ହଟୁନି ଟିପ ଚିହ୍ନ : ରାୟଗଡ଼ାରେ ଅର୍ଦ୍ଧାଧିକ ନିରକ୍ଷର !

0

ରାୟଗଡା : ଜିଲାରେ ସଭିଁଙ୍କୁ ସାକ୍ଷର କରିବାକୁ ସରକାର ନାନା ଯୋଜନା କରିଛନ୍ତି। ତେବେ ଏଠାରେ କିନ୍ତୁ ସାକ୍ଷରତା ହାରରେ ସେଭଳି କିଛି ସଫଳତା ମିଳିପାରିନାହିଁ। ଜିଲାରେ ସାକ୍ଷରତା ହାର ଏବେ ୪୯.୮ ପ୍ରତିଶତ ରହିଥିବା ବେଳେ ଜିଲାରୁ ଟିପ ଚିହ୍ନ ହଟି ପାରୁ ନାହିଁ। ଜିଲାରେ ସାକ୍ଷରତା ଅଭିଯାନର କାର୍ଯ୍ୟକାଳ ଶେଷ ହୋଇଛି। ତେବେ ଜିଲାବାସୀ ସେହି ପୁରୁଣା ସ୍ଥିତିରେ ରହିଯାଇଛନ୍ତି। ଏହି ଯୋଜନାରେ ଟଙ୍କାଟିଏ ଖର୍ଚ୍ଚ ହୋଇପାରି ନ ଥିବା ବେଳେ ଗ୍ରାମାଞ୍ଚଳ ମହିଳାମାନେ ଅକ୍ଷରଟିଏ ଶିଖିପାରିନାହାନ୍ତି। ଏବେବି ଏମାନେ ଟିପ ଚିହ୍ନ ଦେଉଥିବା ପରିଲକ୍ଷିତ ହେଉଛି। ଆନ୍ତରିକତା ଅଭାବରୁ ୨୦୧୧ ଜନଗଣନା ଅନୁସାରେ ଜିଲାରେ ସାକ୍ଷରତା ହାର ମାତ୍ର ୪୯.୮ରେ ଅଟକି ଯାଇଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।
ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ହେଲେ ଦାରିଦ୍ର୍ୟ ଆପେ ଆପେ ହଟିଯିବ ଓ ଘରର ମହିଳା ଶିକ୍ଷିତ ହେଲେ ଅନ୍ଧବିଶ୍ୱାସ ଭଳି କୁସଂସ୍କାର ଓ ସାମାଜିକ ବ୍ୟାଧି ଦୂରେଇ ଯିବ ବୋଲି ବିଭିନ୍ନ ସମୟରେ ଏଠାରେ କୁହାଯାଇଛି। ତେବେ ଏ ଦିଗରେ ସେଭଳି କିଛି ସଫଳତା ମିଳି ପାରି ନାହିଁ। ଏହି କଥା ବିଭିନ୍ନ ମହଲରେ ଏକ ପ୍ରସଙ୍ଗ ହୋଇ ଠିଆ ହେବା ପରେ ଗତ ୨ଦସନ୍ଧି ଧରି ସରକାର ସାକ୍ଷରତାକୁ ପ୍ରାଧାନ୍ୟଦେଇ ଆସୁଛନ୍ତି। ଭାରତ ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କୌଣସି ମହିଳା ନିରକ୍ଷର ରହିବେ ନାହିଁ ଓ କେହି ଟିପ ଚିହ୍ନ ଦେବେ ନାହିଁ ବୋଲି ନାରା ଦିଆଯାଇଥିଲା। ପଚାଶ ପ୍ରତିଶତ ନୀରକ୍ଷର ମହିଳା ଥିବା ଜିଲା ଗୁଡିକରେ ସାକ୍ଷରତା ହାର ବୃଦ୍ଧି କରିବାକୁ ୨୦୦୯ ସେପ୍ଟେମ୍ବର ୮ରେ ଭାରତ ସରକାର ଜାତୀୟ ସାରକ୍ଷତା ମିଶନ ପ୍ରଣୟନ କରିଥିଲେ। ଏହି ଯୋଜନାରେ ଓଡ଼ିଶାର ରାୟଗଡ଼ା ଜିଲା ସମେତ ୧୯ଟି ଜିଲାକୁ ଚିହ୍ନଟ କରାଯଇଥିଲା। ତେବେ ୮ବର୍ଷ ମଧ୍ୟରେ ଜିଲାର ୧୫ବର୍ଷରୁ ଊର୍ଦ୍ଧ୍ବ ଜଣେ ହେଲେ ମହିଳାକୁ ଶିକ୍ଷା କେନ୍ଦ୍ରକୁ ଅଣାଯାଇପାରିଲା ନାହିଁ।
