ଛତିଶଗଡ଼ରେ ସବୁ ସାଂସଦଙ୍କ ଟିକେଟ କାଟିଲା ବିଜେପି; ଦୌଡ଼ରୁ ବାଦ୍‌ ପଡ଼ିଲେ ରମଣ ସିଂହ

0

ନୂଆଦିଲ୍ଲୀ: ଛତିଶଗଡ଼ରେ ସମସ୍ତ ୧୧ଟି ଲୋକ ସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି। କିନ୍ତୁ ଦଳର କୌଣସି ସାଂସଦଙ୍କୁ ଏଥର ଟିକେଟ ଦିଆଯାଇ ନାହିଁ। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ମଧ୍ୟ ଟିକେଟ ଦୌଡ଼ରୁ ବାଦ୍‌ ପଡ଼ିଛନ୍ତି। ଗତ ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ବିଜେପି ହାଇକମାଣ୍ଡ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ପୂର୍ବରୁ ବିଜେପି ରାଜ୍ୟର ୫ ଲୋକ ସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ରବିବାର ଦଳ ପକ୍ଷରୁ ଆଉ ୬ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଛି। ଏସବୁ ସିଟ୍‌ଗୁଡ଼ିକ ହେଲା କୋରବା, ବିଳାସପୁର, ରାଜନାନ୍ଦଗାଓଁ, ରାୟପୁର, ମହାସମୁନ୍ଦ ଏବଂ ଦୁର୍ଗ। କୋରବାରୁ ଦଳ ବର୍ତ୍ତମାନର ସାଂସଦ ଡା. ବଂଶୀଲାଲ ମହତୋଙ୍କୁ ବାଦ ଦେଇ ଜ୍ୟୋତିନନ୍ଦ ଦୁବେଙ୍କୁ ଟିକେଟ ଦେଇଛି। ସେହିପରି ବିଳାସପୁର ଆସନରେ ସାଂସଦ ଲଖନ ଲାଲ ସାହୁଙ୍କୁ ଦଳ ପ୍ରାର୍ଥୀ ନ କରି ଅରୁଣ ସାୱଙ୍କୁ ପ୍ରାର୍ଥୀ କରିଛି। ରାଜନାନ୍ଦଗାଓଁ ଆସନରେ ଏଥର ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ପୁଅ ତଥା ସାଂସଦ ଅଭିଷେକ ସିଂହଙ୍କ ଟିକେଟ କାଟି ସନ୍ତୋଷ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟେ କୁହାଯାଉଥିଲା ଯେ, ବିଜେପି ଚଳିତ ନିର୍ବାଚନରେ ରମଣ ସିଂହଙ୍କୁ ଲୋକ ସଭା ଟିକେଟ ପ୍ରଦାନ କରିବ। କିନ୍ତୁ ସମସ୍ତ ପ୍ରାର୍ଥୀ ଘୋଷଣା ପରେ ସବୁ ଚର୍ଚ୍ଚାର ଅନ୍ତ ଘଟିଛି। ରମଣ ସିଂହଙ୍କୁ ଦଳ କୌଣସି ଲୋକ ସଭା ଆସନରୁ ପ୍ରାର୍ଥୀ କରିନାହିଁ।

Leave A Reply