ପ୍ରଶାନ୍ତଙ୍କ ସପକ୍ଷରେ ଅଣ୍ଟା ଭିଡ଼ିଲେ ନିର୍ବାଚିତ ଜନ ପ୍ରତିନିଧି; ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅନୁାରୋଧ ପତ୍ର

0

ଏରସମା : ବାଲିକୁଦା-ଏରସମା ବିଜେଡ଼ି ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି। ବିଜେପି ନେତା ରଘୁନନ୍ଦନ ଦାସ ବିଜେଡ଼ିରେ ମିଶିବାପରେ ବିଜେଡ଼ିରେ ଭୂକମ୍ପ ସୃଷ୍ଟି ହୋଇଛି। ବୁଧବାର ବାଲିକଦୁା-ଏରସମା ବ୍ଲକର ଜନ ପ୍ରତିନିଧି ଓ ନେତାମାନେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ କରାଯାଉ ବୋଲି ଦାବି କରିଛନ୍ତି । ଯଦି ପ୍ରଶାନ୍ତଙ୍କୁ ଏଠାରୁ ପ୍ରାର୍ଥୀ କରାନଯାଏ ତେବେ ଦଳ ବହୁ କ୍ଷତିରେ ପଡିବ ବୋଲି ଉଭୟ ବ୍ଲକର ସଭାପତି ରୋକଠୋକ୍‍ କହିଛନ୍ତି।
ଏରସମା ବ୍ଲକର ପଏଦା ଠାରେ ଉଭୟ ବାଲିକୁଦା ଓ ଏରସମା ବ୍ଲକର ନିର୍ବାଚିତ ଜନ ପ୍ରତିନିଧି ଓ ସଙ୍ଗଠନ ଦାୟିତ୍ୱରେ ଥିବା ନେତାମାନେ ଏକାଠି ହୋଇଥିଲେ। ସେମାନେ କହିଥିଲେ ଯେ, ବିଜେପି ଛାଡି ବିଜେଡ଼ିରେ ସାମିଲ ହୋଇଥିବା ରଘୁନନ୍ଦନଙ୍କୁ ଏଠାରୁ ପ୍ରାର୍ଥୀ କରାଯାଉଛି ଓ ପ୍ରଶାନ୍ତଙ୍କୁ ଅନ୍ୟତ୍ର ପଠାଯାଉଛି ବୋଲି ଏବେ ଗଣମାଧ୍ୟମରେ ପ୍ରଚାର ହେଉଛି। ଆଜି ବିଭିନ୍ନ ଛପା ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି। ଯାହା ପଢିବା ଓ ଶୁଣିବା ପରେ ଆମେ ଚିନ୍ତାରେ ପଡିଛୁ ବୋଲି ବାଲିକୁଦା ବ୍ଲକ ସଭାପତି ରତ୍ନାକର ନାୟକ ଓ ଏରସମା ବ୍ଲକ ସଭାପତି ପୀତବାସ ଗୋଚ୍ଛାୟତ କହିଛନ୍ତି। ବିଧାୟକ ପ୍ରଶାନ୍ତ ମୁଦୁଲି ଏଠାରୁ ଦୁଇ ଦୁଇଥର ୩୦ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଜଣେ ଲୋକପ୍ରିୟ ନେତାଭାବେ ସେ ଏହି ଅଞ୍ଚଳରେ ବେଶ୍‍ ପରିଚିତ। ସେହିପରି ଗତ ପଞ୍ଚାୟତ ନିର୍ବାଚନରେ ଲକ୍ଷେରୁ ଅଧିକ ଭୋଟ ବିଜେଡ଼ି ଜିଲା ପରିଷଦ ପ୍ରାର୍ଥୀ ମାନଙ୍କୁ ମିଳିଥିଲା। ବିଜେଡ଼ିର ସଙ୍ଗଠନ ଏଠାରେ ସୁଦୃଢ ଥିବାବେଳେ ସାଙ୍ଗଠନିକ କ୍ଷେତ୍ରରେ ଆମ ପ୍ରତିଦ୍ୱନ୍ଦ୍ୱୀ ମାନେ ଆମଠାରୁ ବହୁ ପଛରେ ପଡିଛନ୍ତି। ଆହୁରିମଧ୍ୟ ଏଠାରୁ ବିଜେପି ଦଳରୁ ହେଭିୱେଟ ନେତା ଡା.