ଅଷ୍ଟ୍ରେଲିଆରେ ଆପଲ ଉପରେ ୪୫ କୋଟି ଟଙ୍କା ଜୋରିମାନା

0

କ୍ୟାନବେରା : ଅଷ୍ଟ୍ରେଲିଆର ସଂଘୀୟ ଅଦାଲତ ଉପଭୋକ୍ତାଙ୍କୁ ଭ୍ରମିତ କରିବା ଅଭିଯୋଗରେ ‘ଆପଲ’ ମୋବାଇଲ ଫୋନ୍‍ କମ୍ପାନୀ ଉପରେ ୬.୬ ନିୟୁତ ଡଲାର (୪୫ କୋଟି ଟଙ୍କା) ଜୋରିମାନା ଲଗାଇଛି। ଅଷ୍ଟ୍ରେଲିଆ କ୍ଷତିପୂରଣ ଏବଂ ଉପଭୋକ୍ତା ଆୟୋଗ (ଏସିସିସି) ଶତାଧିକ ଉପଭୋକ୍ତାଙ୍କ ଅଭିଯୋଗର ତଦନ୍ତ ପରେ ମାମଲାକୁ ଅଦାଲତକୁ ସ୍ଥାନାନ୍ତର କରିଥିଲା। ଅଭିଯୋଗରେ ଦର୍ଶାଯାଇଥିଲା ଯେ ୨୦୧୫ ଫେବୃଆରୀରୁ ୨୦୧୬ ଫେବୃଆରୀ ମଧ୍ୟରେ ଲୋକେ କିଣିଥିବା ଆଇଫୋନ୍‍ ଆଇପ୍ୟାଡରେ ସମସ୍ୟା ଦେଖାଯାଇଥିଲା। ଏନେଇ ସେମାନେ ଆପଲ ଗ୍ରାହକ ସେବା ଅଧିକାରୀଙ୍କୁ ଯୋଗାଯୋଗ କରି ନିରାଶ ହୋଇଥିଲେ। କମ୍ପାନୀ ଏହି ମୋବାଇଲ ଫୋନ୍‍ ଗୁଡ଼ିକର ମରାମତି କରିବାକୁ ମନା କରିଦେଇଥିଲା। ଅଦାଲତରେ ଏହି ଅଭିଯୋଗକୁ କମ୍ପାନୀ ସ୍ୱୀକାର କରିଛି। ଅଦାଲତ ମାମଲାର ଶୁଣାଣି ବେଳେ କହିଥିଲେ ଯେ ଉତ୍ପାଦର କୌଣସି ସମସ୍ୟା ଦେଖାଗଲେ ଅଷ୍ଟ୍ରେଲିଆ ଉପଭୋକ୍ତା ଆଇନ ଅନୁସାରେ ଉତ୍ପାଦକୁ ବଦଳାଯିବା କିମ୍ବା ମରାମତି କରାଯିବା ଆବଶ୍ୟକ। ଏହି ସେବା ପାଇବା ସବୁ ଉପଭୋକ୍ତାଙ୍କ ଅଧିକାର। ଆପଲ ପାଖକୁ ଆସିବା ପୂର୍ବରୁ ଉପଭୋକ୍ତାମାନେ ତୃତୀୟ ପକ୍ଷ ଦ୍ୱାରା ମୋବାଇଲ ଫୋନର ମରାମତି କରିଥିବାରୁ ଆପଲ ଫୋନ୍‍ ମରାମତି କରିବାକୁ ମନା କରିଦେଇଥିଲା ବୋଲି ଯୁକ୍ତି ଦର୍ଶାଇଥିଲା। ପ୍ରାୟ ୨୭୫ ଉପଭୋକ୍ତା ଆପଲ ଆଇଫୋନ୍‍ରେ ସମସ୍ୟା ଦେଖାଯାଇଥିବା ଓ ଆପଲ ମରାମତି କରିବାକୁ ମନା କରିଦେଇଥିବା ଅଭିଯୋଗ କରିଥିଲେ। ମାମଲାର ବିଚାର କରି ଅଦାଲତ ଆପଲ ଉପରେ ୪୫ କୋଟି ଟଙ୍କାର ଜୋରିମାନା ଲଗାଇଛନ୍ତି। ଏହି ଜୋରିମାନା ଅର୍ଥ କ୍ଷତି ସହିଥିବା ସମସ୍ତ ଉପଭୋକ୍ତାଙ୍କୁ ପ୍ରଦାନ କରାଯିବ।

Leave A Reply