ଫ୍ରାଇଡେ ରିଲିଜ୍‍ : ୩ ବଲିଉଡ଼ ଚଳଚ୍ଚିତ୍ର ମଧ୍ୟରେ କଡ଼ା ଟକ୍କର

0

ମୁମ୍ବଇ : ବକ୍ସ ଅଫିସରେ ଶୁକ୍ରବାର(୨୦ ସେପ୍ଟେମ୍ବର) ୩ଟି ବଲିଉଡ଼ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ଗୋଟିଏ ହେଉଛି ସନୀ ଦେଓଲଙ୍କ ପୁଅ କରଣ ଦେଓଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ପଲ୍‍ ପଲ୍‍ ଦିଲ୍‍ କେ ପାସ୍‍’, ଆଉ ଗୋଟିଏ ସୋନମ କପୁରଙ୍କ ଅଭିନୀତ ‘ଦି ଜୋୟା ଫ୍ୟାକ୍ଟର’ ଏବଂ ଅନ୍ୟଟି ସଞ୍ଜୟ ଦତ୍ତଙ୍କ ‘ପ୍ରସ୍ଥାନମ୍‍’। ତିନି ଚଳଚ୍ଚିତ୍ର ମଧ୍ୟରେ ବକ୍ସ ଅଫିସରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ତିନୋଟି ଯାକ ଚଳଚ୍ଚିତ୍ରକୁ ନେଇ ଦର୍ଶକଙ୍କ ମଧ୍ୟ ବେଶ୍‍ ଉତ୍କଣ୍ଠା ଦେଖିବାକୁ ମିଳିଛି। ତେବେ ଆସନ୍ତୁ ଜାଣିବା ଏହି ୩ ଚଳଚ୍ଚିତ୍ର ବିଷୟରେ-

୧. ପଲ୍‍ ପଲ୍‍ ଦିଲ୍‍ କେ ପାସ୍‍ :

ଏହି ଚଳଚ୍ଚିତ୍ର ମାଧ୍ୟମରେ ଅଭିନେତା ସନୀ ଦେଓଲଙ୍କ ପୁଅ କରଣ ଦେଓଲ ବଲିଉଡ଼ରେ ପାଦ ଦେଇଛନ୍ତି। ତାଙ୍କ ସହିତ ନାୟିକା ଭାବେ ଅଭିନୟ କରିଥିବା ସହେର ବାମ୍ବା ମଧ୍ୟ ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରଥମ କରି ବଲିଉଡ଼ ଜଗତରେ ଏଣ୍ଟ୍ରି କରିଛନ୍ତି। ଏହି ଦୁଇ ନବାଗତ କଳାକାରଙ୍କ ନେଇ ନିର୍ମାତାଙ୍କର ଖୁବ୍‍ ଆଶା ରହିଛି। ସନୀ ନିଜେ ଏହି ଚଳଚ୍ଚିତ୍ରର ନର୍ଦ୍ଦେଶନା ଭାର ବହନ କରିଛନ୍ତି। ଏଥିରେ ଏକ ନିଆରା ପ୍ରେମ କାହାଣୀ ଦେଖିବାକୁ ମିଳିବ ବୋଲି ନିର୍ମାତା କହିଛନ୍ତି। ସହେର ଓ କରଣ ଏକ ଦୁଃସାହସିକ ଯାତ୍ରାରେ ଯାଉଛନ୍ତି। ଯେଉଁଠ ସେମାନେ ଅନେକ ଦୁଃସାହସିକ କାର୍ଯ୍ୟ କରୁଛନ୍ତି। ଇତି ମଧ୍ୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଛି। ହେଲେ ପ୍ରେମକୁ ହାସଲ କରିବା ଏତେ ସହଜ ହେଉନାହିଁ। ଏଥିରେ କରଣ ମାଡ଼ଗୋଳ କରୁଥିବା ଦେଖିବାକୁ ମିଳିଛି। କରଣଙ୍କ ଆକ୍ସନ ସିନ୍‍ରେ ସନୀଙ୍କ ଝଲକ୍‍ ପରିଲକ୍ଷିତ ହୋଇଛି। ସାମାଜିକ ଗଣମାଧ୍ୟମରେ ଚଳଚ୍ଚିତ୍ରକୁ ନେଇ ଖୁବ୍‍ ଚର୍ଚ୍ଚା ହେଉଛି।

୨. ଦି ଜୋୟା ଫ୍ୟାକ୍ଟର :

