ଆଧାର ବୈଧତାର ଶୁଣାଣି : କେନ୍ଦ୍ରର ଯୁକ୍ତିକୁ ସୁପ୍ରିମକୋର୍ଟଙ୍କ ଖଣ୍ଡନ

0

ନୂଆଦିଲ୍ଲୀ : ଆଧାର କାର୍ଡ ପାଇଁ ବ୍ୟକ୍ତିର ବାୟୋମେଟ୍ରିକ ତଥ୍ୟ ସଂଗ୍ରହ ଦ୍ୱାରା ଗୋପନୀୟତା ଉପରେ କୌଣସି ପ୍ରକାର ହସ୍ତକ୍ଷେପ ହେଉ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି। ଏପରିକି ୨୦୧୬ରେ ଆଧାର ଆଇନ ପ୍ରଣୟନ ପୂର୍ବରୁ ସରକାର ଆଧାର କାର୍ଡ ପାଇଁ ବାୟୋମେଟ୍ରିକ ତଥ୍ୟ ସଂଗ୍ରହ କରିଥିଲେ ତଦ୍ୱାରା ବ୍ୟକ୍ତିର ଗୋପନୀୟତା ଉପରେ କୌଣସି ପ୍ରକାର ହସ୍ତକ୍ଷେପ ହୋଇ ନଥିବା ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ କହିଛନ୍ତି। ମଙ୍ଗଳବାର ଆଧାର ଆଇନର ସାମ୍ବିଧାନିକ ବୈଧତା ଉପରେ ଶୁଣାଣି ଚାଲିଥିବାବେଳେ ସରକାରଙ୍କ ପକ୍ଷରୁ ବେଣୁଗୋପାଳ ଏପରି ଯୁକ୍ତି ଉପସ୍ଥାପନ କରିଥିଲେ। ତେବେ ସରକାରଙ୍କର ଏପରି ଯୁକ୍ତିକୁ ସୁପ୍ରିମକୋର୍ଟ ଖଣ୍ଡନ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ନେତୃତ୍ୱ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ପ୍ରଶ୍ନ କରିଥିଲେ ଯେ ୨୦୧୬ରେ ଆଧାର ଆଇନ ପ୍ରଣୟନର ବହୁ ପୂର୍ବରୁ ୨୦୧୦ ଠାରୁ ସରକାର ଆଧାର କାର୍ଡ ପାଇଁ ବ୍ୟକ୍ତିର ବାୟୋମେଟ୍ରିକ ତଥ୍ୟ ସଂଗ୍ରହ କରିଛନ୍ତି। ତେଣୁ ଏହିସବୁ ବାୟୋମେଟ୍ରିକ ତଥ୍ୟର ସ୍ଥିତି କଣ ହେବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସରକାରଙ୍କୁ ପ୍ରଶ୍ନ କରିଥିଲେ। ସୁପ୍ରିମକୋର୍ଟଙ୍କ ପ୍ରଶ୍ନର ଉତ୍ତରରେ ବେଣୁଗୋପାଳ କହିଥିଲେ ଯେ ୧୯୫୦ରେ ଓ ୧୯୬୨ରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ଦୁଇଟି ରାୟରେ ଗୋପନୀୟତାକୁ ମୌଳିକ ଅଧିକାର ପରିସରର ବାଦ୍‍ ଦେଇଥିଲେ। ତେଣୁ ଆଧାର ଆଇନ ପ୍ରଣୟନର ବହୁ ପୂର୍ବରୁ ୟୁଆଇଡିଏଆଇ ବାୟୋମେଟ୍ରିକ ତଥ୍ୟ ସଂଗ୍ରହ କରି କୌଣସି ଗୋପନୀୟତାକୁ ଉଲ୍ଲଙ୍ଘନ କରି ନାହାନ୍ତି। ୨୦୧୭ ଅଗଷ୍ଟ ୨୪ରେ ସୁପ୍ରିମକୋର୍ଟଙ୍କ ୯ଜଣିଆ ବିଚାରପତି ପୀଠ ବ୍ୟକ୍ତିର ଗୋପନୀୟତା ଅଧିକାରକୁ ମୌଳିକ ଅଧିକାର ବୋଲି ଦର୍ଶାଇଛନ୍ତି।

Leave A Reply