ଦାମୋଦର ରାଉତ ପ୍ରାର୍ଥୀ ହେଉଛନ୍ତି। ଦାମ ବାବୁଙ୍କ ସହ ପ୍ରଶାନ୍ତ ହିଁ ଲଢି ଜିତି ପାରିବେ। କାରଣ ଗତ ପଞ୍ଚାୟତ ନିର୍ବାଚନରେ ଦାମ ବାବୁଙ୍କ ବିରୋଧ ସତ୍ତ୍ବେ ଏରସମାରେ ବିଜେଡ଼ିର ଜିଲାପରିଷଦ ମାନେ ଜିତିଥିବା ବେଳେ ବିଜେଡ଼ି ବ୍ଲକ ଦଖଲ କରିଥିଲା। ପ୍ରଶାନ୍ତଙ୍କୁ ବାଦଦେଇ ଆଉ କୌଣସି ନେତା ଦାମ ବାବୁଙ୍କ ସହ ଲଢି ପାରିବେନାହିଁ। ଦଳର ସ୍ୱାର୍ଥ ଦୃଷ୍ଟିରୁ ପ୍ରଶାନ୍ତଙ୍କୁ ଏଠାରୁ ପ୍ରାର୍ଥୀ କରାଯିବା ନିହାତି ଆବଶ୍ୟକ ବୋଲି ନେତାମାନେ କହିଛନ୍ତି। ଯଦି ପ୍ରଶାନ୍ତଙ୍କୁ ଏଠାରୁ ପ୍ରାର୍ଥୀ କରାନଯାଏ ତେବେ ଦଳ କ୍ଷତିରେ ପଡିବ ବୋଲି ବିଜେଡ଼ି ନେତାମାନେ ଆଶଙ୍କା କରିଛନ୍ତି। ଏ ସଂପର୍କରେ ବିଜେଡ଼ିର ଜନ ପ୍ରତିନିଧି ଓ ସାଙ୍ଗଠନିକ ଅଧିକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦରଖାସ୍ତ ଲେଖି ପଠାଇଛନ୍ତି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ବିଜେଡ଼ି ସୁପ୍ରିମୋ ବାଲିକୁଦା ଓ ଏରସମା ବ୍ଲକ ବିଜେଡ଼ିର ସୁରକ୍ଷା ପାଇଁ ପ୍ରଶାନ୍ତଙ୍କୁ ପ୍ରାର୍ଥୀ ଘୋଷଣା କରିବାକୁ ଉଭୟ ବ୍ଲକ ସଭାପତି, ଏରସମା ବ୍ଲକ ଅଧ୍ୟକ୍ଷ ପ୍ରଣବ ସ୍ୱାଇଁ, ବାଲିକୁଦା ବ୍ଲକ ଅଧ୍ୟକ୍ଷା ମଧୁସ୍ମିତା ସାହୁ, ଏରସମା ବ୍ଲକ ଉପାଧ୍ୟକ୍ଷା ପୁଷ୍ପାଞ୍ଚଳୀ ବେହୁରା, ବାଲିକୁଦା ବ୍ଲକ ଉପାଧ୍ୟକ୍ଷ ରାଖଲ ଦାସ,ଜିଲା ପରିଷଦ ସଭ୍ୟ ଦୀପ୍ତିିରଂଜନ କୁଅଁର, ଇତିଶ୍ରୀ ଭୂୟାଁ, ସ୍ୱର୍ଣ୍ଣଲତା ସେନାପତି, ରାମଚନ୍ଦ୍ର ମହାନ୍ତି, ବବିତା ସ୍ୱାଇଁ, ଜୟଶ୍ରୀ ଦର୍ପଦଳିନୀ ମଲ୍ଲିକ, ଗୀତାରାଣୀ ସ୍ୱାଇଁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାନସ ସେଠୀ, ସରପଞ୍ଚଞ୍ଚ ପ୍ରଦୀପ୍ତ କିଶୋର ପରିଡା, ସାରଦା ସ୍ୱାଇଁ, କେଶବ ପାତ୍ର, ସଂଗ୍ରାମ ସ୍ୱାଇଁ, ସମିତି ସଭ୍ୟ ଅନୀଲ ରାଉତ, ଅଲେଖ ସ୍ୱାଇଁ, ବରଦାପ୍ରଶନ୍ନ ରାଉତ ପ୍ରମୁଖ ଅନୁରୋଧ କରିଛନ୍ତି।

Leave A Reply