ରାଜ୍ୟବ୍ୟାପୀ ୩ ଦିନିଆ ଆନ୍ଦୋଳନ

0

-୨୮ରେ ରାଜଭବନ ସମ୍ମୁଖରେ ଧାରଣା, -୨୮ରୁ ୩୦ପର୍ଯ୍ୟନ୍ତ ବ୍ଲକରେ ଆନ୍ଦୋଳନ

ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧ ପ୍ରତିବାଦରେ ବିଜେଡି ୩ ଦିନିଆ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି। ତୈଳ ଦରବୃଦ୍ଧି ପଛରେ କେନ୍ଦ୍ର ସରକାର ଅଧିକ ରାଜସ୍ୱ ଆଦାୟ ଲକ୍ଷ୍ୟ ରଖି ଏଭଳି କରୁଥିବା ବିଜେଡି ଯୁକ୍ତି ବାଢିଛି। ତୈଳଦର ବୃଦ୍ଧି ପ୍ରତ୍ୟାହାର ନେଇ ଆସନ୍ତା ୨୮ ତାରିଖ ଦିନ ରାଜଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ, ୨୮ରୁ ୩୦ ତାରିଖ ୩ଦିନ ବ୍ୟାପୀ ରାଜ୍ୟର ସମସ୍ତ ୩୧୪ ବ୍ଲକରେ ପ୍ରତିବାଦ ସଭା ସହ ଜନସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ନିଆଯିବ। ସେଠାରେ ସ୍ଥାନୀୟ ପ୍ରଶାସନ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯିବ ବୋଲି ବିଜେଡି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ସଞ୍ଜୟକୁମାର ଦାସବର୍ମା, ଅରୁଣକୁମାର ସାହୁ ଓ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି। ଶ୍ରୀ ଦାସବର୍ମା କହିଥିଲେ, ବାରମ୍ବାର ତୈଳଦର ବୃଦ୍ଧି ଯୋଗୁ ନିତ୍ୟବ୍ୟବହାର୍ଯ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢିଚାଲିଛି। ଲୋକଙ୍କ ତଣ୍ଟି ଚିପି କେନ୍ଦ୍ର ଏହି କ୍ଷେତ୍ରକୁ ଜାତୀୟ ରାଜସ୍ୱ ଆୟର ପ୍ରମୁଖ ଉତ୍ସ ଭାବେ ବ୍ୟବହାର କରୁଛନ୍ତି। ଏ କ୍ଷେତ୍ରରୁ ୩ଲକ୍ଷ ୨୦ ହଜାର କୋଟି ଟଙ୍କା ଆଦାୟ ଲକ୍ଷ୍ୟ ରଖିଛନ୍ତି। ଏହାକୁ ପ୍ରତ୍ୟାହାର କରିବା ଓ ତୈଳ ଦର କମାଇବା ଉପରେ ଶ୍ରୀ ସାହୁ ଗୁରୁତ୍ୱ ଦେଇଥିଲେ।
ବିଜେଡି ପକ୍ଷରୁ କୁହାଯାଇଛି, ୪ ବର୍ଷରେ ପ୍ରତି ଲିଟର ପେଟ୍ରୋଲ ଉପରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ୯ ଟଙ୍କା ୨୦ ପଇସା ବୃଦ୍ଧି ପାଇ ୧୯ ଟଙ୍କା ୪୮ ପଇସାରେ ପହଞ୍ଚିଛି। ଡିଜେଲରେ ଏହା ୩ ଟଙ୍କା ୪୬ ପଇସାରୁ ୧୫ ଟଙ୍କା ୩୩ ପଇସାରେ ପହଞ୍ଚିଛି। କେନ୍ଦ୍ର ଉତ୍ପାଦ ଶୁଳ୍କ ବଢାଇ ଓଲଟି ରାଜ୍ୟ ସରକାରଙ୍କୁ ଭାଟ୍‍ ହ୍ରାସ ପାଇଁ ପରାମର୍ଶ ଦେଉଛନ୍ତି। ଓଡ଼ିଶାରେ ତୈଳ ଉପରେ ଭାଟ୍‍ ଅନ୍ୟ ରାଜ୍ୟ ତୁଳନାରେ ଅପେକ୍ଷାକୃତ କମ୍‍ ରହିଛି। ଓଡ଼ିଶାରେ ୨୬ % ଭାଟ୍‍ ଆଦାୟ କରାଯାଉଥିବାବେଳେ କୌଣସି ଅତିରିକ୍ତ ଶୁଳ୍କ ନିଆଯାଉନାହିିଁ। ଯାହା ଅନ୍ୟ ରାଜ୍ୟ ତୁଳନାରେ କମ୍‍ ବୋଲି ବିଜେଡି ଯୁକ୍ତି ବାଢଛନ୍ତି ଶ୍ରୀ ପାତ୍ର। ଲୋକମାନଙ୍କ ସ୍ୱାର୍ଥ ସହ ଖେଳକୁ ବିଜେଡି ବରଦାସ୍ତ କରିବ ନାହିଁ ବୋଲି ସେମାନେ ପ୍ରକାଶ କରିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର ଉପସ୍ଥିତ ଥିଲେ।

Leave A Reply