ଭୁବନେଶ୍ୱର : ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକଙ୍କ ପରଲୋକ ଘଟିଛି। ନୂଆଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଶୁକ୍ରବାର ସକାଳେ ତାଙ୍କର ପରଲୋକ ଘଟିଛି। ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଲୋକପ୍ରିୟ ପ୍ରଯୋଜକ ଓ ନିର୍ଦ୍ଦେଶକ ଭାବେ ସେ ବେଶ ସୁନାମ ଅର୍ଜନ କରିଥିଲେ। ୮୦ଦଶକରେ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ପ୍ରବେଶ କରି ସେ ଦର୍ଶକଙ୍କୁ ଅନେକ ମନୋରଞ୍ଜନ ଧର୍ମୀ ଚଳଚ୍ଚିତ୍ର ଭେଟି ଦେଇଥିଲେ। ୧୯୮୪ ମସିହାରେ ସେ ନିର୍ମାଣ କରିଥିଲେ ଓଡ଼ିଆ ଫିଲ୍ବ ‘ହାକିମ ବାବୁ’। ପ୍ରଣବ ଦାସ ଏହାର ନିର୍ଦ୍ଦେଶନା ଦେଇଥିଲେ। ‘ହାକିମ ବାବୁ’କୁ ରାଜ୍ୟ ଏବଂ ରାଷ୍ଟ୍ରୀୟ ପୁରସ୍କାର ମିଳିଥିଲା।

୧୯୮୫ରେ ଅମୀୟ ପଟ୍ଟନାୟକ ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଇ ନିର୍ମାଣ କରିଥିଲେ ‘ମମତା ମାଗେ ମୂଲ’। ଏହା ପରେ ’ ପୁଅ ମୋର କଳାଠାକୁର’,‘ଚକା ଆଖି ସବୁ ଦେଖୁଛି’,‘ଆସୁଛି ମୋ କାଳିଆ ସୁନା’,‘ଚକାଡୋଳା କରୁଛି ଲୀଳା’ ଆଦି ମଲ୍ଟିଷ୍ଟାର ଓ ବିଗ୍ ବଜେଟର ଚଳଚ୍ଚିତ୍ର ନିର୍ମାଣ କରି ଅପାର ସଫଳତା ଲାଭ କରିଥିଲେ। ଇଷ୍ଟର୍ଣ୍ଣ ମିଡିଆ ବ୍ୟାନରରେ ସେ ଏହି ସବୁ ଚଳଚ୍ଚିତ୍ର ନିର୍ମାଣ କରି ସଫଳତା ଳାଭ କରିଥିଲେ। ପରେ ‘ପରଦେଶୀବାବୁ’, ‘ରାଜାରାଣୀ’ ଏବଂ ‘ତୁଳସୀ ଅପା’ ଆଦି ସିନେମା ନିର୍ମାଣ କରିଥିଲେ। ସଙ୍ଗୀତ ନିର୍ଦେଶକ ଅକ୍ଷୟ ମହାନ୍ତି-ନିର୍ଦେଶକ ରାଜୁ ମିଶ୍ର ଓ ଅମୀୟ ପଟ୍ଟନାୟକଙ୍କ ତ୍ରିମୂର୍ତି ଯୋଡି ୮୦ଦଶକରେ ଓଡ଼ିଆ ଦର୍ଶକଙ୍କୁ ସୁପର ଡୁପର ହିଟ ଫିଲ୍ମ ଭେଟି ଦେଇଥିଲେ।
କିଛିଦିନ ତଳେ ‘ତୁଳସୀ ଅପା’ ଚଳଚ୍ଚିତ୍ର ଲାଗି ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ତାଙ୍କ ପରଲୋକରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି।



