ତିନି ଗାଡ଼ିକୁ ଧକ୍କା ଦେଲା ଭ୍ୟାନ, ୨ ଗୁରୁତର

0

କଟକ : ମାଲଗୋଦାମ ଥାନା ଅନ୍ତର୍ଗତ ଓଏମପି-କଲେଜଛକ ଫ୍ଲାଏଓଭରରେ ସୋମବାର ରାତିପ୍ରାୟ ୧୧ଟାରେ ସିରିଜ ଦୁର୍ଘଟଣା ଘଟିଛି। ଫ୍ଲାଇଓଭରରୁ କଲେଜ ଛକ ଆଡକୁ ଆସୁଥିବା ଏକ ପିକ୍‍ଅପ୍‍ ଭ୍ୟାନ ଭାରସାମ୍ୟ ହରାଇ ତିନିଟି ଗାଡିକୁ ଧକ୍କା ଦେଇଥିଲା। ପ୍ରଥମେ ସମ୍ମୁଖରୁ ଏକ ବାଇକ୍‍ ଧକ୍କାଦେବା ପରେ ଆଉ ଗୋଟିଏ କାର୍‍ ଏବଂ ପଛରେ ଥିବା ଅନ୍ୟ ଏକ ବାଇକ୍‍କୁ ଧକ୍କାଦେଇଥିଲା। ଧକ୍କାଖାଇ ଦୁଇଜଣ ବାଇକ୍‍ ଚାଳକ ମଧ୍ୟରୁ ଜଣେ ଦୂରକୁ ଛିଟିକି ପଡ଼ିବା ସହିତ ଅନ୍ୟଜଣେ ଫ୍ଲାଏଓଭର ତଳକୁ ଖସି ପଡିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଚାଳକଦ୍ୱୟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବା ପୁଲିସ ପ୍ରକାଶ କରିଛି। ଅନ୍ୟପକ୍ଷରେ ଦୁର୍ଘଟଣାରେ କାରର ସମ୍ମୁଖପଟ ଭାଙ୍ଗିରୁଜି ଯାଇଛି। ଦୁର୍ଘଟଣା ପରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଲୋକଙ୍କୁ ବୁଝାସୁଝା କରିବା ସହିତ ଦୁର୍ଘଟଣା ଘଟାଇଥିବା ଭ୍ୟାନ୍‍କୁ ଜବତ କରି ତଦନ୍ତ ଜାରି ରଖିଛି। ଚାଳକଦ୍ବୟଙ୍କ ପରିଚୟ ମିଳିପାରି ନାହିଁ।

Leave A Reply