ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ

0

କଲମ୍ବୋ : ନିଦାହାସ୍‌ ଟ୍ରଫି ଟ୍ୱେଣ୍ଟି-୨୦ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଦଳ ଭାବେ ଫାଇନାଲରେ ପହଞ୍ଚିଛି ଭାରତ । ବୁଧବାର ଟୁର୍ଣ୍ଣାମେଣ୍ଟର ୫ମ ଲିଗ୍‌ ମ୍ୟାଚ୍‌ରେ ରୋହିତ ଶର୍ମା ଓ ୱାଶିଂଟନ ସୁନ୍ଦରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ବାଂଲାଦେଶକୁ ୧୭ ରନ୍‌ରେ ଭାରତ ପରାସ୍ତ କରିଛି। ରୋହିତ ଶର୍ମାଙ୍କ ୮୯ ଓ ସୁରେଶ ରୈନାଙ୍କ ୪୭ ରନ୍‌ ବଳରେ ପ୍ରଥମେ ବ୍ୟାଟିଂକରି ଭାରତ ୩ ୱିକେଟ ହରାଇ ୧୭୬ ରନ୍‌ କରିଥିଲା। ପରେ ମୁସ୍‌ଫିକୁର ରହିମ୍‌ଙ୍କ ଲଢ଼ୁଆ ଅପରାଜିତ ଅର୍ଦ୍ଧଶତକ ସତ୍ତ୍ୱେ ବାଂଲାଦେଶ ୬ ୱିକେଟରେ ୧୫୯ ରନ୍‌ କରି ପାରିଥିଲା। ୪ର୍ଥ ମ୍ୟାଚ୍‌ରେ କ୍ରମାଗତ ୩ୟ ବିଜୟ ପରେ ଭାରତର ଫାଇନାଲ ଖେଳିବା ନିଶ୍ଚିତ ହୋଇଯାଇଛି। ଶୁକ୍ରବାର ଶ୍ରୀଲଙ୍କା-ବାଂଲାଦେଶ ମ୍ୟାଚ୍‌ର ବିଜେତା ୨ୟ ଦଳ ଭାବେ ଫାଇନାଲରେ ପହଞ୍ଚିବ ।