ଏହି ଚଳଚ୍ଚିତ୍ରର ନାଁ ଯେତିକି ନିଆରା ସେତିକି ହିଁ ଆକର୍ଷଣୀୟ ଏହାର କାହାଣୀ। ଏଥିରେ କମେଡ଼ିର ଭରପୁର ତଡ଼କା ଭରି ରହିଛି। ସୋନମ କପୁର ଓ ଦିଲକର ସଲମାନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରକୁ ଦର୍ଶକଙ୍କୁ ପସନ୍ଦ ଆସୁଥିବା ଜଣାପଡ଼ିଛି। ସୋନମଙ୍କୁ ଏଥିରେ ଶୁଭଗୁଣ ଓ ଲକ୍ଷଣ ଯୁକ୍ତ ପ୍ରଦର୍ଶିତ କରାଯାଇଛି। ସେ ଏଥିରେ ଜୋୟା ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର କାହାଣୀ ଅନୁସାରେ ସୋନମ ସେହିଦିନ ଜନ୍ମ ହୋଇଛନ୍ତି, ଯେଉଁଦିନ ଭାରତ ପ୍ରଥମ ବିଶ୍ୱ କପ୍‍ ଜିତିଥିଲା ଓ ତାଙ୍କ ଭାଗ୍ୟ ଭାରତୀୟ ଦଳ ପାଇଁ ଖୁବ୍‍ ଲାଭଦାୟକ ସାବ୍ୟସ୍ତ ହେଉଛି। ଇତି ମଧ୍ୟରେ ଦଳର କ୍ୟାପ୍ଟେନ ନିଖିଲ ଖୋଡ଼ା ଅର୍ଥାତ୍‍ (ଦିଲକର ସଲମାନ) ଓ ଜୋୟାଙ୍କ ମଧ୍ୟରେ ସୃଷ୍ଟି ହେଉଛି ପ୍ରେମ। ଏହାପରେ ଆରମ୍ଭ ହେଉଛି ତାଙ୍କ ପ୍ରେମ କାହାଣୀ। ଚଳଚ୍ଚିତ୍ରରେ ସଞ୍ଜୟ କପୁର ଓ ଅଙ୍ଗଦ ବେଦୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

୩. ପ୍ରସ୍ଥାନମ୍‍ :

ଏହା ଏକ ପଲିଟିକାଲ୍‍ ଥ୍ରୀଲର ଚଳଚ୍ଚିତ୍ର। ଏଥିରେ ସଞ୍ଜୟ ଦତ୍ତଙ୍କ ସହ ଜ୍ୟାକି ଶ୍ରଫ୍‍, ଅଲୀ ଫଜଲ, ମନୀଷା କୋଇରାଲା ଓ ଚଙ୍କି ପାଣ୍ଡେଙ୍କ ଭଳି କଳାକାରମାନେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରକୁ ଦର୍ଶକ ଓ ସମୀକ୍ଷକଙ୍କ ଭଲ ପ୍ରତିକ୍ରିୟା ମିଳୁଛି। ଦେବ କଟ୍ଟା ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଦୀର୍ଘ ସମୟର ବ୍ୟବଧାନ ପରେ ମନୀଷା କୋଇରାଲା ଓ ସଞ୍ଜୟ ଦତ୍ତ ପରଦାରେ ଏକାଠି ନଜର ଆସିଛନ୍ତି। ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ସଞ୍ଜୟ ଚଳଚ୍ଚିତ୍ରରେ ବଳଦେବ ପ୍ରତାପ ସିଂହ ଭୂମିକାରେ ନଜର ଆସିଛନ୍ତି। ଚଳଚ୍ଚିତ୍ରରେ ଏହି ଚରିତ୍ର ଜଣେ ବାହୁବଳୀ ନେତାର। ଅପରପକ୍ଷରେ ଜ୍ୟାକି ଶ୍ରଫ୍‍ ଗ୍ୟାଙ୍ଗ୍‍ଷ୍ଟର୍‍ ସାଜିଛନ୍ତି। ଦୁହେଁ ଚଳଚ୍ଚିତ୍ରରେ ଘନିଷ୍ଠ ବନ୍ଧୁ ଭାବେ ନଜର ଆସିଛନ୍ତି। ସୂଚନାଯୋଗ୍ୟ, ‘ପ୍ରସ୍ଥାନମ୍‍’ ୨୦୧୦ରେ ମୁକ୍ତିଲାଭ କରିଥିବା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ‘ପ୍ରସ୍ଥାନମ୍‍’ର ହିନ୍ଦୀ ରିମେକ୍‍।

Leave A Reply