ପର୍ଯ୍ୟଟକଙ୍କ ଅସରୁକ୍ଷିତ ଜଳଯାତ୍ରା

0

ଆରଡି : ଭଦ୍ରକ ଜିଲାର ବିଛିନ୍ନାଞ୍ଚଳ ଭାବେ ପରିଚିତ ଚାନ୍ଦବାଲି ବ୍ଲକର ପ୍ରସିଦ୍ଧ ଶୈବକ୍ଷେତ୍ର ହେଉଛି ଆରଡିଧାମ ଓ ଧାମରା ଅଞ୍ଚଳ। ଏହି ଅଞ୍ଚଳର ପାଖାପାଖି ୨ଲକ୍ଷରୁ ଉର୍ଦ୍ଧ ଲୋକ ଦୈନଦିନ ବୈତରଣୀ, ସାଳନ୍ଦୀ, ମନ୍ତେଇ ନଦୀର ତିନିତର, ମୁଆଁ, ଧାନଖଣିଆ, ବାଂଶଡା, ଚୈାଧୁରୀ ଘାଟ ଗୁଡିକରେ ମଟର ଚାଳିତ ବୋଟରେ ପାରି ହୋଇ ବ୍ଲକ ହେଡକ୍ୱାଟରକୁ ବିଭିନ୍ନ କାମ ପାଇଁ ଆସିଥାନ୍ତି। ତାହାସହ ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣିଧାମ, ବନ୍ଦରନଗରୀ ଚାନ୍ଦବାଲି, ମା ଧାମରାଈ ପୀଠ ସହ ବିଶ୍ୱ ପ୍ରସିଦ୍ଧ ଭିତର କନିକାକୁ ପର୍ଯ୍ୟଟନ ଋତୁ ଓ ଦୈନିକ ହଜାର-ହଜାର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ଅତି ବିପଦଜନକ ଭାବେ ଭରା ନଈରେ ଜଳଯାତ୍ରା କରି ଯାତାୟତ କରିଥାନ୍ତି। ଏହି ବ୍ଲକ ପୁରାତନ ବନ୍ଦର ନଗରୀ ହୋଇଥିବାରୁ ଭଦ୍ରକ ଜିଲାକୁ ଦେଇଥାଏ ସ୍ୱତନ୍ତ୍ର ପରିଚୟ। ଉକ୍ତ ନଦୀଘାଟ ଗୁଡିକରେ ପକ୍କା ପୋଲ ନିର୍ମାଣ ପାଇଁ ଦୀର୍ଘ ୧୬ଦଶନ୍ଧି ଧରି ବ୍ୟୟ ଅଟକଳ କରାଯିବା ସହିତ ଟେଣ୍ଡର ପ୍ରକ୍ରିୟାରେ ସୀମିତ ହୋଇ ରହିଯାଇଛି। ଏପରିକି ବିଗତ ୨ବର୍ଷ ତଳେ ପକ୍କା ପୋଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଓ ଗ୍ରାମ୍ୟଉନ୍ନୟନ ମନ୍ତ୍ରୀଙ୍କ ଦ୍ୱାରା ଦୁଇଦୁଇ ଥର ଶିଳାନ୍ୟାସ କରାଯାଇଥିଲେ ମଧ୍ୟ ତାହା କେବଳ ଫଳକରେ ସୀମିତ ହୋଇ ରହିଯାଇଛି। ଏହି ବିଛିନ୍ନାଞ୍ଚଳର ଲୋକମାନେ ଶହଶହ ବର୍ଷ ଧରି ବାପଗୋସାପ ଅମଳରୁ ହୁଲିଡଙ୍ଗା ଓ ମଟରଚାଳିତ ଡଙ୍ଗା ଦ୍ୱାରା ଦୈନଦିନ ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଥୁଲେ ମଧ୍ୟ କାହାରି ନଜର ପଡୁନଥିବା ସ୍ଥାନୀୟ ଅଞ୍ଚଳର ଲୋକମାନେ ପ୍ରକାଶ କରିଛନ୍ତି। ବିଶେଷକରି ଗୋଟିଏ ମଟରଚାଳିତ ଡଙ୍ଗାରେ ଆବଶ୍ୟକତା ଠାରୁ ଅଧିକ ସଂଖ୍ୟକ ଲୋକଙ୍କ ସମେତ ମଟରଗାଡି ପାରି କରାଯିବା