୧୩୫ ରନ୍ ରେ ଜିତିଲା ଇଂଲଣ୍ଡ: ଆସେସ୍ ଟେଷ୍ଟ ସିରିଜ୍ ୨-୨ ରେ ବରାବର

0

ଓଭାଲ୍‌ : ଆଶା ଅନୁସାରେ ଚଳିତ ଆସେସ୍ ଟେଷ୍ଟ ସିରିଜ୍‌ର ଅନ୍ତିମ ମ୍ୟାଚ୍‌କୁ ଘରୋର ଇଂଲଣ୍ଡ ଜିତିନେଇଛି। ରବିବାର ୪ର୍ଥ ଦିନରେ ଶେଷ ହୋଇଥିବା ଏହି ଟେଷ୍ଟମ୍ୟାଚ୍‌କୁ ଇଂଲଣ୍ଡ ୧୩୫ ରନରେ ଜିତିନେଇଛି। ୨ୟ ଇନିଂସରେ ମାଥ୍ୟୁ ୱେଡ୍‌ଙ୍କ ଶତକ ସତ୍ତ୍ବେ ୩୯୯ ରନ୍‌ ବିଜୟଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆ ୨୬୩ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା। ଇଂଲଣ୍ଡର ଏହି ବିଜୟ ଫଳରେ ୫ ମ୍ୟାଚ୍‌ର ସିରିଜ୍ ୨-୨ରେ ଡ୍ର ରହିଛି। ଫଳରେ ଗତଥର ଏହି ସିରିଜ୍ ଜିତିଥିବା ଅଷ୍ଟ୍ରେଲିଆ ଆସେସ୍ ଟ୍ରଫି ବଜାୟ ରଖିଛି।
ପ୍ରଥମ ଇନିଂସରେ ୬୯ ରନ୍‌ରେ ଆଗୁଆ ରହିିିଥିବା ଇଂଲଣ୍ଡ ୨ୟ ଇନିଂସରେ ୩୨୯ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା। ୩ୟ ଦିନରେ ଇଂଲଣ୍ଡ ୩୧୩ ରନ୍‌କରି ୮ଟି ୱିକେଟ ହରାଇଥିବା ବେଳେ ୪ର୍ଥ ଦିନ ପ୍ରାରମ୍ଭରେ ଇଂଲଣ୍ଡ ଆଉ ୧୬ ରନ୍‌ ଯୋଗକରି ଶେଷ ୨ଟି ୱିକେଟ ହରାଇଥିଲା। ନାଥାନ୍ ଲାୟନ୍ ୪ଟି ଏବଂ ଏବଂ ପିଟର ସିଡ୍‌ଲ, ପ୍ୟାଟ୍‌ କମିନ୍‌ସ ଓ ମିଚେଲ ମାର୍ଶ ୨ଟି ଲେଖାଏଁ ୱିକେଟ ନେଇଥିଲେ। ୩୯୯ ରନ୍ ଲକ୍ଷ୍ୟରେ ଦୟନୀୟ ଭାବେ ଅଷ୍ଟ୍ରେଲିଆ ୨ୟ ଇନିଂସ ଆରମ୍ଭ କରିଥିଲେ। ଷ୍ଟୁଆର୍ଟ ବ୍ରଡ୍‌ କ୍ରମାଗତ ୨ ଓଭରରେ ଅଷ୍ଟ୍ରେଲିଆର ୨ ଓପ୍‌ନର ଡେଭିଡ୍ ୱାର୍ଣ୍ଣର (୧୧) ଓ ମାର୍କସ ହାରିସ୍ (୯) ଆଉଟ ହୋଇ ଯାଇଥିଲେ। ପରେ ମାର୍ନସ ଲାବୁଶ୍ଚାନ୍ୟେ ୧୪ ରନ୍‌କରି ବିଦାୟ ନେଇଥିଲେ। ଚଳିତ ସିରିଜ୍‌ରେ ଅଷ୍ଟ୍ରେଲିଆର ବ୍ୟାଟିଂ ହିରୋ ସିରିଜ୍‌ରେ ତାଙ୍କର ସର୍ବନିମ୍ନ ବ୍ୟକ୍ତିଗତ ସ୍କୋର୍ ୨୩ ରନ୍‌ରେ ଆଉଟ ହେବା ଅଷ୍ଟ୍ରେଲିଆ ପାଇଁ ଶକ୍ତ ଧକ୍କା ଥିଲା। ୮୫ ରନ୍‌ରେ ୪ଟି ୱିକେଟ ପଡ଼ିଯିବା ପରେ ମାଥ୍ୟୁ ୱେଡ୍‌ ଓ ମିଚେଲ ମାର୍ଶ ୬୩ ରନ୍ ଯୋଡ଼ିଥିଲେ। ମାର୍ଶ ୨୪ ରନ୍‌କରି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ଙ୍କ ଶିକାର ହୋଇଥିଲେ। ୬ଷ୍ଠ ୱିକେଟ ପାଇଁ ମାଥ୍ୟୁ ୱେଡ୍‌ ଓ ଅଧିନାୟକ ଟିମ୍ ପେନ୍ ୫୨ ରନ୍ ଯୋଡ଼ିବା ପରେ ପେନ୍ ୨୧ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ମାଥ୍ୟୁ ୱେଡ୍‌ ଶତକ ମାରିଥିଲେ। ଏହି ବାମହାତି ଗୋଟିଏ ଛକା ଓ ୧୭ଟି ଚୌକା ସହ ୧୧୭ ରନ୍‌କରି ଆଉଟ ହେବା ପରେ ଅଷ୍ଟ୍ରେଲିଆ ଅଲ୍‌ଆଉଟ ହୋଇ ଯାଇଥିଲା। ୧୯ ରନ୍‌ରେ ଅଷ୍ଟ୍ରେଲିଆ ଶେଷ ୪ଟି ୱିକେଟ ହରାଇଥିଲା। ଷ୍ଟୁଆର୍ଟ ବ୍ରଡ୍‌ ଓ ଜ୍ୟାକ୍ ଲିଚ୍ ୪ଟି ଲେଖାଏଁ ଏବଂ ଜୋ ରୁଟ୍‌ ୨ଟି ୱିକେଟ ନେଇଥିଲେ। ଜୋଫ୍ରା ଆର୍ଚର ପ୍ଲେୟର ଅଫ୍ ଦି ମ୍ୟାଚ୍ ଏବଂ ବେନ୍ ଷ୍ଟୋକ୍‌ସ ପ୍ଲେୟର ଅଫ୍ ଦି ସିରିଜ୍ ହୋଇଥିଲେ।

Leave A Reply