ଆନ୍ଧ୍ର ଶୋଷୁଛି; ଓଡ଼ିଶା ଶୁଖା

0

ରାଜ୍ୟର ମାଟି, ପାଣି ଉପରେ ପଡ଼ୋଶୀଙ୍କ ଲୋଲୁପ ଦୃଷ୍ଟି

ଲମତାପୁଟ : ଓଡିଶାର ମାଟି, ପାଣି ଉପରୁ ଆନ୍ଧ୍ରର ଲୋଲୁପ ଦୃଷ୍ଟି ହଟୁନାହିଁ। ସର୍ବଦା ସୀମା ଓ ପାଣିକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ଏବେ କିଛିଦିନ ହେଲା କୋରାପୁଟ ସୀମାନ୍ତ କୁଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ରର ଅନୁପ୍ରବେଶ ନେଇ ଚାଲିଛି ଚର୍ଚ୍ଚା। ଏପଟେ ମାଲକାନଗିରି ଜିଲା ବାଲିମେଳା ଜଳଭଣ୍ଡାରରୁ ପାଣି ଆନ୍ଧ୍ରକୁ ଚାଲିଯିବା ପରେ ଜଳଭଣ୍ଡାର ଶୁଖିଯାଉଥିବା ଅଭିଯୋଗ ହେଉଛି। ଏହାକୁ ନେଇ ଉଭୟ ରାଜ୍ୟ ଭିତରେ ବିବାଦ ଘନଉଥିବାବେଳେ କୋରାପୁଟ ଜିଲା ଲମତାପୁଟ ବ୍ଲକରେ ଅବସ୍ଥିତ ମାଛକୁଣ୍ଡ ଜଳଭଣ୍ଡାରରୁ ଆନ୍ଧ୍ରକୁ ଜଳ ଯୋଗାଣ ନିମନ୍ତେ ଗୋଟିଏ ଫାଟକ ଖୋଲାଯିବା ବିବାଦକୁ ଆହୁରି ଘନୀଭୂତ କରିଛି।
ଶୁଖିଯାଉଛି ଓଡ଼ିଶାର ଜଳଭଣ୍ଡାର। ପଡ଼ୋଶୀ ଆନ୍ଧ୍ର ଜଳ ଶୋଷି ନେଇଯାଉଛି। ଜେଲାପୁଟ ଜଳଭଣ୍ଡାରରୁ ଦୈନିକ ୧୯୦ ନିୟୁତ ଘନଫୁଟ ଜଳ ଆନ୍ଧ୍ରପ୍ରଦେଶକୁ ଛଡ଼ାଯାଉଥିବାବେଳେ ୬ଦିନରେ ୧ହଜାର ୧୪୦ମିଲିୟନ ଘନଫୁଟ ଜଳ ଜଳଭଣ୍ଡାରରୁ ନିଷ୍କାସିତ ହୋଇସାରିଲାଣି। ଜଳଭଣ୍ଡାରରୁ ଜଳ ଛାଡ଼ିବା କେବେ ବନ୍ଦ ହେବ ତାହା କାହା ପାଖରେ ସୂଚନା ନ ଥିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଓଡ଼ିଶାରୁ ଜଳ ନେଇ ଚିରସବୁଜ ହୋଇ ରହିବା ପାଇଁ ଆନ୍ଧ୍ର ଅନବରତ ପ୍ରୟାସ ଚଳାଇଥିବାବେଳେ ଓଡ଼ିଶାର ନିରବତା ଏ ଅଞ୍ଚଳକୁ ଶୁଖା ଅଞ୍ଚଳ ରୂପେ ପରିଣତ କରି ଦେଉଛି।
ପ୍ରକାଶ ଯେ ଓଡ଼ିଶା-ଆନ୍ଧ୍ର ଯୁଗ୍ମ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ହେଉଛି ମାଛକୁଣ୍ଡ ଜଳ ବିଦ୍ୟୁତ୍‌ କେନ୍ଦ୍ର। ଏହି ବିଦ୍ୟୁତ୍‌ କେନ୍ଦ୍ର ନିମନ୍ତେ ୨ଟି ଜଳଭଣ୍ଡାର ରହିଛି। ମୁଖ୍ୟ ଜଳଭଣ୍ଡାର ଜଲାପୁଟରେ ରହିଥିବାବେଳେ