ସହ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକତା ଲାଇଫ ଜ୍ୟାକେଟ ନଥିବା ଜଳଯାତ୍ରା କରି ଆସୁଥିବା ଯାତ୍ରୀମାନେ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଦୀର୍ଘ ୧୯୮୨ମସିହାରେ ମୁଆଁ ଘାଟ ନିକଟସ୍ଥ ଲଞ୍ଚ ଘାଟର ଏକ ଲଞ୍ଚ୍ ବୁଡି ଯିବା ଫଳରେ ଲଞ୍ଚରେ ଥିବା ୧୭ଜଣ ପର୍ଯ୍ୟଟକ ନଦୀରେ ନିଖୋଜ ହୋଇଯାଇଥିବା ବେଳେ ୧୬ଜଣ ପର୍ଯ୍ୟଟକ ଅଳ୍ପକେ ବର୍ତ୍ତି ଯାଇଥିଲେ। ସେହିପରି ୧୯୮୬ରେ ମକରମେଳା ବୁଲିବା ପାଇଁ ଆରଡିପୀଠରୁ ଧାମରାର ମା ଧାମାରାଈ ମନ୍ଦିରକୁ ଏକ ଦେଶୀ ଡଙ୍ଗାରେ ଯାଇଥିବା ୨୨ଜଣ ଶ୍ରଦ୍ଧାଳୁ ମାଙ୍କ ଦର୍ଶନ ସାରି ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଡଙ୍ଗା ମୁହାଣ ନିକଟରେ ଓଲଟି ପଡିବାରୁ ଛୋଟ ପିଲାଙ୍କ ସହ ୧୯ଜଣଙ୍କ ପ୍ରାଣ ନଈ ମୁହାଣେରେ ଭାସିଯାଇଥିଲା। ୨୦୧୬ମସିହା ଶ୍ରାବଣମାସରେ ଆଖଣ୍ଡଳମଣିଙ୍କ ଉପରେ ଜଳଲାଗି ପାଇଁ କେନ୍ଦ୍ରାପଡା ଜିଲାର ପ୍ରାୟ ୩୫ଜଣ ଏକ ମଟରଚାଳିତ ଡଙ୍ଗାରେ ମୁଆଁ ଘାଟ ପାରି ହେଉଥିବା ସମୟରେ ୨ଟି ଡଙ୍ଗା ମଧ୍ୟତେ ଧକ୍କା ହେବାରୁୁ ୨ଜଣ କାଉଡିଆ ଜୁଆରୀଆ ନଈରେ ଭାସି ଯାଇଥିଲେ ସ୍ଥାନୀୟ ଲୋକଙ୍କ ଉଦ୍ୟେମକ୍ରମେ ଜଣେ ବର୍ତ୍ତି ଯାଇଥିବା ବେଳେ ଅନ୍ୟଜଣେ ମୃତ୍ୟୁବରଣ କରିଥିଲା। ଦିର୍ଘ ୩୮ବର୍ଷ ମଧ୍ୟରେ ଲଞ୍ଚ୍ ଓ ଡଙ୍ଗା ବୁଡି ଘଟଣାରେ ୩୭ଜଣଙ୍କର ମୃତ୍ୟୁ ଘଟିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାର କିମ୍ବା ପ୍ରଶାସନର ଚେତା ପଶୁନଥିବା ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି। ଅନ୍ୟପଟେ ପ୍ରଶାସନ ଯାତ୍ରୀମାନଙ୍କ ପାଇଁ ନଦୀଘାଟରେ କୈାଣସି ବ୍ୟବସ୍ଥା ନକରି ବିଭିନ୍ନ ପର୍ବପର୍ବାଣୀରେ ନଦୀଘାଟରେ ଯାତ୍ରୀମାନଙ୍କର ଯାତାୟତ ବନ୍ଦ କରି ଚୁପ ବସି ରହୁଥିବା ଆଗନ୍ତୁକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୂମାନେ ଅଭିଯୋଗ ଆଣିଛନ୍ତି।

Leave A Reply