ଲୋକସଭା ବାଚସ୍ପତିଙ୍କୁ ଭେଟିଲେ ବୈଜୟନ୍ତ

0

ନୂଆଦିଲ୍ଲୀ : କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଇସ୍ତଫା ଦେଇଥିବା ବୈଜୟନ୍ତ ପଣ୍ଡା ଆଜି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ବେଳେ ବାଚସ୍ପତି ଶ୍ରୀମତୀ ମହାଜନ କେନ୍ଦ୍ରାପଡ଼ା ସାଂସଦଙ୍କୁ ଇସ୍ତଫା ପ୍ରସଙ୍ଗରେ ପୁର୍ନବିଚାର କରିବାକୁ ପରାମର୍ଶ ଦେଇଥିବାର ଜଣାପଡ଼ିଛି। ଲୋକସଭା ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ପ୍ରାୟ ଏକ ମାସ ଧରି ପଡ଼ିରହିଥିବା ଇସ୍ତଫା ପତ୍ର ପ୍ରସଙ୍ଗରେ ଶ୍ରୀମତୀ ମହାଜନ ଅଦ୍ୟାବଧି କୌଣସି ନିଷ୍ପତି ନେଇପାରିନାହାନ୍ତି।
ପୂର୍ବରୁ ଜୁନ ୭ରେ କେନ୍ଦ୍ରାପଡ଼ା ସଂସଦୀୟ ଆସନ ପଦତ୍ୟାଗ କରିବା ବିଷୟ ଲେକସଭା ବାଚସ୍ପତିଙ୍କୁ ବୈଜୟନ୍ତ ପଣ୍ଡା ଅବଗତ କରାଇଥିଲେ। ବାଚସ୍ପତିଙ୍କ ଉଦେଶ୍ୟରେ ଲିଖିତ ଇସ୍ତଫା ପତ୍ରରେ ରାଜନୈତିକ କାରଣରୁ ବାଧ୍ୟ ହୋଇ ପଦତ୍ୟାଗ କରୁଛନ୍ତି ବୋଲି ପରୋକ୍ଷରେ ଇଙ୍ଗିତ କରିଥିଲେ। ଇସ୍ତଫା ପତ୍ରରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପୂର୍ବରୁ ଜଣାଇଥିବା କ୍ଷୋଭ ଚିଠିର ପ୍ରତିଲିପି ସଂଲଗ୍ନ କରାଯାଇଥିଲା। ଲୋକସଭାର ରୁଲସ ଅଫ ପ୍ରୋସିଜିଓର ଆଣ୍ଡ କଣ୍ଡକ୍ଟ ଅଫ ବିଜନେସର ଧାରା- ୨୪୦ ଅନୁଯାୟୀ କୌଣସି ସଦସ୍ୟ ନିଜ ପଦରୁ ଇସ୍ତାଫା ପ୍ରଦାନ ପାଇଁ ବାଚସ୍ପତିଙ୍କୁ ଧାଡ଼ିକିଆ ପତ୍ର ଲେଖିବେ। ଧାରା-୨୪୦-୧(ଖ) ଅନୁଯାୟୀ ଯଦି କୌଣସି ଲୋକସଭା ସଦସ୍ୟ ଡାକ ଅଥବା ଅନ୍ୟ କାହା ମାଧ୍ୟମରେ ଇସ୍ତଫା ପତ୍ର ବାଚସ୍ପତିଙ୍କ ଉଦେଶ୍ୟରେ ପଠାଇଥାନ୍ତି ସେଭଳି ସ୍ଥିତିରେ ସଂପୃକ୍ତ ସାଂସଦଙ୍କୁ ସେ ଡାକି ଆଲୋଚନା କରିପାରନ୍ତି। କୌଣସି ଚାପରେ ନୁହେଁ, ସ୍ୱଇଛାରେ ପଦତ୍ୟାଗ କରିଛନ୍ତି ବୋଲି ବାଚସ୍ପତି ତଥା ଲୋକସଭା ଅଧ୍ୟକ୍ଷ ଜାଣିବାକୁ ଚେଷ୍ଟା କରିବେ। ଲୋକସଭା ଅଧ୍ୟକ୍ଷ ନିଜେ ସମସ୍ତ ଘଟଣାକ୍ରମରେ ସନ୍ତୁଷ୍ଟ ହେଲେ ସାଂସଦଙ୍କ ଇସ୍ତଫା ପତ୍ର ଗ୍ରହଣ କରି  ଲୋକସଭା ଆସନ ଖାଲି ଘୋଷଣା କରିପାରିବେ। କୌଣସି ଚାପରେ ସାଂସଦ ବାଧ୍ୟ ହୋଇ ଇସ୍ତଫା ଦେଇଛନ୍ତି ବୋଲି ବାଚସ୍ପତି ହୃଦୟଙ୍ଗମ କଲେ ଇସ୍ତଫା ପତ୍ରକୁ ଚାହିଁଲେ ନାକଚ ମଧ୍ୟ କରିଦେଇପାରିବେ। ଇସ୍ତଫା ପତ୍ରରେ ବିଜେଡ଼ି ସଭାପତିଙ୍କ ଉଦ୍ୟେଶରେ ଲେଖାଯାଇଥିବା କ୍ଷୋଭ ପତ୍ରକୁ ସଲଗ୍ନ କରାଯାଇଥିବାରୁ ବୈଜୟନ୍ତ ପଣ୍ଡାଙ୍କୁ ଡାକି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଆଲୋଚନା କରିଥିବାର ଜଣାପଡ଼ିଛି।

Leave A Reply