ପଛୁଆ ଜିଲ୍ଲାଗୁଡ଼ିକର ବିକାଶ ଦ୍ୱାରା ଦେଶର ସାମଗ୍ରିକ ବିକାଶ ସମ୍ଭବ : ପ୍ରଧାନମନ୍ତ୍ରୀ

0

 ଦୁଇଦିନିଆ ବ୍ୟବସ୍ଥାପକ ସମ୍ମିଳନୀ ଉଦଘାଟିତ

ନୂଆଦିଲ୍ଲୀ : ଆର୍ଥିକ ଦୃଷ୍ଟିରୁ ଦେଶର ପଛୁଆ ଜିଲ୍ଲାଗୁଡ଼ିକର ବିକାଶ ଦ୍ୱାରା ହିଁ ଦେଶର ସାମଗ୍ରିକ ବିକାଶ ସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପାର୍ଲାମେଣ୍ଟରେ କେନ୍ଦ୍ରୀୟ ହଲ୍‌ରେ ଦୁଇଦିନିଆ ବ୍ୟବସ୍ଥାପକ ସମ୍ମିଳନୀକୁ ଉଦଘାଟନ କରି ଶ୍ରୀ ମୋଦି ଏହା କହିଛନ୍ତି। ଦେଶର ବିକାଶର ବିଭିନ୍ନ ମାପଦଣ୍ଡରେ ଦୁର୍ବଳ ଥିବା ଏହି ୧୧୫ଟି ଜିଲ୍ଲାକୁ ସରକାର ଚିହ୍ନଟ କରିଛନ୍ତି। ସେ କହିଛନ୍ତି, ଏହିସବୁ ଜିଲ୍ଲାର କେଉଁ କେଉଁ କ୍ଷେତ୍ରରେ ବିକାଶର ଆବଶ୍ୟକତା ରହିଛି, ସେଗୁଡ଼ିକୁ ଚିହ୍ନଟ କରିବା ଦରକାର ଏବଂ ପରେ ସେହିସବୁ ତ୍ରୁଟିକୁ ସୁଧାରିବା ଉଚିତ, ଯାହାଦ୍ୱାରା ସେହିସବୁ ଜିଲ୍ଲା ସଫଳ ଜିଲ୍ଲାମାନଙ୍କର ସମକକ୍ଷ ହୋଇପାରିବେ। ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ତ ସମ୍ପୃକ୍ତ ପକ୍ଷ ଯଦି ଜିଲ୍ଲାର କେବଳ ଗୋଟିଏ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ପ୍ରୟାସ କରିବା ଆରମ୍ଭ କରିବେ, ତେବେ ଅନ୍ୟାନ୍ୟ ତ୍ରୁଟିକୁ ସୁଧାରିବା କାର୍ଯ୍ୟ ଗତିଶୀଳ ହୋଇପାରିବ। ସେ କହିଛନ୍ତି, ସରକାରଙ୍କ ଲକ୍ଷ୍ୟ ହେଉଛି, ସାମାଜିକ ନ୍ୟାୟ ପ୍ରଦାନ। ସେଥିପାଇଁ ଦେଶରେ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ହେଲେ ଅଭିଯାନ ସଦୃଶ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଜନସାଧାରଣଙ୍କ ସହଯୋଗ ସବୁ ସମୟରେ ଫଳଦାୟକ ଏବଂ ଯେଉଁଠାରେ ଅଧିକାରୀମାନେ ଜନସାଧାରଣଙ୍କ ସହ କାର୍ଯ୍ୟକରି ସେମାନଙ୍କୁ ବିକାଶ ପ୍ରକ୍ରିୟାରେ ସାମିଲ୍‌ କରିଛନ୍ତି, ସେଠାରେ ସବୁବେଳେ ସଫଳତା ମିଳିପାରିଛି ବୋଲି ସେ କହିଛନ୍ତି।
ଏହିସବୁ ଆକାଂକ୍ଷିତ ଜିଲ୍ଲାର ବିକାଶ ଦିଗରେ କାର୍ଯ୍ୟ କରାଗଲେ ମାନବ ବିକାଶ ମାନଦଣ୍ଡରେ ଭାରତର ମାନ୍ୟତାରେ ବୃଦ୍ଧି ଘଟିପାରିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତିଯୋଗିତାମୂଳକ ସଂଘୀୟ ଗଣତନ୍ତ୍ରର ଭାବଧାରା ଦେଶପାଇଁ ମହତ୍ତ୍ୱପୂର୍ଣ୍ଣ। ଏହି ଅବସରରେ ଉଦ୍‌ବୋଧନ ଦେଇ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଜନକଲ୍ୟାଣ ଯୋଜନାଗୁଡ଼ିକର ସୁଫଳ ସମାଜର ସବୁଠାରୁ ଶେଷ ବ୍ୟକ୍ତି ପାଖରେ ପହଞ୍ଚାଇବା ଦିଗରେ କାର୍ଯ୍ୟ କରିବାକୁ ସାଂସଦ ଓ ବିଧାୟକମାନଙ୍କୁ ଆହ୍ୱାନ କରିଥିଲେ। ଏହି ଦୁଇଦିନିଆ ସମ୍ମିଳନୀର ବିଷୟବସ୍ତୁ ହେଉଛି “ବିକାଶପାଇଁ ଆମେ”। ଏହି ସମ୍ମିଳନୀ ମାଧ୍ୟମରେ ପାର୍ଲାମେଣ୍ଟ ସଦସ୍ୟ, ବିଧାନସଭା ଓ ବିଧାନ ପରିଷଦର ସଦସ୍ୟମାନେ ନିଜ ନିଜର ଅଭିଜ୍ଞତା ବାଣ୍ଟିପାରିବେ। ପ୍ରାୟ ୧୭୦ ଜଣ ଲୋକ ପ୍ରତିନିଧି କେନ୍ଦ୍ର କ୍ୟାବିନେଟ୍‌ ମନ୍ତ୍ରିଗଣ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟ ବିଧାନସଭାର ବାଚସ୍ପତି, ପାର୍ଲାମେଣ୍ଟ ସଦସ୍ୟ ଓ ବିଧାୟକମାନେ ଏହି ସମ୍ମିଳନୀରେ ଯୋଗଦେଇଛନ୍ତି।

Leave A Reply