ପାକିସ୍ତାନ ଶାନ୍ତି ଚାହୁଁଥିଲେ ଆତଙ୍କବାଦୀ ପଠାଇବା ବନ୍ଦ କରୁ : ବିପିନ ରାୱତ

0

ପହଲଗାମ : ରମଜାନ ମାସକୁ ଦୃଷ୍ଟିରେ ରଖି ଜାମ୍ମୁ କାଶ୍ମୀରରେ ସେନା ଦମନ ଅଭିଯାନ ବନ୍ଦ ରଖିଥିବାବେଳେ ଏହି ଅବଧିକୁ ବଢାଯାଇପାରେ ବୋଲି ସେନାଧ୍ୟକ୍ଷ ବିପିନର ରାୱତ ପ୍ରକାଶ କରିଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପ ନଜରକୁ ଆସିଲେ ପୁଣି ଅଭିଯାନ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଏହାସହ ଶାନ୍ତି ଚାହୁଁଥିଲେ ପାକିସ୍ତାନ ଜାମ୍ମୁ କାଶ୍ମୀରକୁ ଆତଙ୍କବାଦୀ ପଠାଇବା ବନ୍ଦ କରୁ ବୋଲି ସେ ଚେତାବନୀ ଦେଇଛନ୍ତି। ଶ୍ରୀନଗରଠାରୁ ୯୫ କିଲୋମିଟର ଦୂର ପହଲଗାମଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଜେନେରାଲ ବିପିନ ରାୱତ ଏହା କହିଛନ୍ତି। ବିପିନ କହିଛନ୍ତି ଯେ ଯଦି ପାକିସ୍ତାନ ଶାନ୍ତି ଚାହୁଁଛି ତେବେ ଆଗେ ଏଠାକୁ ଆତଙ୍କବାଦୀ ପଠାଇବା ବନ୍ଦ କରୁ। ପାକିସ୍ତାନୀ ସୈନ୍ୟ ଆତଙ୍କବାଦୀଙ୍କୁ ଅନୁପ୍ରବେଶରେ ସାହଯ୍ୟ କରିବା ପାଇଁ ଅସ୍ତ୍ରବିରତିର ଉଲ୍ଲଙ୍ଘନ କରୁଛନ୍ତି। ଫଳରେ ଭାରତକୁ ପ୍ରତିଜବାବ ଦେବାକୁ ପଡୁଛି। ଭାରତ ସୀମାରେ ଶାନ୍ତି ଚାହୁଁଛି, ହେଲେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଏହାକୁ ପ୍ରଭାବିତ କରୁଛି। ଏହଦ୍ୱାରା ଧନଜୀବନ କ୍ଷତିଗ୍ରସ୍ତ ହେଉଛି। ତେଣୁ ଭାରତକୁ ଏହାର ପ୍ରତିଜବାବ ଦେବାକୁ ପଡୁଛି। ଏଭଳି ସମୟରେ ଆମେ ଚୁପ୍‍ ବସିପାରିବୁ ନାହିଁ। ଅସ୍ତ୍ରବିରତି ଉଲ୍ଲଙ୍ଘନ ହେଲେ ଭାରତୀୟ ସେନା ଏହାର ମୁହଁତୋଡ଼ ଜବାବ ଦେବ। ଶାନ୍ତି ପାଇଁ ସୀମା ପାର ଆତଙ୍କବାଦୀର ଅନ୍ତ ଆବଶ୍ୟକ ବୋଲି ସେ ଏହି ଅବସରରେ ପ୍ରକାଶ କରିଥିଲେ।

Leave A Reply