ଜଳସେଚନ ପ୍ରକଳ୍ପ ମଞ୍ଜୁରୀ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ବଳଭଦ୍ର

0

ନୂଆଦିଲ୍ଲୀ : ଅବିଭକ୍ତ କୋରାପୁଟ ଜିଲାର ତେଲ ସମନ୍ବିତ ବହୁମୁଖୀ ଜଳସେଚନ ପ୍ରକଳ୍ପ, ମଧ୍ୟ କୋଲାବ ଜଳସେଚନ ପ୍ରକଳ୍ପ, ନିମ୍ନ ବଂଶଧାରା ଓ ଉପର ବଂଶଧାରା ଜଳସେଚନ ପ୍ରକଳ୍ପର କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲୁସି) ମଞ୍ଜୁରୀ ପାଇଁ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ସୋମବାର କେନ୍ଦ୍ର ଜଳସଂପଦ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସାକ୍ଷାତ କରିଛନ୍ତି। ନବରଙ୍ଗପୁର ସାଂସଦ ଦର୍ଶାଇଥିଲେ ଯେ ଗତ ଜୁନ ୨୦୧୭ରେ ତେଲ ସମନ୍ବିତ ବହୁମୁଖୀ ଜଳସେଚନ ପ୍ରକଳ୍ପ ଓ ମଧ୍ୟ କୋଲାବ ଜଳସେଚନ ପ୍ରକଳ୍ପର ଡିପିଆର କେନ୍ଦ୍ରୀୟ ଜଳ ଆୟୋଗରେ ଦାଖଲ କରାଯାଇଥିଲା। ତେବେ ଉଭୟ ପ୍ରକଳ୍ପକୁ ଅଦ୍ୟାବଧି ମଞ୍ଜୁରୀ ମିଳିନାହିଁ। ପ୍ରକଳ୍ପ ସଂପର୍କିତ ଅତିରିକ୍ତ ତଥ୍ୟ ଦେବାକୁ କେନ୍ଦ୍ରୀୟ ଜଳ ଆୟୋଗ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ସଂସ୍ଥା ୱାପକସକୁ କହିଥିଲେ ମଧ୍ୟ ସଂପୃକ୍ତ ସଂସ୍ଥା ତଥ୍ୟ ଦେବାରେ ବିଳମ୍ବ କରୁଛି। ଅକ୍ଟୋବର ୨୦୧୮ ସୁଦ୍ଧା ଉଭୟ ପ୍ରକଳ୍ପ ସଂପର୍କିତ ସମସ୍ତ ତଥ୍ୟ କେନ୍ଦ୍ରୀୟ ଜଳ ଆୟୋଗରେ ଉପସ୍ଥାପିତ କରାଯିବ ବୋଲି ୱାପକସର ପୂର୍ବ ପ୍ରତିଶ୍ରୁତି ପୂରଣ ନେଇ ନବରଙ୍ଗପୁର ସାଂସଦ ଶ୍ରୀ ମାଝୀ ଆଶଙ୍କା ବ୍ୟକ୍ତ କରିଥିଲେ।

Leave A Reply