ପ୍ୟାକେଟ୍‌ ବୋମା ବିସ୍ଫୋରଣ ; ବାପା ଗୁରୁତର, ବର୍ତ୍ତିଲା ଝିଅ

0

ବରଗଡ : ବରଗଡ଼ ଜିଲା ଅତାବିରା ଥାନା ଝାଙ୍ଗେର ପଞ୍ଚାୟତ ଭାଲୁପତ୍ରା ଗ୍ରାମର ପ୍ୟାକେଟ୍‌ ବୋମା ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ସି.ଏଚ୍‌. ନାଗଭୂଷଣ (୩୭) ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବାବେଳେ ତାଙ୍କ ଝିଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆହତ ନାଗଭୂଷଣଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ବରଗଡ଼ ଏସ୍‌ପି ମୁକେଶ କୁମାର ଭାମୁ, ଏସ୍‌ଡିପିଓ ସୁରେଶ ଚନ୍ଦ୍ର ନାଏକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଅପରପକ୍ଷରେ ସାଇଣ୍ଟିଫିକ୍‌ ଦଳ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ନାଗଭୂଷଣଙ୍କ ଘର ପାଚେରି ନିକଟରେ ଏକ ଆକର୍ଷଣୀୟ କାଟୁନ ପେଟି ରଖାଯାଇଥିଲା। ଅଷ୍ଟମ ଶ୍ରେଣୀ ପଢ଼ୁଥିବା ତାଙ୍କ ଝିଅ ସିରେସା ଏହି ପେଟିକୁ ଦେଖି ବାପାଙ୍କୁ କହିଥିଲା। ତାଙ୍କ ବାପା ନାଗଭୂଷଣ ଉକ୍ତ ପେଟିରେ କ’ଣ ଅଛି ଜାଣିବାକୁ ଖୋଲିବା କ୍ଷଣି ଏହା ବିସ୍ଫୋରଣ ଘଟିଥିଲା। ନାଗଭୂଷଣ ବହୁ ଦୂରକୁ ଛିଟିକି ହୋଇ ପଡ଼ିଥିଲେ। ତେବେ ଝିଅ ଦୂରରେ ଛିଡ଼ା ହୋଇଥିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଘରର କାନ୍ଥରେ କଣ୍ଟା ବାଜିଥିବାର ଦାଗ ରହିଛି। କିଛି ଦିନ ପୂର୍ବରୁ ପଡୋଶୀ ଜିଲା ବଲାଙ୍ଗିରରେ ପାର୍ସଲ ବୋମା ଫୁଟିଥିବା ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ବରଗଡ଼ରେ ଏହାର ଏକ ପୁନରାବୃତ୍ତି ବୋଲି ପ୍ରଚାର ହୋଇଥିଲା। ତେବେ ପ୍ରାଥମିକ ତଦନ୍ତ ପରେ ଏହା ଏକ ଟିଫିନ ବୋମା ବୋଲି ପୁଲିସ କହିଛି। ସେହିପରି ଏଥିରେ ୧୨ ଭୋଲ୍ଟର ଏକ ବ୍ୟାଟେରି ବ୍ୟବହାର ହୋଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ପଚରାଯିବାରୁ ତାଙ୍କ କାହାରି ସହ ଶତ୍ରୁତା ନଥିବା କହିଛନ୍ତି। କିଏ କାହିଁକି ତାଙ୍କ ଘର ପାଚେରିରେ ଏହି ପେଟି ରଖିଥିଲା ଏବଂ ସେଥିରେ ବୋମା ଭର୍ତ୍ତି କରିଥିଲା ତାହା ଜଣାପଡ଼ି ନାହିଁ। ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ପରେ ଘଟଣାର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

Leave A Reply