ଅନ୍ୟ ଏକ ଜଳଭଣ୍ଡାର ମାଛକୁଣ୍ଡରେ ରହିଛି। ଏହି ୨ଟି ଜଳଭଣ୍ଡାରରେ ରହିଥିବା ଜଳକୁ ଆନ୍ଧ୍ର ସରକାର ଲୋଲୁପ ଦୃଷ୍ଟି ପକାଇ ଲୁଟ୍‌ କରିବାରେ ଲାଗି ପଡ଼ିଛନ୍ତି। ଆନ୍ଧ୍ର ସରକାର ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଜଳସ୍ତର କମିଲେ ବିଛିନ୍ନାଞ୍ଚଳରେ ରହିଥିବା ଲୋକଙ୍କୁ ଡଙ୍ଗାରେ ଯାତାୟାତ କରିବାରେ ଅସୁବିଧା ହେବ ତାହା ସହ ବାଲିମେଳା ବିଦ୍ୟୁତ୍‌ କେନ୍ଦ୍ରରେ ମଧ୍ୟ ବିଦ୍ୟୁତ୍‌ ଉତ୍ପାଦନର ଅସୁବିଧା ହେବା ବୋଲି ସିଲେରୁ ବିଦ୍ୟୁତ୍‌ ବିଭାଗ ମାଛକୁଣ୍ଡ ଓ ବାଲିମେଳା ବିଦ୍ୟୁତ୍‌ ଅଧିକାରୀଙ୍କୁ ଜଳଭଣ୍ଡାରରୁ ପାଣି ଛାଡିବାକୁ ଅନୁରୋଧ କରିଥିଲେ। ପରବର୍ତ୍ତୀ ସମୟରେ ବାଲିମେଳାରେ ଏକ ଉଚ୍ଚସ୍ତରୀୟ ମିଳିତ ବୈଠକ ମଧ୍ୟ କରିଥିଲେ। ଚଳିତବର୍ଷ ବାଲିମେଳା ଓ ଆନ୍ଧ୍ରପ୍ରଦେଶର ସିଲେରୁ ଜଳଭଣ୍ଡାରରେ ଜଳସ୍ତର କମିଯିବା ଫଳରେ ବିଦ୍ୟୁତ୍‌ ଉତ୍ପାଦନରେ ଅସୁବିଧା ହେଉଥିବା ନେଇ ମଧ୍ୟ ବୈଠକରେ ଆଲୋଚନା କରିଥିଲେ। ମାଛକୁଣ୍ଡ ଜଳଭଣ୍ଡାରରୁ ଜଳ ନିଷ୍କାସିତ ହେଲେ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଜଳସ୍ତର ଠିକ୍‌ ରହିବା ଏବଂ ବାଲିମେଳା ବିଦ୍ୟୁତ୍‌ କେନ୍ଦ୍ରରୁ ନିଷ୍କାସିତ ଜଳ ଆନ୍ଧ୍ରପ୍ରଦେଶର ସିଲେରୁ ବିଦ୍ୟୁତ୍‌ କେନ୍ଦ୍ରରେ ଶକ୍ତି ଉତ୍ପାଦନରେ ସହାୟକ ହେବେ ବୋଲି ଆନ୍ଧ୍ର ବିଦ୍ୟୁତ୍‌ ବିଭାଗ ଅଧିକାରୀ ଚତୁରତାର ସହ ଜଳ ଛାଡିବାକୁ କହିଥିଲେ। ବିଦ୍ୟୁତ୍‌ ବିଭାଗ ଅଧିକାରୀମାନଙ୍କ ନିଷ୍ପତ୍ତିକ୍ରମେ ଗତ ୨୭ ତାରିଖ ସକାଳ ୧୦ଟାଠାରୁ କୋରାପୁଟ ଜିଲା ଜଲାପୁଟ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୨୨ଶହ ଘନଫୁଟ ଜଳ ନିଷ୍କାସିତ ହେଉଛି। ଦୈନିକ ତାହା ୧୯୦ ମିଲିୟନ ଘନଫୁଟ ଜଳ ଆନ୍ଦ୍ର ଓ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ପ୍ରବେଶ କରୁଛି। ଜଲାପୁଟ ଜଳଭଣ୍ଡାରରେ ୨୭.