୪ ଦିନ ତଳେ ଶ୍ରୀଲଙ୍କା ବିପକ୍ଷରେ ୨୧୫ ରନ୍‌ର ପିଛାକରି ଜିତିଥିବା ବାଂଲାଦେଶ ପାଇଁ ୧୭୭ ରନ୍‌ର ବିଜୟଲକ୍ଷ୍ୟ କଷ୍ଟକର ହେବନାହିଁ ବୋଲି ଲାଗୁଥିଲା। ତେବେ ଯୁବ ଅଫ୍‌ସ୍ପିନର ୱାଶିଂଟନ ସୁନ୍ଦର ତାଙ୍କ ପ୍ରଥମ ୩ ଓଭରରେ ୩ଟି ୱିକେଟ ନେଇ ବାଂଲାଦେଶକୁ ଆରମ୍ଭରୁ ପଛଘୁଞ୍ଚା ଦେବା ପାଇଁ ବାଧ୍ୟ କରିଥିଲେ। ଲିଟନ ଦାସ ୭ ରନ୍‌କରି ବିଦାୟ ନେଇଥିବା ବେଳେ ସୌମ୍ୟ ସରକାର ମାତ୍ର ୧ ରନ୍‌ କରି ପାରିଥିଲେ। ସାର୍ଦ୍ଦୁଳ ଠାକୁରଙ୍କ ଏକ ଓଭରରେ ୧୬ ରନ୍‌ ନେଇଥିବା ଅଭିଜ୍ଞ ଓପ୍‌ନର ତମିମ୍‌ ଇକ୍‌ବାଲ ୧୯ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୨୭ ରନ୍‌କରି ସୁନ୍ଦରଙ୍କ ୩ୟ ଶିକାର ପାଲଟିଥିଲେ। ପରେ ଅଧିନାୟକ ମହମ୍ମଦୁଲ୍ଲା ଆସି ପ୍ରଥମ ୨ଟି ବଲ୍‌ରେ ଚୌକା ମାରିଥିଲେ ହେଁ ୧୧ ରନ୍‌କରି ବିଦାୟ ନେଇଥିଲେ। ୬୧ ରନ୍‌ରେ ୪ଟି ୱିକେଟ ପଡ଼ିଯିବା ପରେ ମୁସ୍‌ଫିକୁର ରହିମ୍‌ ଓ ସାବିର ରେହ୍‌ମାନ ୫ମ ୱିକେଟ ପାଇଁ ୮ ଓଭରରେ ଲଢ଼ୁଆ ୬୫ ରନ୍‌ ଯୋଡ଼ିଥିଲେ। ତେବେ ତାଙ୍କ ୨ୟ ସ୍ପେଲ୍‌ରେ ସାବିରଙ୍କୁ ବୋଲ୍‌ଡ କରିଥିଲେ ସାର୍ଦ୍ଦୁଳ। ସାବିର ୨୩ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୭ ରନ୍‌ କରିଥିଲେ। ପରେ ମୁସ୍‌ଫିକୁର ଏକା ଲଢ଼ିଥିଲେ; ହେଲେ ବିଜୟଲକ୍ଷ୍ୟରେ ଦଳକୁ ପହଞ୍ଚାଇ ପାରିନଥିଲେ। ମୁସ୍‌ଫିକୁର ୫୫ ବଲ୍‌ରୁ ଗୋଟିଏ ଛକା ଓ ୮ଟି ଚୌକା ସହ ୭୨ ରନ୍‌କରି ଅପରାଜିତ ଥିଲେ। ୱାଶିଂଟନ ସୁନ୍ଦର ୩ଟି ୱିକେଟ ପାଇଥିଲେ। ଅନ୍ୟ ସ୍ପିନର ୟୁଜୁବେନ୍ଦ୍ର ଚହଲ ଭଲ ବୋଲିଂ କରିଥିଲେ ହେଁ ଜୟଦେବ ଉନାଦ୍‌କତଙ୍କ ସ୍ଥାନରେ ଖେଳିଥିବା ମହମ୍ମଦ ସିରାଜ୍‌ ନିରାଶ କରିଥିଲେ। ରୋହିତ ଶର୍ମା ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍‌ ଜିତିବା ପରେ ବାଂଲାଦେଶ ଫିଲ୍‌ଡିଂ ନେଇଥିଲା। ଭାରତୀୟ ଓପ୍‌ନିଂ ଯୋଡ଼ି ଶିଖର ଧାୱନ ଓ ରୋହିତ ଶର୍ମା ୪ର୍ଥ ଓଭରରୁ ଷ୍ଟ୍ରୋକ୍‌ ଖେଳିବା ଆରମ୍ଭ କରିଥିଲେ। ଓପ୍‌ନିଂ ଯୋଡ଼ି ୧୦ ଓଭର ପର୍ଯ୍ୟନ୍ତ ରହିଥିଲେ ହେଁ ୧୦ ଓଭରରେ ଭାରତ ୭୧ ରନ୍‌ କରି ପାରିଥିଲା। ୭୦ ରନ୍‌ର ଓପ୍‌ନିଂ ଭାଗିଦାରୀ ପରେ ଧାୱନ୍‌ ୩୫ ରନ୍‌କରି ଆଉଟ ହୋଇଥିଲେ। ଏହି ବାମହାତି ୨୭ ବଲ୍‌ ଖେଳି ଗୋଟିଏ ଛକା ଓ ୫ଟି ଚୌକା ମାରିଥିଲେ। ତେବେ କ୍ରିଜ୍‌କୁ ଆସିବା ମାତ୍ରେ ବାମହାତି ସୁରେଶ ରୈନା ଚମତ୍କାର ବ୍ୟାଟିଂ କରିଥିଲେ ଏବଂ ଭାରତର ରନ୍‌ଗତି ବଢ଼ିଥିଲା। ଫଳରେ ୧୨ ଓଭରରେ ୮୪ ରନ୍‌ କରିଥିବା ଭାରତ ଶେଷ ୮ ଓଭରରେ ୯୨ ରନ୍‌ କରି ପାରିଥିଲା। କ୍ରମାଗତ ୩ଟି ମ୍ୟାଚ୍‌ରେ ବିଫଳ ହେବା ପରେ ଅଧିନାୟକ ରୋହିତଙ୍କ ବ୍ୟାଟ୍‌ ଏହି ମ୍ୟାଚ୍‌ରେ ଚମକିଥିଲା ଏବଂ ତାଙ୍କ ପ୍ରୟାସ ଯୋଗୁଁ ଭାରତ ୧୭୬ ରନ୍‌ରେ ପହଞ୍ଚି ପାରିଥିଲା। ରୈନା ଓ ରୋହିତ ୨ୟ ୱିକେଟ ପାଇଁ ଆକ୍ରମଣାତ୍ମକ ବ୍ୟାଟିଂକରି ୫୬ ବଲ୍‌ରୁ ୨୦୦ ଷ୍ଟ୍ରାଇକ୍‌ରେଟ୍‌ରେ ୧୦୨ ରନ୍‌ କରି ପାରିଥିଲେ। ୩ ରନ୍‌ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିବା ରୈନା ୩୦ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ବିସ୍ଫୋରକ ୪୭ ରନ୍‌ କରିଥିଲେ। ରୋହିତ ୬୧ ବଲ୍‌ରୁ ୫ଟି ଲେଖାଏଁ ଛକା ଓ ଚୌକା ସହ ୮୯ ରନ୍‌କରି ଅନ୍ତିମ ବଲ୍‌ରେ ରନ୍‌ଆଉଟ ହୋଇଥିଲେ। ରୁବେଲ ହୋସେନ୍‌ ୨ଟି ୱିକେଟ ପାଇଥିଲେ।

Leave A Reply