ଭୁବନେଶ୍ୱର ଷଷ୍ଠ ସୁଶାସିତ ସହର: ସର୍ଭେ

0

ନୂଆଦିଲ୍ଲୀ : ବିଶ୍ୱର ଶ୍ରେଷ୍ଠ ୨୦ଟି ଉତ୍ତମ ପ୍ରଦର୍ଶନକାରୀ ସ୍ମାର୍ଟସିଟି ତାଲିକାରେ ସ୍ଥାନ ଲାଭ କରିବା ପରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଏବେ ଆଉ ଏକ ଗୌରବ ଲାଭ କରିଛି। ସର୍ଭେ ଅଫ୍‌ ଇଣ୍ଡିଆସ୍‌ ସିଟି-ସିଷ୍ଟମ୍‌ (ଏଏସ୍‌ଆଇସିଏସ୍‌) ପକ୍ଷରୁ ୨୦୧୭ ବର୍ଷ ପାଇଁ ପ୍ରସ୍ତୁତ ଦେଶର ଶ୍ରେଷ୍ଠ ସୁଶାସିତ ସହର ତାଲିକାରେ ଭୁବନେଶ୍ୱର ଷଷ୍ଠ ସ୍ଥାନ ଲାଭ କରିଛି। ଏହି ସର୍ଭେ ଦାୟିତ୍ୱ ଅଣ ସରକାରୀ ସଂସ୍ଥା ‘ଜନାଗ୍ରହ ସେଣ୍ଟର ଫର୍‌ ସିଟିଜେନ୍‌ଶିପ୍‌ ଆଣ୍ଡ ଡେମୋକ୍ରାସି’କୁ ଦିଆଯାଇଥିଲା। ୨୦ଟି ରାଜ୍ୟର ୨୩ଟି ସହରାଞ୍ଚଳର ସ୍ଥିତିକୁ ଅନୁଧ୍ୟାନ କରି ଏଠାକାର ପ୍ରଶାସନିକ ବ୍ୟବସ୍ଥା, ଆଇନ ଓ ସରକାରୀ ନୀତି ଏବଂ ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ ଉପଲବ୍ଧ ତଥ୍ୟକୁ ବିଶ୍ଲେଷଣ କରି ସଂସ୍ଥା ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ କରିଛି। ମୋଟ ୧୦ ପଏଣ୍ଟରୁ ୫.୧ ପାଇ ପୁନେ ଶ୍ରେଷ୍ଠ ସୁଶାସିତ ସହର ତାଲିକାରେ ଶୀର୍ଷସ୍ଥାନ ଦଖଲ କରିଛି। ପୁନେ ପଛକୁ ରହିଛି, ଦିଲ୍ଲୀ (୪.୪), ମୁମ୍ବାଇ (୪.୨), କୋଲକତା, ଥିରୁଭାନନ୍ତପୁରମ୍‌, ଭୁବନେଶ୍ୱର ଏବଂ ସୁରତ। ପୂର୍ବ ତାଲିକାରେ ପୁନେ ନବମ ସ୍ଥାନରେ ଥିବା ବେଳେ ଥିରୁଭାନନ୍ତପୁରମ୍‌ ପ୍ରଥମରେ ଥିଲା। ସୂଚନା ଓ ପ୍ରଯୁକ୍ତିର ରାଜଧାନୀ ଭାବେ ପରିଚିତ ବେଙ୍ଗାଲୁରୁ ସହର ସଦ୍ୟ ପ୍ରସ୍ତୁତ ତାଲିକାର ଶେଷ ତଥା ୨୩ତମ ସ୍ଥାନରେ ରହିଛି। ଭାରତୀୟ ସହରଗୁଡିକର ସ୍ଥିତି ଜାଣିବା ଲାଗି ସଂସ୍ଥା ପକ୍ଷରୁ ଅନ୍ୟ ରାଷ୍ଟ୍ରଗୁଡିକର ପ୍ରଶାସନିକ ବ୍ୟବସ୍ଥାକୁ ଅନୁଧ୍ୟାନ କରାଯାଇଥିଲା। ଏଥିରେ ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗ ୭.୬, ଇଂଲଣ୍ଡର ଲଣ୍ଡନ ୮.୮ ଏବଂ ଆମେରିକାର ନ୍ୟୁୟର୍କ ୮.୮ ପଏଣ୍ଟ ଲାଭ କରିଥିଲା। ଆବର୍ଜନାପୂର୍ଣ୍ଣ ପୁନେ ଯଦି ସବୁଠାରୁ ସୁଶାସିତ ସହର ତା’ହେଲେ ଦେଶର ଅନ୍ୟ ସହରଗୁଡିକର ସ୍ଥିତି ବୁଝିବାକୁ ହେବ ବୋଲି ସଜାଗ ନାଗରିକ ମଞ୍ଚର ବିବେକ୍‌ ବେଲଙ୍କର ମତ ଦେଇଛନ୍ତି।ସମ୍ଭବତଃ ଆବର୍ଜନା ପରିଚାଳନା ନେଇ ଉତ୍ତମ ବ୍ୟବସ୍ଥା ଯୋଗୁ ପୁନେକୁ ଏହି ଗୌରବ ପ୍ରଦାନ କରାଯାଇଛି; କିନ୍ତୁ ଅଣସରକାରୀ ସଂସ୍ଥା ଦ୍ୱାରା କରାଯାଇଥିବା ସର୍ଭେ ସବୁବେଳେ ତ୍ରୁଟିହୀନ ହୋଇ ନ ଥାଏ ବୋଲି ସେ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ସର୍ଭେ କେବଳ ପ୍ରଶାସନିକ ଜବାବ୍‌ ଉପରେ ଆଧାରିତ ନ ହୋଇ ଏଥିରେ ଜନତାଙ୍କ ମତକୁ ମଧ୍ୟ ଗୁରୁତ୍ୱ ଦିଆଯିବା ଦରକାର ବୋଲି ନାଗରିକ ଚେତନା ମଞ୍ଚର କ୍ୱାନୀଜ ସୁଖରାନୀ କହିଛନ୍ତି।

Leave A Reply