୫୦ଫୁଟ ବିପଦସଙ୍କେତ ରହିଥିବା ବେଳେ ଏବେ ୨୭.୪୩ଫୁଟ ଜଳ ଜଳଭଣ୍ଡାରରେ ରହିଛି। ଠିକ୍‌ ସେହିପରି ମାଛକୁଣ୍ଡ ଜଳଭଣ୍ଡାରରେ ବିପଦ ସଙ୍କେତ ୮୯.୮ ଫୁଟ ରହିଥିବା ବେଳେ ତାହା ୮୭.୧ଫୁଟ ଜଳ ଜଳଭଣ୍ଡାରରେ ରହିଛି। ପ୍ରତି ସେକେଣ୍ଡରେ ୨୨ଶହ ଘନଫୁଟ ଜଳ ଜଲାପୁଟ ଜଳଭଣ୍ଡାରରୁ ନିଷ୍କାସିତ ହୋଇ ଚିତ୍ରକୋଣ୍ଡା ଓ ସିଲେରୁ ଜଳଭଣ୍ଡାରକୁ ୧୫ଶହ ଘନଫୁଟ ଜଳ ଜଳଭଣ୍ଡାରରେ ପ୍ରବେଶ କରୁଛି। କେବଳ ୭ଶହ ଘନଫୁଟ ଜଳ ବିଦ୍ୟୁତ୍‌ ଉତ୍ପାଦନ କାମରେ ଲାଗୁଥିବା ଜଲାପୁଟ ଜଳଭଣ୍ଡାରରେ ରହିଥିବା କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଞ୍ଜାବିନ ଲିମା ପ୍ରକାଶ କରିଛନ୍ତି। ଗତ ୨୭ ତାରିଖଠାରୁ ଆଜିପର୍ଯ୍ୟନ୍ତ ଏପରିକି ରବିବାର ମଧ୍ୟ ଜଲାପୁଟ ଜଳଭଣ୍ଡାରରୁ ୧ହଜାର୧୪୦ ମିଲିୟନ ଘନଫୁଟ ଜଳ ଆନ୍ଧ୍ରପ୍ରଦେଶକୁ ଓଡ଼ିଶା ଜଳ ବିଦ୍ୟୁତ୍‌ ବିଭାଗ ପ୍ରଦାନ କରିଥିବା ଘଟଣା ଏବେ ସମଗ୍ର ଅଞ୍ଚଳରେ ବେଶ ଆଲୋଚନାର ବିଷୟ ହୋଇଛି। ମାଛକୁଣ୍ଡ ଓ ଜଲାପୁଟ ଜଳଭଣ୍ଡାରରୁ ଦୈନିକ ୧୯୦ମିଲିୟନ ଘନଫୁଟ ଜଳ ଆନ୍ଧ୍ର ସରକାର ନେଉଥିବାବେଳେ ତାହା କେବେ ବନ୍ଦ ହେବ କୌଣସି ଅଧିକାରୀଙ୍କ ପାଖରେ ସୂଚନା ନ ଥିବା ଜଣାଯାଇଛି। କେଉଁ ସ୍ୱାର୍ଥ ଆଧାରରେ ବିଭାଗୀୟ ଅଧିକାରୀମାନେ ସୂଚନା ନ ରଖି ଜଳଭଣ୍ଡାରରୁ ଦୈନିକ ଶହଶହ ମିଲିୟନ ଘନଫୁଟ ଜଳ ଆନ୍ଧ୍ରକୁ ପ୍ରଦାନ କରୁଛନ୍ତି ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଓଡିଶାରେ ରହିଥିବା ଜଲାପୁଟ ଜଳଭଣ୍ଡାରର ଜଳ ଆନ୍ଧ୍ରପ୍ରଦେଶକୁ ଗଲେ ଆନ୍ଧ୍ରରେ ରହିଥିବା ଚାଷୀ ଲାଭବାନ ହେବା ନିଶ୍ଚିତ ବୋଲି ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି। ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଦାବି କରିଛନ୍ତି।

Leave A Reply