ବେଜ୍‌ ଦ୍ବୀପରେ ଠାବ ହେଲା ୧୩୨ ବର୍ଷର ସନ୍ଦେଶ

0

ପ୍ରାଚୀନ ତଥ୍ୟର ସନ୍ଧାନରେ ଏବେ ମଧ୍ୟ ବିଶେଷଜ୍ଞଗଣ ବିଭିନ୍ନ ଚେଷ୍ଟା ଚଳାଇଛନ୍ତି। ଅନେକ ସମୟରେ ସାଧାରଣ ବର୍ଗର ଲୋକେ ହିଁ ଏଭଳି ପୁରାତନ ତଥ୍ୟର ସନ୍ଧାନ କରିଥାନ୍ତି। ସମାନ ପରିସ୍ଥିତି ଘଟିଛି ଅଷ୍ଟ୍ରେଲିଆର ପର୍ଥ ନିକଟସ୍ଥ ବେଜ୍ ଦ୍ବୀପରେ। ସ୍ଥାନୀୟ ଅଞ୍ଚଳରେ ବାସିନ୍ଦା ଟୋନିୟା ଇଲେମନ୍ ସବୁଦିନ ପରି ସେଦିନ ମଧ୍ୟ ସମୁଦ୍ରକୂଳରେ ବୁଲୁଥାନ୍ତି। ହଠାତ୍ ତାଙ୍କ ପାଦରେ ଏକ ବସ୍ତୁ ଆଘାତ ହେଲା। ଟୋନିୟା ବାଲିରୁ ଏକ ବୋତଲ ବାହାର କଲେ। ବୋତଲ ଭିତରେ ଏକ ସନ୍ଦେଶ ଥିଲା। ତାହା ଜର୍ମାନୀ ଭାଷାରେ ଲେଖାଥିବାରୁ ଟୋନିୟା ପଢ଼ିପାରିଲେ ନାହିଁ। ଆଉ ବିଳମ୍ବ ନ କରି ଟୋନିୟା ତୁରନ୍ତ ସ୍ବାମୀଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଇଲେ।

ଏହି ଦମ୍ପତି ବିଭିନ୍ନ ଅନୁସନ୍ଧାନ ପରେ ଜାଣିପାରିଲେ ଯେ ୧୮୮୬ ଜୁନ୍ ୧୨ରେ ଏହି ସନ୍ଦେଶ ପ୍ରେରଣ କରାଯାଇଥିଲା। ଜର୍ମାନୀ ଜାହାଜ ‘ପାଉଲା’ ସେ ସମୟରେ ଇଣ୍ଡୋନେସିଆ ଯାତ୍ରା କରୁଥିଲା। ବାର୍ତ୍ତା ପ୍ରେରଣ ନିମନ୍ତେ ଜାହାଜରୁ ଏହି ବୋତଲ ଫିଙ୍ଗାଯାଇଥିଲା। ପରବର୍ତ୍ତୀ ସମୟରେ ଅଷ୍ଟ୍ରେଲିଆର ସଂଗ୍ରହାଳୟ ଏହାର ସତ୍ୟତା ପରଖିଥିବାର ପ୍ରକାଶ। ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସରେ ମଧ୍ୟ ୧୩୨ ବର୍ଷ ପୁରାତନ ସନ୍ଦେଶଟି ସ୍ଥାନ ପାଇଛି।

Leave A Reply