ବାହ୍ୟ ମଳମୁକ୍ତ ସହରର ନଗ୍ନ ଉଦାହରଣ ବାଙ୍କୀ

0

କଳାପଥର(ବାଙ୍କୀ) : ବାଙ୍କୀ ସବ୍‍ଡିଭିଜନର ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦ ୧୭ଗୋଟି ୱାର୍ଡକୁ ନେଇ ଗଠିତ ହୋଇଥିବା ବେଳେ ବିଭିନ୍ନ ସମୟରେ ସରକାରଙ୍କ ତରଫରୁ ଜନସାଧାରଣଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଉଛି। କିନ୍ତୁ ତାହାର ସଫଳ ରୂପାୟନରେ ବାଙ୍କୀ ବିଜ୍ଞାପିତ ଅଞ୍ଚଳପରିଷଦ ଫେଲ୍‍ ମାରିଥିବା ଅଞ୍ଚଳବାସୀ ଅଭିଯୋଗ କରିବାସହିତ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ବାଙ୍କୀ ଏନ.ଏ.ସିକୁ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟର ପ୍ରଥମ ବାହ୍ୟ ମଳମୁକ୍ତ ସହର ଘୋଷଣାକରି ଅଞ୍ଚଳକୁ ପରିଷ୍କାର ପରିମଳ ରଖିବା ସହିତ ସଚେତନତା ସୃଷ୍ଟି ପାଇଁ ପ୍ରୟାସ ଆରମ୍ଭ କରାଯାଇଥିଲା। ପରେ କେନ୍ଦ୍ର ସରକାର ମଧ୍ୟ ବାଙ୍କୀକୁ ବାହ୍ୟ ମଳମୁକ୍ତ ସହର ଭାବେ ସ୍ୱୀକୃତି ପ୍ରଦାନ କରିଥିଲେ। କାର୍ଯ୍ୟାଳୟ ତରଫରୁ ବିଭିନ୍ନ ସ୍ଥାନରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଥିବା ବେଳେ କିଛି ସ୍ଥାନରେ ଜନସଚେତନତା ସୃଷ୍ଟି କରାଯାଇଥିଲା। ସହରର ବର୍ଜ୍ୟ ବସ୍ତୁକୁ ସଂଗ୍ରହ କରିବା ପାଇଁ ସହରର ବିିଭିନ୍ନ ସ୍ଥାନରେ ସବୁଜ ଏବଂ ନୀଳ ରଙ୍ଗର ଦୁଇଟି ଲେଖାଏଁ ଡଷ୍ଟ୍‍ ବିନ୍‍ ଥୁଆଯାଇଥିବା ବେଳେ କର୍ତ୍ତୁପକ୍ଷଙ୍କ ଅବହେଳା ପାଇଁ ସେଗୁଡିକ ଭାଙ୍ଗିରୁଜି ଯାଇଥିବା ବେଳେ କିଛି ସ୍ଥାନରେ ଡଷ୍ଟ୍‍ବିନ୍‍ ନଥିବା ଦେଖାଯାଇଛି। ଯେଉଁ କେତେକ ସ୍ଥାନରେ ଡଷ୍ଟ୍‍ବିନ୍‍ ଗୁଡିକ ରହିଛି ଅଞ୍ଚଳବାସୀ ନିଜ ଘରର ଏବଂ ଦୋକାନର ଆବର୍ଜନାକୁ ସେଥିରେ ନେଇ ପକାଉଥିବା ବେଳେ କର୍ତ୍ତୁପକ୍ଷ ତାହାକୁ ସଂଗ୍ରହ କରୁନଥିବା ଅଭିଯୋଗ ହେଉଛି। ଫଳରେ ଆବର୍ଜନା ଗୁଡିକ ତଳେ ପ୍ରଚୁର ମାତ୍ରାରେ ଜମା ହୋଇ ପଡିରହିବା ଫଳରେ ମଶା, ମାଛି ବଂଶ ବୃଦ୍ଧି ସହିତ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ବାଙ୍କୀ ସହର ଅନ୍ତର୍ଗତ ବ୍ରହ୍ମେଇ ଠାକୁରାଣୀଙ୍କ ରୋଡ୍‍ପାଖରେ ଥିବା ୨ଗୋଟି ଡଷ୍ଟ୍‍ବିନ୍‍ ମଧ୍ୟରୁ ଗୋଟିଏ ସ୍ଥାନରେ ଆବର୍ଜନା ପୂର୍ଣ୍ଣହୋଇ ବହୁଦିନ ଧରି ପଡିରହୁଥିବା ବେଳେ ଶିକ୍ଷକ ଭବନ ନିକଟରେ ଥିବା ଡଷ୍ଟ୍‍ବିନ୍‍ ୨ଟି ଓଲଟି କରି ଝୁଲିରହିଛି। ବାଙ୍କୀ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ସମ୍ମୁଖରେ ଥିବା ୨ଗୋଟି ଡଷ୍ଟ୍‍ବିନରୁ ନୀଳରଙ୍ଗର ଡଷ୍ଟ୍‍ବିନ୍‍ଟି ଉଭାନ ହୋଇଥିବାବେଳେ ସବୁଜ ରଙ୍ଗର ଡଷ୍ଟ୍‍ବିନ୍‍ଟି ଓଲଟି ପଡିଥିବା ଦେଖାଯାଇଛି। ସେହିପରି ବିଧାୟକଙ୍କ ବାସଭବନ ନିକଟରେ ଥିବା ନୀଳ ଡଷ୍ଟ୍‍ ବିନ୍‍ର ଉପର ଘୋଡଣି ଗାଏବ ଥିବାବେଳେ ଗଣେଶ ବଜାର ପାଣି ଟ୍ୟାବ୍‍ ନିକଟରେ ଥିବା ଡଷ୍ଟ୍‍ ବିନ୍‍ ୨ଟି ଶୋଚନୀୟ ହୋଇପଡି ଆବର୍ଜନା ଗୁଡିକ ତଳେ ପଡିରହିଥିବା ଦେଖାଯାଇଛି। ସେହିପରି ହିରୋ ଶୋରୁମ୍‍ , ମାଣୀକପଟଣା ଆଦି ଅନେକ ସ୍ଥାନରେ ଏଗୁଡିକ ଭାଙ୍ଗିଯାଇଥିବାବେଳେ ବାଙ୍କୀ ପ୍ରେସ୍‍ କ୍ଲବ ନିକଟରେ ଥିବା ଡଷ୍ଟ୍‍ବିନ୍‍ ୨ଟିର ଷ୍ଟାଣ୍ଡ୍‍ ନିର୍ମାଣ ୭ମାସରୁ ଅଧିକ ହେବ ସରିଥିବାବେଳେ ଡଷ୍ଟ୍‍ବିନ୍‍ ୨ଟି ନ ବସିବା ସମସ୍ତଙ୍କୁ ସନ୍ଦେହ ଚକିତ କରିଛି। ଅନ୍ୟପଟେ ଏହି ଅଞ୍ଚଳର ସମସ୍ତ ଡ୍ରେନ୍‍ ଗୁଡିକ ପରିତ୍ୟକ୍ତ ଅବସ୍ଥାରେ ଥିବା ବେଳେ ନଟିବୁଦା ସହିତ ପଙ୍କ ଭର୍ତ୍ତି ହୋଇ ସେଗୁଡିକ ଅକାମି ହେବାକୁ ବସିଲାଣି। ଆବର୍ଜନା ଗୁଡିକ ଦୀର୍ଘଦିନ ହେବ ପୋତି ହୋଇ ରହିଥିବା ବେଳେ ସେଗୁଡିକ ସଫା କରାଯାଉନାହିଁ। ଯାହାଦ୍ୱାରା ଅପରିଷ୍କାର ନର୍ଦମା ଜଳ ଜମାହୋଇ ରହି ମଶାବଂଶ ବୃଦ୍ଧି କରୁଥିବା ଦେଖାଯାଇଛି। ଏହି ଅଞ୍ଚଳ ଅନ୍ତର୍ଗତ ୧୨ନମ୍ବର ୱାର୍ଡ ଏବଂ ଶ୍ରୀଚନ୍ଦନପୁରର ଡ୍ରେନ ଗୁଡିକ ଅବସ୍ଥା ନକହିଲେ ଭଲ। ବାଙ୍କୀ ମହାବିଦ୍ୟାଳୟ ଖେଳପଡିଆ ସାମ୍ନାରେ ଥିବା ଗଳିର ଡ୍ରେନ୍‍ଟି ଦୀର୍ଘବର୍ଷ ହେବ ଭାଙ୍ଗି ପଡିଥିବା ବେଳେ ଜଳ ନିଷ୍କାସନ ହୋଇପାରୁନଥିବା ଦେଖାଯାଇଛି। ସହରର ଏପରି ଅବସ୍ଥା ଦେଖିଲେ କିଭଳି ଭାବରେ ବାଙ୍କୀ ଏନ.ଏ.ସିକୁ ବାହ୍ୟମଳମୁକ୍ତ ସହରଭାବେ ଘୋଷଣା କରାଗଲା ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ବାଙ୍କୀର ଏପରି ଅବସ୍ଥା ବାହ୍ୟ ମଳମୁକ୍ତକୁ ସୂଚାଉଥିବାବେଳେ ଅନ୍ୟସ୍ଥାନର ପରିମଳତା ସହଜରେ ଅନୁମାନ କରିହେଉଛି। ତେଣୁ ଉଚ୍ଚ କର୍ତ୍ତୁପକ୍ଷ ଦୃଷ୍ଟି ଦେଇ ବାହ୍ୟମଳମୁକ୍ତର ଯୋଜନାକୁ ସଫଳ ରୂପାୟନ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Leave A Reply