୍ତ ରକ୍ତୁ ଦାନ କଲେ ତାହା କାର୍ଯ୍ୟରେ ଆସିଥାଏ। ଆହୁରି ମଧ୍ୟ ଡାକ୍ତରଙ୍କ ପରାମର୍ଶ ଅନୁସାରେ କୁହାଯାଇପାରେ ଯେ ରକ୍ତଦାନ କଲେ ଅସ୍ଥିମଜା ସକ୍ରିୟ ହୁଏ। ଦେହ ସୁସ୍ଥ ଓ କର୍ମଠ ରୁହେ। ଦେହରୁ ଚର୍ବିଅଂଶ କମିଯାଏ। ହୃଦ୍‍ରୋଗ ଦୂର ହୁଏ ଓ ଶର୍କରାଜାତୀୟ ଅଂଶ ସନ୍ତୁଳିତ ହୋଇଥାଏ। ଏହି ସବୁକୁ ବିଚାରକୁ ନେଇ ଜାତୀୟ ରକ୍ତ ସଞ୍ଚାଳନ ପରିଷଦ ନାମରେ ଏକ ସୋସାଇଟି ଗଠନ କରାଯାଇ ବିଶଦ ଆଲୋଚନା ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଏ।। ସମଗ୍ର ଭାରତରେ ୧୨୦ଲକ୍ଷ ୟୁନିଟ ରକ୍ତ ଆବଶ୍ୟକ ହେଉଥିବାବେଳେ ସଂଗ୍ରହ ହୋଇଥାଏ ୯୦ଲକ୍ଷ ୟୁନିଟ। ଶରୀର ତତ୍ତ୍ୱ ଅନୁସାରେ କୋଷ ବା ଟିସୁ ପର୍ଯ୍ୟନ୍ତ ଅମ୍ଳଜାନ ପହଞ୍ଚାଇବାରେ ରକ୍ତର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଅନେକ ହୁଏତ ଜାଣିନଥାନ୍ତି ରକ୍ତରେ ଥିବା ହ୍ୱାଇଟ ବ୍ଲଡ ସେଲରେ ରହିଥିବା ଆଣ୍ଟିବାୟୋଟିକ ଶରୀରକୁ ପାର୍ଶ୍ବପ୍ରତିକ୍ରିୟାରୁ ରକ୍ଷା କରିଥାଏ।
୧୮ରୁ ୬୦ ବର୍ଷ ପର୍ଯ୍ୟନ୍ତ ଲୋକମାନେ ରକ୍ତଦାନ କରିପାରିବେ। ପ୍ରଥମଥର ଓ ଦ୍ୱିତୀୟ ଥର ରକ୍ତଦାନର ବ୍ୟବଧାନ ହେଉଛି ତିନିମାସ। ସେହିପରି ରକ୍ତଦାନ କରୁଥିବା ଲୋକର ଓଜନ ଷାଠିଏ କେଜି ହୋଇଥିବା ଦରକାର। କାରଣ ଅତିକମ୍‍ରେ ରକ୍ତଦାନରେ ୩୫୦ ଏମ୍‍ଏଲ ନିଆଯାଇଥାଏ। ଷାଠିଏ କିଲୋରୁ ଅଧିକ ଓଜନ ହୋଇଥିଲେ ୪୫୦ ଏମଏଲ ରକ୍ତ ନିଆଯାଇପାରେ। ଆଉ ଗୋଟିଏ କଥା ହେଲା ଏଚ୍‍ଆଇଭି ପଜେଟିଭ ବ୍ୟକ୍ତି, ଗର୍ଭବତୀ, ପିଲାଙ୍କୁ କ୍ଷୀର ଦେଉଥିବା ମାଆ, ମାସିକ ଋତୁକାଳୀନ ସମୟ, କ୍ରମାଗତ ଲାଗି ରହୁଥିବା ଜ୍ୱର ଆକ୍ରାନ୍ତ ରୋଗୀ, ଉଚ୍ଚରକ୍ତଚାପ, ହୃଦରୋଗ, ହେପାଟାଇଟିସ୍‍ ବି, ସି, ଟିବି ରୋଗୀ ଏବଂ ଭାଇରାଲ ସଂକ୍ରମଣ ଆକ୍ରାନ୍ତ ବ୍ୟକ୍ତିମାନେ ରକ୍ତଦାନ କରିପାରିବେ ନାହିଁ। ନିୟମିତ ରକ୍ତଦାନ କରିବା ଦ୍ୱାରା ଶରୀରରୁ ଚର୍ବିର ଅଂଶ କମ୍‍ ହୋଇଯିବା ସହ ହୃଦରୋଗ ଓ ଉଚ୍ଚରକ୍ତଚାପର ସମ୍ବାବନା ହ୍ରାସ ପାଇଥାଏ।
ରକ୍ତଦାନ ଦ୍ୱାରା ଜଣେ ଜୀବନର ଶ୍ରେଷ୍ଠ କଲ୍ୟାଣ କାର୍ଯ୍ୟ ନିଶ୍ଚିନ୍ତ ଭାବେ ସାଧିତ କରିଥାଏ, ଦ୍ୱିତୀୟତଃ ରକ୍ତଦାନ ଦ୍ୱାରା ଜଣକର କ୍ଷତି ନ ହୋଇ ବରଂ ଲାଭ ହୋଇଥାଏ। ବିଶ୍ୱ ସ୍ୱେଚ୍ଛାକୃତ ରକ୍ତଦାନ ଦିବସରେ ରକ୍ତଦାନ ପାଇଁ ଆଗ୍ରହ ଓ ସଚେତନତା ବଢ଼ିପାରିଲେ ଏହି ଦିବସର ଗୁରୁତ୍ୱ ବଢ଼ିପାରିବ।

ଡାକ୍ତର ଉମେଶ ଚନ୍ଦ୍ର ପାତ୍ର
ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ

Leave A Reply