ଖାଲି ଏତିକି ନୁହେଁ; ଏ ବାବଦରେ ଟଙ୍କାଟିଏ ବି ଖର୍ଚ୍ଚ ନ ହୋଇ ତହବିଲ୍‍ରେ ପଡ଼ି ରହିଲା। କାଣିଚାଏ ମଧ୍ୟ ସୁଫଳ ମିଳିଲା ନାହିଁ। ପରେ ରାଜ୍ୟ ସରକାର ସମସ୍ତଙ୍କ ପାଇଁ ଶିକ୍ଷା, ଆନନ୍ଦମୟୀ ଶିକ୍ଷାଦାନ ବ୍ୟବସ୍ଥା ମାଧ୍ୟମରେ ଯେଜନାକୁ ସାକାର କରିବା ଲାଗି ପଦକ୍ଷେପ ନେଇଥିଲେ। ୨୦୦୩ ବେଳକୁ କଳାପଟା ଅଭିଜାନ କାର୍ଯ୍ୟକ୍ରମକୁ ଦୃଢ଼ୀଭୂତ କରି ପିଲାଙ୍କୁ ସ୍କୁଲମୁହାଁ କରିବା ପାଇଁ ଟେପ ରେକର୍ଡ, ରେଡିଓ ଏବଂ ରଙ୍ଗିନ ଟିଭି ପ୍ରତି ବିଦ୍ୟାଳୟକୁ ଯୋଗାଇ ଦିଆ ଯାଇଥିଲା। ଏହି ଅନନ୍ୟ ପଦକ୍ଷେପ ପାଇଁ ସ୍କୁଲ ପିଛା ଟେପ ରେକର୍ଡ ପାଇଁ ୭୦୦ଟଙ୍କା ଓ ରଙ୍ଗୀନ ଟିଭି ପାଇଁ ୯୦୦୦ଟଙ୍କା ବ୍ୟୟ କରାଯାଇଥିଲା। ତେବେ ଭିତ୍ତିଭୂମି ଅଭାବ ଯୋଗୁଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଏହି ଯୋଜନ ଫେଲ ମାରିବା ସହ ଟିଭି ଓ ଟେପ ରେକର୍ଡ ଶିକ୍ଷକଙ୍କ ଆମୋଦ ପ୍ରମୋଦର ଉପକରଣ ହୋଇଥିଲା। ସ୍କୁଲରେ ବିଦ୍ୟୁତ ଓ ସୁରକ୍ଷିତ କୋଠରୀ ନ ଥିବାରୁ କାର୍ଯ୍ୟକାରୀ ହୋଇପାରି ନ ଥିଲା। କ୍ରମାଗତ ଏହି ବିଫଳତା ପରେ ୨୦୦୪-୦୫ ବେଳକୁ ମହିଳା ସାକ୍ଷରତା ଅଭିଯାନକୁ ବେସରକାରୀ ଅନୁଷ୍ଠାନ (ଏନଜିଓ) ମାଧ୍ୟମରେ କାର୍ଯ୍ୟକାରୀ କରାଇବା ପାଇଁ ପଦକ୍ଷେପ ନିଆଯାଇଥିଲା। ବୁଦ୍ଧିଜୀବୀଙ୍କ ନେଇ ଏକ ସ୍ୱତନ୍ତ୍ର ପାଠ୍ୟ ସାରଣୀ ପ୍ରସ୍ତୁତ କରି ରାୟଗଡ଼ା ସମେତ ରାଜ୍ୟର ୧୬ଟି ଜିଲାରେ ୧୬୦ଟି ଏନଜିଓ ଦ୍ୱାରା ଯୋଜନାକୁ ସଫଳ ରୂପ ଦେବା ପାଇଁ ସ୍ଥିର କରାଯାଇଥିଲା। ତିନିମାସର ପାଠ୍ୟକ୍ରମରେ ୧୨୦ଟଙ୍କା ବ୍ୟୟ କରି ବାଳିକାଙ୍କୁ ଶିକ୍ଷିତ କରାଇବା କାର୍ଯ୍ୟ ରାୟଗଡ଼ା ଜିଲାର କୋଲନାରା, ବିଷମକଟକ, କଲ୍ୟାଣସିଂହପୁର, ଚନ୍ଦ୍ରପୁର, ପଦ୍ମପୁର ବ୍ଲକରେ ଆରମ୍ଭ କରାଯାଇଥିଲା। କେତେକ ପ୍ରତିଷ୍ଠିତ ଏନଜିଓଗୁଡିକୁ ଏହି ଦାୟିତ୍ୱ ସମର୍ପି ଦିଆଗଲା। ପାଠ୍ୟକ୍ରମର ଅବଧି ଶେଷ ପରେ ଅନ୍ୟ ଜିଲାରେ ଯୋଜନାର ପୁନରାବୃତ୍ତି କରାଯାଇଥିଲା। ତେବେ ରାୟଗଡ଼ା ଜିଲାରେ ତାହା ହୋଇପାରି ନ ଥିବାରୁ ଯୋଜନାର ସଫଳତା ମିଳିପାରି ନ ଥିବା କେତେଜଣ ସମ୍ପୃକ୍ତ ଏନଜିଓର ନିର୍ଦେଶକ କହିଛନ୍ତି। ପରେ ପ୍ରାଥମିକ ଶିକ୍ଷାରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ୧୯୯୫ ବେଳକୁ ଜିଲା ପ୍ରାଥମିକ ଶକ୍ଷା ପ୍ରକଳ୍ପ (ଡିପିଇପି)ଯୋଜନାକୁ ଗୃହୀତ କରାଯାଇଥିଲା। ଯୁଦ୍ଧକାଳୀନ ଭିତ୍ତିରେ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ପଥପ୍ରାନ୍ତ ନାଟକ କରି ଶିକ୍ଷାକୁ ଲୋକଭିମୁଖୀ କରିବାକୁ ପ୍ରୟାସ କରାଯାଇଥିଲା। ଏହାଦ୍ୱାରା ଅବିଭାବକମାନେ ସଚେତନ ହେବା ସହ ପିଲାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରାଇବା ଏହାର ମୂଳ ଲକ୍ଷ୍ୟ ଥିଲା। ଶିକ୍ଷକଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଗଲା। କ୍ଷେତ୍ରରେ ୫ବର୍ଷ ଧରି କାର୍ଯ୍ୟକାରୀ କରିବା ପରେ ପରିବର୍ତ୍ତନ ଆବଶ୍ୟକ ଉପଲବ୍ଧି କରି ସର୍ବଶିକ୍ଷା ଅଭିଯାନ ନାମରେ ନାମିତ କରିବା ସହ ଶିକ୍ଷା ଏବଂ ଭିତ୍ତିଭୂମିରେ ସଂସ୍କାର ଆଣିବାକୁ ଶିକ୍ଷା ବିଭାଗ ପଦକ୍ଷେପ ନେଇଥିଲା। ତାଲିମ ଦେଇ ପିଲାଙ୍କ ଦକ୍ଷତାଭିତିକ, ବିଷୟଭିତିକ, ମନୋଭାବ ପରିବର୍ତ୍ତନ, ଦିବ୍ୟାଙ୍ଗଙ୍କ ପାଇଁ ଶିକ୍ଷା, ଅଧାରୁ ପାଠ ଛାଡିଥିବା ଏବଂ ମୂଳରୁ ସ୍କୁଲକୁ ଯାଇନଥିବା ବାଳିକାଙ୍କ ପାଇଁ ସଂଯୋଗୀ ପାଠ୍ୟକ୍ରମ, ଆତ୍ମନିର୍ଭରଶୀଳ ପାଇଁ ସାଇଲେ, ସିଲେି ମେଶିନ, ଧିପକାଠୀ, ଫିନାଇଲ ପ୍ରସ୍ତୁତି ଭଳି ଯୋଜନା ଗୁଡିକ ସରକାର ଆପଣାଇନେଲେ। ତଥାପି ସାକ୍ଷରତା ହାର ଯେଉଁ ତିମିରେକୁ ସେଇ ତିମିରେ ବୋଲି ଜଣେ ସ୍ୱେଚ୍ଛାସେବୀ ବାଦଲକୁମାର ତା କହିଛନ୍ତି।

ଅପରପକ୍ଷରେ ଗୋଟିଏ ଶ୍ରେଣୀ ପାଇଁ ଗୋଟିଏ କୋଠରୀ ଏବଂ ଜଣେ ଶିକ୍ଷକ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଶିକ୍ଷାର ବିକାଶ ହୋଇପାରିବ ନାହିଁ ବୋଲି ଅବସରପ୍ରାପ୍ତ ଶିକ୍ଷକ ରାଧାମୋହନ ପାଣିଗ୍ରାହୀ କହିଛନ୍ତି। ତେବେ ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀ ପୂଣ୍ଣଚନ୍ଦ୍ର ବରିହାଙ୍କୁ ପଚାରିବାରେ ଶିକ୍ଷାର ବିକାଶ ପାଇଁ ଅବଶ୍ୟକ ଅନୁଯାୟୀ ପରିବର୍ତ୍ତିତ ନିୟମ ଜାରି କରାଯାଉଛି। କ୍ଷେତ୍ରରେ କାର୍ଯ୍ୟକାରୀ ମଧ୍ୟ କରାଯାଉଛି। ଧିରେଧିରେ ମାନଚିତ୍ରରେ ପରିବର୍ତ୍ତନ ଆସୁଛି ବୋଲି ସେ କହିଛନ୍ତି।

Leave A Reply