ହଂକଂ ବିପକ୍ଷରେ ପାକିସ୍ତାନର ସହଜ ବିଜୟ

0

ଦୁବାଇ : ଚଳିତ ଏସିଆ କପ୍‍ କ୍ରିକେଟ୍‍ର ୨ୟ ମ୍ୟାଚ୍‍ରେ ସହଜ ବିଜୟ ହାସଲ କରିଛି ୨ ଥର ଚମ୍ପିଆନ୍‍ ପାକିସ୍ତାନ ଦଳ। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ରବିବାର ହଂକଂକୁ ୮ ୱିକେଟରେ ପାକିସ୍ତାନ ପରାସ୍ତ କରିଛି। ଗ୍ରୁପ୍‍ ‘ଏ’ର ଏହି ମ୍ୟାଚ୍‍ରେ ପ୍ରଥମେ ବ୍ୟାଟିଂକରି କ୍ରିକେଟ ଦୁନିଆର ଶିଶୁ ହଂକଂ ୩୭.୧ ଓଭରରେ ମାତ୍ର ୧୧୬ ରନ୍‍କରି ଅଲ୍‍ଆଉଟ ହୋଇ ଯାଇଥିଲା। ପରେ ପାକିସ୍ତାନ ଦଳ ୨୩.୪ ଓଭରରେ ୨ ୱିକେଟ ହରାଇ ବିଜୟୀ ହୋଇଥିଲା। ୧୯ରେ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତର ମୁକାବିଲା ପୂର୍ବରୁ ପାକିସ୍ତାନ ଏହି ସହଜ ବିଜୟ ସହ ତା’ର ଶକ୍ତି ପ୍ରଦର୍ଶନ କରିଛି। ପୁଣି ଏହି ବିଜୟ ସହ ପାକିସ୍ତାନ ସୁପର ଫୋର୍‍ ପର୍ଯ୍ୟାୟ ଖେଳିବା ପ୍ରାୟ ନିଶ୍ଚିତ କରିଛି।
୧୧୭ ରନ୍‍ର ସହଜ ଲକ୍ଷ୍ୟନେଇ ପାକିସ୍ତାନ ବ୍ୟାଟିଂ କରିଥିବା ବେଳେ ଏହାର ଓପ୍‍ନର ଓପ୍‍ନିଂ ଯୋଡ଼ିରେ ୪୧ ରନ୍‍ କରିଥିଲେ। ଫର୍ମରେ ଥିବା ଫଖର୍‍ ଜମାନ୍‍ ୨୭ ବଲ୍‍ରୁ ଦ୍ରୁତ ୨୪ ରନ୍‍କରି ପ୍ରଥମେ ଆଉଟ ହୋଇଥିଲେ। ପରେ ଅନ୍ୟ ଓପ୍‍ନର ଇମାମ୍‍ ଉଲ୍‍ ହକ୍‍ ଓ ବାବର ଆଜମ୍‍ ୫୨ ରନ୍‍ ଯୋଡ଼ିଥିଲେ। ପାକିସ୍ତାନର ଅନ୍ୟତମ ସଫଳ ଖେଳାଳି ବାବର ଆଜମ୍‍ ୩୬ ବଲ୍‍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୩ ରନ୍‍କରି ୨ୟ ବ୍ୟାଟ୍‍ସମ୍ୟାନ ଭାବେ ଆଉଟ ହୋଇଥିଲେ। ଇମାମ୍‍ ଉଲ୍‍ ହକ୍‍ ଅର୍ଦ୍ଧଶତକ ହାସଲ କରିବା ସହ ୬୯ ବଲ୍‍ରୁ ୫୦ ରନ୍‍କରି ଅପରାଜିତ ଥିଲେ। ବରିଷ୍ଠ ବ୍ୟାଟ୍‍ସମ୍ୟାନ୍‍ ସୋଏବ୍‍ ମାଲିକ୍‍ ୯ ରନ୍‍କରି ଅପରାଜିତ ଥିଲେ।
ଏସିଆ କପ୍‍ରେ ପ୍ରଥମଥର ହଂକଂ ଦଳର ନେତୃତ୍ୱ ନେଉଥିବା ଓଡ଼ିଆ କ୍ରିକେଟର ଅଂଶୁମାନ ରଥ ଟସ୍‍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲେ। ମହମ୍ମଦ ଆମିର ବୋଲିଂ କରିଥିବା ପ୍ରଥମ ଓଭରରେ ହଂକଂ ଓପ୍‍ନର ନିଜାକତ୍‍ ଖାଁ ୧୧ ରନ୍‍ ନେଇଥିଲେ ହେଁ ୫ମ ଓଭରରେ ନିଜାକତ୍‍ ରନ୍‍ଆଉଟ ହେବା ପରେ ଦଳ ବିପର୍ଯ୍ୟୟ ଭୋଗିଥିଲା। ଅଧିନାୟକ ଅଂଶୁମାନ ୯ମ ଓଭର ପର୍ଯ୍ୟନ୍ତ କ୍ରିଜ୍‍ରେ ରହି ୩୪ଟି ବଲ୍‍ର ମୁକାବିଲା କରି ୩ଟି ଚୌକା ସହ ୧୯ ରନ୍‍କରି ଆଉଟ ହୋଇଥିଲେ। ଏହାସହ ୧୨ ରନ୍‍ରେ ୪ଟି ୱିକେଟ ପଡ଼ିଯିବାରୁ ହଂକଂ ୧୭ଶ ଓଭରରେ ୫/୪୪ ରନ୍‍ରେ ପହଞ୍ଚି ଯାଇଥିଲା। ବାବର ହୟାତ୍‍ ୭, କ୍ରିଷ୍ଟୋଫର କାର୍ଟର ୨ ଓ ଏହ୍‍ସାନ ଖାଁ ବିନା ସ୍କୋର୍‍ରେ ଆଉଟ ହୋଇ ଯାଇଥିଲେ। ପରେ କିଞ୍ଚିତ ଶାହା ଓ ଐଜାଜ୍‍ ଖାଁ ୬ଷ୍ଠ ୱିକେଟ ପାଇଁ ୫୩ ରନ୍‍ ଯୋଡ଼ି ସ୍ଥିତି ସୁଧାରିବାର ପ୍ରୟାସ କରିଥିଲେ। ତେବେ ବାମହାତି ଫାଷ୍ଟବୋଲର ଉସ୍‍ମାନ ଖାଁ ଗୋଟିଏ ଓଭରରେ ୨ଟି ୱିକେଟ ନେଇଥିଲେ। ଐଜାଜ୍‍ ଖାଁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୭ ରନ୍‍ କରିଥିଲେ। ମୁମ୍ବଇରେ ଜନ୍ମଗ୍ରହଣ କରିଥିବା କିଞ୍ଚିତ୍‍ ଶାହା ୫୦ ବଲ୍‍ରୁ ୨୬ ରନ୍‍ କରିଥିଲେ। ୧୯ ରନ୍‍ରେ ହଂକଂ ଶେଷ ୫ଟି ୱିକେଟ ହରାଇ ଅଲ୍‍ଆଉଟ ହୋଇ ଯାଇଥିଲା। ଉସ୍‍ମାନ ଖାଁ ୩ଟି ଏବଂ ହାସନ୍‍ ଅଲୀ ଓ ସଦ୍ଦାବ ଖାଁ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Leave A Reply