ମଙ୍ଗଳବାର ମାଲଦାରେ ବିଜେପିର ଜନସମାବେଶ ; ଯୋଗଦେବେ ଶାହା

0

କଲକାତା : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଜାନୁଆରୀ ୨୨ (ମଙ୍ଗଳବାର)  ମାଲଦା ଜିଲାରେ ବିଜେପିର ଏକ ଜନସମାବେଶ କରିବାକୁ  ସ୍ଥିର କରିଛନ୍ତି। ମାତ୍ର ଏହି କାର୍ଯ୍ୟକ୍ରମ ପାଇଁ ମମତା ସରକାର ଅନୁମତି ଦେଇ ନ ଥିଲା।  କିନ୍ତୁ  କୁହାଯାଏ ରାଜନୀତିରେ ଗୋଟିଏ ରାସ୍ତା ବନ୍ଦ ​ ହେ‌ଲେ ତୁରନ୍ତ ଆଉ ଏକ ରାସ୍ତା ପ୍ରଶସ୍ତ ହୋଇଥାଏ। କଲକାତାରେ ଠିକ ଏମିତି ଘଟିଛି ବିଜେପି କ୍ଷେତ୍ରରେ। ଦଳର ‘ରଥଯାତ୍ରା’କୁ ଅନୁମତି ନ ଦେଇ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମୁଖ୍ୟା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ବିଜେପିର ପଥ ଅବରୋଧ କରିବାକୁ ଉଦ୍ୟମ କରିଛି। କିନ୍ତୁ ଶତ୍ରୁର ଶତ୍ରୁ ମିତ୍ର ନ୍ୟାୟରେ ସହଯୋଗର ହାତ ବଢାଇଛି ସିପିଆଇ(ଏମ୍‌)। ଦଳର ନେତା ତରୁଣ ଘୋଷ ଏହି ଜନସମାବେଶ ପାଇଁ ନିଜର ଏକ ଜମି ପ୍ରଦାନ କରିଛନ୍ତି। ସେ କହିଛନ୍ତି ବିଜେପିକୁ ଜନସମାବେଶ ପାଇଁ ଅନୁମତି ଦେବାରେ କୌଣସି ତ୍ରୁଟି ନାହିଁ। ଜମିଟି ଖାଲିପଡିଛି; ଏଣୁ ସେଠାରେ ବିଜେପି ଏହାର କାର୍ଯ୍ୟକ୍ରମ କରିପାରିବ। ଏ ନେଇ ବିଜେପି ନେତା ତରୁଣ ଘୋଷ ଓ ସ୍ଥାନୀୟ ବିଧାୟକ ସ୍ବାଧୀନ କୁମାର ସରକାର କିଛି ଦିନ ପୂର୍ବେ ତାଙ୍କ ସହିତ ଯୋଗାଯୋଗ କରିଥିଲେ। ତେବେ ଏ ନେଇ ବିଜେପି ସହିତ ତାଙ୍କର ଟଙ୍କା କାରବାର ହୋଇଥିବା ଖବରକୁ ସେ ଅସ୍ବୀକାର କରିଛନ୍ତି।
ଅନ୍ୟପଟେ ବିଜେପି ପ୍ରତି ସିପିଆଇ(ଏମ୍‌) ନେତାଙ୍କ ଏଭଳି ସହୃଦୟତା ତୃଣମୂଳ କଂଗ୍ରେସ ନେତାଙ୍କ ଭୃକୁଞ୍ଚନ କରିଛି। ବିଜେପି ଓ ସିପିଆଇ(ଏମ୍‌) ଏକ ରଣନୀତି କ୍ରମେ ଏକାଠି ହୋଇଥିବା ଦଳ ଦର୍ଶାଇଛି। ଟିଏମ୍‌ସି ନେତା ଦୁଲାଲ ସରକାର କହିଛନ୍ତି ସିପିଆଇ(ଏମ୍‌) ନେତାଙ୍କ ଏହି ନିଷ୍ପତ୍ତିରୁ ଜଣାପଡୁଛି ରାମ ଓ ବାମ ଭାଇ ଭାଇ। ଅର୍ଥାତ୍‌ ବିଜେପି ଓ ବାମ ଦଳ ମଧ୍ୟରେ ରାଜନୈତିକ ବୁଝାମଣା ରହିଛି। ଉଲ୍ଲେଖ ଯେ ଶାହା ଗତ କିଛି ଦିନ ହେବ ସ୍ବାଇନ ଫ୍ଲୁରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ରବିବାର ସେ ଡାକ୍ତରଖାନାରୁ ଫେରିଛନ୍ତି।

ମଙ୍ଗଳବାର ପୂର୍ବାହ୍ଣରେ ସେ କଲିକତାରେ ପହଞ୍ଚିବେ। ସେଠାରୁ ଏକ ହେଲିକପ୍ଟର ଯୋଗେ ମାଲଦା ଯିବେ। ତାଙ୍କ ହେଲିକପ୍ଟର ଅବତରଣ ଲାଗି ଉଦ୍ଦିଷ୍ଟ ହେଲିପ୍ୟାଡ ପାଇଁ ସ୍ଥାନ ଯୋଗାଇ ଦେବାକୁ ମଧ୍ୟ ରାଜ୍ୟ ସରକାର ମନା କରିଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଥିଲା। କିନ୍ତୁ ବିଜେପି ମିଛ କହୁଥିବା ଟିଏମ୍‌ସି ଅଗିଯୋଗ କରିଛି। ଏଥିସହ ଉକ୍ତ ସ୍ଥାନରେ ନିର୍ମାଣ କାର୍ଯ୍ୟ ଜାରି ଥିବାରୁ ପ୍ରଥମେ ହେଲିକପ୍ଟର ଅବତରଣ ଲାଗି ଅନୁମତି ଦିଆଯାଇ ନ ଥିଲା ଏବଂ ପରେ ଅନ୍ୟ ଏକ ସ୍ଥାନରେ ହେଲିପ୍ୟାଡ କରିବାକୁ ନିର୍ଦେଶ ଦିଆଯାଇଛି ବୋଲି ମମତା ସରକାର ପକ୍ଷରୁ କୁହାଯାଉଛି। ଉଲ୍ଲେଖ ଯେ ଶାହା ମଙ୍ଗଳବାର ଝାରଗ୍ରାମ ଓ ବୀରଭୂମ ଜିଲାରେ ଦୁଇଟି ରାଲି କରିବେ। ଜାନୁଆରୀ ୨୪ରେ ନଦିଆ ଜିଲାର କ୍ରିଷ୍ଣାନଗର ଓ ଦକ୍ଷିଣ ୨୪ ପ୍ରଗଣାର ଜୟନଗରଠାରେ ଜନସମାବେଶକୁ ଉଦ୍‌ବୋଦନ ଦେବାକୁ ସ୍ମୃତି ଇରନୀଙ୍କୁ ନିବେଦନ କରାଯିବ। ସେହିଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କଲିକତାର ବ୍ରିଗେଡ ପ୍ୟାରେଡ ପଡିଆଠାରେ ଜନସମାବେଶକୁ ଉଦ୍‌ବୋଧନ ଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି।

Leave A Reply