ଗୋଷ୍ଠୀବଦ୍ଧ ଆକ୍ରମଣ ଭୟରେ ଗାଈ ଫେରାଇଲେ ଆଜମ ଖାଁଙ୍କ ପତ୍ନୀ

0

ରାମପୁର : ଅଲୱର ଘଟଣା ପରେ ଗୋଚାଲାଣକାରୀ ତଥା ଗୋହତ୍ୟାକାରୀ ସନ୍ଦେହରେ ଗୋଷ୍ଠୀବଦ୍ଧ ଆକ୍ରମଣ ପୂର୍ବକ ପିଟିପିଟି ହତ୍ୟା ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସମାଜରେ ଏକ ପ୍ରକାର ଭୟ ଜାତ ହୋଇଥିବା ଲକ୍ଷ୍ୟ କରାଯାଉଛି। ଗୋଷ୍ଠୀବଦ୍ଧ ଆକ୍ରମଣ ଆଶଙ୍କାରେ ସମାଜବାଦୀ ପାର୍ଟିର ପ୍ରମୁଖ ନେତା ଆଜମ୍‍ ଖାଁଙ୍କ ପତ୍ନୀ ତଥା ରାଜ୍ୟସଭା ସାଂସଦ ତନଜିମ ଫାତିମା ଉପହାରସ୍ୱରୂପ ପାଇଥିବା ଏକ ଗାଈକୁ ଫେରାଇ ଦେଇଛନ୍ତି। ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଏହି ଗାଈଟି ସେମାନଙ୍କୁ ଉପହାର ସ୍ୱରୂପ ଦେଇଥିଲେ; କିନ୍ତୁ ତାହାକୁ କେହି ହତ୍ୟା କରି ଖାନ୍‍ ପରିବାର ଉପରେ ଅଭିଯୋଗ ଲଦି ଦେଇପାରନ୍ତି ବୋଲି ଫାତିମା ଆଶଙ୍କା କରିଥିଲେ। ଏଣୁ ସେ ଗାଈଟିକୁ ଫେରାଇଦେବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ଖାନ୍‍ ପରିବାର ପାଇଁ କଷ୍ଟଦାୟକ ହୋଇଥିଲେ ମଧ୍ୟ ଏଭଳି ପଦକ୍ଷେପ ନେବାକୁ ସେମାନେ ବାଧ୍ୟ ହୋଇଛନ୍ତି ବୋଲି ଫାତିମା ଗଣମାଧ୍ୟମକୁ କହିଛନ୍ତି। ଏଥିସହ ବିଗତ ୪ ବର୍ଷ ମଧ୍ୟରେ ଦେଶରେ ଯେଭଳି ଭୟର ବାତାବରଣ ସୃଷ୍ଟି ହୋଇଛି ସେଥିନେଇ ସେ ଏନ୍‍ଡିଏ ସରକାରକୁ ଦାୟୀ କରିଛନ୍ତି। ଫାତିମା ଗୋରକ୍ଷା, ଗଙ୍ଗା ପ୍ରଦୂଷଣ ଏବଂ ଭଗବତ୍‍ ଗୀତା ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ବିଭିନ୍ନ ସମୟରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏପରିକି ମଥୁରାର ଗୋବର୍ଦ୍ଧନସ୍ଥିତ ଗୋଶାଳାକୁ ୨୫ଲକ୍ଷ ଟଙ୍କା ଦାନ କରିବେ ବୋଲି ସେ ଘୋଷଣା କରିଥିଲେ। କିନ୍ତୁ ରାଜସ୍ଥାନର ଅଲୱରଠାରେ ଗୋଚାଲାଣକାରୀ ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗ୍ରାମବାସୀ ପିଟି ପିଟି ହତ୍ୟା କରିବା ଘଟଣା ତାଙ୍କ ଏତେ ବ୍ୟଥିତ କରିଛି ଯେ ସେ ଭବିଷ୍ୟତରେ କେବେ ଗୋଶାଳା ଯିବେ ନାହିଁ ବୋଲି କହିଛନ୍ତି।

Leave A Reply