ଆରଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜିଲା ସ୍ୱାସ୍ଥ୍ୟ ବିଭାଗର ଅବହେଳା ଅଭିଯୋଗ

0

ଆରଡି : ଭଦ୍ରକ ଜିଲା ଆରଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜିଲା ସ୍ୱାସ୍ଥ୍ୟ ବିଭାଗ ଦୀର୍ଘଦିନ ହେବ ଅବହେଳା କରୁଥିବା ଅଭିଯୋଗ ହୋଇଛି। ସବୁଠାରୁ ବଡକଥା ହେଲା ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କିଛିଦିନ ହେବ ନିୟୋଜିତ ଥିବା ଡାକ୍ତରଙ୍କର ଅନ୍ୟତ୍ର ବଦଳି ହୋଇଥିବାରୁ ତାଙ୍କ ବଦଳରେ ଡାକ୍ତର ଦେବା ପାଇଁ ସ୍ଥାନୀୟ ଲୋକ ଜିଲା ଚିକିତ୍ସା ଅଧିକାରିଙ୍କ ନିକଟରେ ଦାବି ଆଣୁଥିଲେ ମଧ୍ୟ ଜିଲା ଚିକିତ୍ସାଧିକାରୀ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପଚାରିବାରୁ ଆରଡି ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଡାକ୍ତର ନାହାନ୍ତି, ତାହାସହ ଜିଲାର ଡାକ୍ତର ସଂଖ୍ୟା କମ ଥିବାରୁ ଡାକ୍ତର ଦେଇ ହେବ ନାହିଁ ବୋଲି ସିଧାସଳଖ ଭାବେ ମନା କରି ଦେଇଥିଲେ।

ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଭଦ୍ରକ ଜିଲା ଚାନ୍ଦବାଲି ଓ ତିହିଡି ବ୍ଲକର ୬ପଞ୍ଚାୟତ ସମେତ ପଡୋଶୀ ଯାଜପୁର ଓ କେନ୍ଦ୍ରପଡା ଜିଲାର ୨ଟି ପଞ୍ଚାୟତର ପାଖାପାଖି ୩୦ହଜାର ଲୋକ ନିର୍ଭର କରିଥାନ୍ତି। ତାହାସହ ପୀଠକୁ ଆସୁଥିବା ଆଗନ୍ତୁକ ପର୍ଯ୍ୟଟକ ଓ ଭକ୍ତମାନେ ମଧ୍ୟ ପ୍ରାଥମିକ ଚିକିତ୍ସା ନିମନ୍ତେ ନିର୍ଭର କରିଥାନ୍ତି। ବିଶେଷକରି ଆଖପାଖରେ ଘଟୁଥିବା ଛୋଟବଡ ଦୂର୍ଘଟଣାରେ ଆହତ ମାନଙ୍କୁ ପ୍ରଥମେ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥାଏ। ହେଲେ ଦୂର୍ଘଟଣା ଜନିତ କୈାଣସି ବ୍ୟବସ୍ଥା ନଥିବାରୁ ଅନେକ ସମୟରେ ରୋଗୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେବା ବେଳକୁ ଅଧାବାଟରେ ସେମାନେ ଆର ପାରିକୁ ଚାଲିଯାଇଥାନ୍ତି। ସେହିପରି ପ୍ରସୂତିଙ୍କ ପାଇଁ ସ୍ୱତନ୍ତ୍ର କୋଠରୀ ରହିଥିଲେ ମଧ୍ୟ ଷ୍ଟାଫ୍ କ୍ୱାଟର ନଥିବାରୁ ପ୍ରସୂତି କାର୍ଯ୍ୟ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ହୋଇପାରେ ନାହିଁ। ଯେତେବେଳେ ହିଁ ପ୍ରସୂତି ମହିଳା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସନ୍ତି ସେମାନଙ୍କୁ ନିୟୋଜିତ ଥିବା ଫାର୍ମାସିଷ୍ଟ ସିଧାସଳଖ ୨୦କି.ମି ଦୂର ଧୂଷୁରୀ ଏରିଆ ହସିପିଟାଲ କିମ୍ବା ୪୦କ.ମି ଦୂର ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇ ତାଙ୍କର କାମ ସାରିଥାନ୍ତି। ଏପରି ଘଟଣା ସର୍ମ୍ପକରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଷ୍ଟାଫଙ୍କୁ ପଚାରିବାରୁ- ଆମ ପାଖରେ କୈାଣସି ବ୍ୟବସ୍ଥା ନାହିଁ, ତାହାସହ ପ୍ରସୂତି ବିଭାଗର କେହି ଡାକ୍ତର ନଥିବାରୁ ଏଠି ପ୍ରସୂତି ମହିଳାମାନଙ୍କୁ ସେବା ଯୋଗାଇ ଦିଆଯାଇ ପାରୁନାହିଁ ବୋଲି କହୁଛନ୍ତି। ବିଗତ କିଛିମାସ ହେବ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଡାକ୍ତରଙ୍କୁ ଆରଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ଧୁଷୁରୀ ଏରିଆ ହସିପିଟାଲ ଦାୟୀତ୍ୱ ଦିଆଯାଇଥିଲା। ଏପରି ସମସ୍ୟା ବାବଦରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଜିଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କ ନିକଟରେ ଅଭିଯୋଗ ହେବା ପରେ ଉକ୍ତ ଡାକ୍ତରଙ୍କୁ ଗତ କଛିଦିନ ହେବ ଧୁଷୁରୀ ଏରିଆ ହସିପିଟାଲରୁ ବନ୍ଦ କରାଯାଇ ଆରଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ସମ୍ପୂର୍ଣ୍ଣ ଦାୟିତ୍ୱ ଭାର ଦିଆଯାଇଥିଲା। ହେଲେ ଉକ୍ତ ଡାକ୍ତରଙ୍କର ଗତ ସୋମବାର ଅନ୍ୟତ୍ର ବଦଳି ହେବା ପରେ ଆରଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୨ଟା ବାଜିଲେ ତାଲା ଝୁଲୁଛି। ତାହାସହ ଦୈନଦିନ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ଶତାଧିକ ରୋଗୀ ପ୍ରାଥମିକ ସେବା ନପାଇ ଦୀର୍ଘ ୨୦କି.ମି ଦୂର ଧୁଷୁରୀ ଏରିଆ ହସିପିଟାଲକୁ ଯାଉଥିବା ରୋଗୀଙ୍କ ସର୍ମ୍ପକୀୟ ପ୍ରକାଶ କରିଛନ୍ତି।

Leave A Reply