ବ୍ରହ୍ମପୁରରେ ପୁଲିସ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ମାଙ୍ଗା ଆହତ

0

ବ୍ରହ୍ମପୁର :  ବ୍ରହ୍ମପୁରରେ ପୁଲିସ ଏନ୍‌କାଉଣ୍ଟରରେ ରବିବାର  ପୁଣି ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଗୋସାଇଁନୂଆଗାଁ ଥାନା ଅଧିକାରୀ କୁଳମଣି ସେଠୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ପାଟ୍ରୋଲିଂ କରୁଥିବା ବେଳେ  ରାତି ପ୍ରାୟ ୧୦ଟା ୧୦ମିନିଟରେ ମାଙ୍ଗା ବାଇକ୍‌ରେ ଆସୁଥିଲା। ଲାଞ୍ଜିପଲ୍ଲୀ ବାଇପାସ୍‌ ବରଫ କଳ ନିକଟରେ ପୁଲିସକୁ ଦେଖିବା କ୍ଷଣି ମାଙ୍ଗା ଦ୍ରୁତ ଗତିରେ ଚମ୍ପଟ ମାରିବା ପାଇଁ ଉଦ୍ୟମ କରିଥିଲା। ପୁଲିସ ତାକୁ ପିଛା କରୁଥିବା ଦେଖି ମାଙ୍ଗା ଗୁଳି ଫୁଟାଇଥିଲା। ପୁଲିସର ପାଲଟା ଫାୟାରିଂରେ ମାଙ୍ଗା ଆହତ ହୋଇଥିଲା। ମାଙ୍ଗା ତଳେ ପଡ଼ିଯିବା ପରେ ପୁଲିସ ତାକୁ କାବୁ କରିନେଇଥିଲା ମାଙ୍ଗାର ବାମ ଗୋଡ଼ ଆଣ୍ଠୁ ନିକଟରେ ଗୁଳି ବାଜିଛି। ମାଙ୍ଗାକୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ତା’ଠାରୁ ଏକ ପିସ୍ତଲ, ଦୁଇଟି ଗୁଳି ଏବଂ ଗୋଟିଏ ବାଇକ ଜବତ କରିଛି ।

ମାଙ୍ଗା ନାଁରେ ବିଭିନ୍ନ ଥାନାରେ ଚୋରି, ଡକାୟତି, ଲୁଟ୍‌, ରାହାଜାନି ଭଳି ୧୦ରୁ ଊର୍ଦ୍ଧ୍ୱ ମାମଲା ରହିଥିବା ବେଳେ ଜିଆର୍‌ପି ଥାନାରେ ମଧ୍ୟ ପ୍ରାୟ ୧୦ଟି ମାମଲା ରହିଛି। ଗତ ଜାନୁଆରି ୧୫ ତାରିଖରେ ଗୋସାଇଁନୂଆଗାଁ ଥାନା ଅଞ୍ଚଳରେ ହୋଇଥିବା ଏକ ଡକାୟତି ଯୋଜନା ମାମଲାରେ ମାଙ୍ଗା ଫେରାର୍‌ ରହିଥିଲା। ପୁଲିସ ମାଙ୍ଗାକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରିଥିଲା।

Leave A Reply