ଦରଡା ଗ୍ରାମ୍ୟଛକ ଠାରେ ପୃଥକ ସଡକ ଦୁର୍ଘଟଣା

0

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପିପିଲି ବାଇପାସ ରାସ୍ତାର ଦରଡା ଗ୍ରାମ୍ୟଛକ ନିକଟରେ ବୁଧବାର ରାତିରେ ଦୁଇଟି ପୃଥକ୍‍ ସଡକ ଦୁର୍ଘଟଣା ଘଟିଛି। ଏଥିରେ କେହି ଗୁରୁତର ହୋଇନଥିବା ସୂଚନା ମିଳିଛି। ସୂଚନା ମୁତାବକ, ଭୁବନେଶ୍ୱରରୁ ପୁରୀକୁ ଫେରୁଥିବା ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟର ଏକ ୧୦୮ ଆମ୍ବୁଲାନ୍ସ ଦରଡା ଗ୍ରାମ୍ୟ ଛକ ନିକଟରେ ରାସ୍ତା ଉପରେ ଠିଆ ହୋଇଥିବା ଅନ୍ୟ ଏକ ସ୍ପିରିଟ୍‍ ବୋଝେଇ ଟ୍ୟାଙ୍କର ପଛରେ ଧକ୍କା ଲାଗିଥିଲା। ଏଥିରେ ଉକ୍ତ ୧୦୮ ଆମ୍ବୁଲାନ୍ସର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଚାଳକ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଉକ୍ତ ସ୍ଥାନର ମାତ୍ର ୫୦ଫୁଟ୍‍ ବ୍ୟବଧାନରେ ଅପରପାର୍ଶ୍ବ ରାସ୍ତାରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ କାର୍‍କୁ ପଛରୁ ଅନ୍ୟ ଏକ କାର୍‍ ଧକ୍କା ଦେଇଥିଲା। ଫଳରେ ସମ୍ମୁଖ କାର୍‍ଟି ନିୟନ୍ତ୍ରଣ ହରାଇ ରାସ୍ତା କଡ ଖାଲକୁ ଓଲଟି ପଡିଥିବା ବେଳେ ଚାଳକ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ଯୋଗୁଁ କିଛି ସମୟ ପାଇଁ ସେଠାରେ ଟ୍ରାଫିକ୍‍ ସମସ୍ୟା ସୃଷ୍ଟି ହୋଇଥିଲା। ରାତି ପ୍ରାୟ ସାଢେ ୯ଟାରେ ଏହି ଦୁଇଟି ଦୁର୍ଘଟଣା ଘଟିଥିବା ବେଳେ ଖବର ପାଇ ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଗୁଡିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Leave A Reply