ସୁପର କପ୍‌ ଫୁଟ୍‌ବଲ ଯୋଗ୍ୟତା ପର୍ଯ୍ୟାୟ ଆଜିଠାରୁ

0

ଭୁବନେଶ୍ୱର : ଓଡ଼ିଶାରେ ଆରମ୍ଭ ହୋଇଛି ସୁପରକପ୍‌ ଫୁଟବଲ ଫିଭର। ଫୁଟବଲ ଆସୋସିଏସନ ଅଫ ଓଡ଼ିଶା (ଫାଓ) ଓ ରାଜ୍ୟ କ୍ରୀଡ଼ାବିଭାଗ ଦ୍ୱାରା ପରିଚାଳିତ ଉକ୍ତ ପ୍ରତିଯୋଗିତା ଲାଗି ପ୍ରସ୍ତୁତି ଶେଷ ହୋଇଛି। ସର୍ବଭାରତୀୟ ଫୁଟଲ ମହାସଂଘ(ଏଆଇଏଫଏଫ)ର ଅନ୍ୟତମ ପେଷାଦାର ଲିଗ୍‌ ସୁପରକପ ଫୁଟବଲ ପ୍ରଥମ ସଂସ୍କରଣ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବ। ୧୬ଟି ଦଳକୁ ନେଇ ମୁଖ୍ୟ ପ୍ରତିଯୋଗିତା ଖେଳାଯିବ। ଆଇ-ଲିଗ୍‌ ଓ ଇଣ୍ଡିଆନ ସୁପରଲିଗ୍‌ ଫୁଟବଲର ଶ୍ରେଷ୍ଠ ୬ଟି ଲେଖାଏଁ ଦଳ ସିଧାସଳଖ ସୁପରକପ୍‌ ଖେଳିବାକୁ ଯୋଗ୍ୟତା ହାସଲ କରିଛନ୍ତି। ୮ଟି ଦଳ ମଧ୍ୟରେ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳାଯିବ। ଏଥିରୁ ୪ଟି ଦଳ ମୁଖ୍ୟ ପ୍ରତିଯୋଗିତା ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ।
ଗୁରୁବାର ପ୍ରତିଯୋଗିତାର ଦୁଇଟି ନକ୍‌ଆଉଟ୍‌ ଯୋଗ୍ୟତା ପର୍ଯ୍ୟାୟ ଲିଗ୍‌ ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ଦିଲ୍ଲୀ ଡାଇନାମସ୍‌- ଚର୍ଚ୍ଚିଲ ବ୍ରଦର୍ସକୁ ଓ ଦ୍ୱିତୀୟ ମ୍ୟାଚରେ ନର୍ଥ ଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି – ଗୋକୁଳମ୍‌ ଏଫସିକୁ ଭେଟିବ। ଦିଲ୍ଲୀ ଡାଇନାମସ୍‌ ଚଳିତ ଇଣ୍ଡିଆନ ସୁପରଲିଗ୍‌ ଫୁଟବଲ ପ୍ରତିଯୋଗିତାରେ ଆଶାଜନକ ପ୍ରଦର୍ଶନ କରିବାରେ ବିଫଳ ହୋଇଛି। ପି. ମିଗୁଏଲଙ୍କ ପ୍ରଶିକ୍ଷଣରେ ଖେଳୁଥିବା ଦଳ ସୁପରକପ୍‌ ଫୁଟବଲରେ ଭଲ ପ୍ରଦର୍ଶନ କରିବା ସହିତ ମୁଖ୍ୟ ପ୍ରତିଯୋଗିତାକୁ ଉନ୍ନୀତ ହେବାର ଲକ୍ଷ୍ୟ ରଖିଛି। ଦଳରେ ଗୋଲକିପର ଅନବ ଦାସ ,ଏସ୍‌ ପାଟିଲ, ଡିଫେଣ୍ଡର ଆର. ରୋଡ଼ିଗ୍ୱୋଜ, ଇଡୁ ମୋୟା,ଏମ. ଲୁଗୁନ, ଏ. ଗୋମ୍ସ ଭଳି ଖେଳାଳି ରହିଛନ୍ତି। ଚର୍ଚ୍ଚିଲ ବ୍ରଦର୍ସକୁ ପରାସ୍ତ କରି ମୁଖ୍ୟ ପ୍ରତିଯୋଗିତା ଖେଳିବାର ଲକ୍ଷ୍ୟ ରଖିଛି। ଦୁଇଥର ଆଇ-ଲିଗ୍‌ ଫୁଟବଲ, ଫେଡ଼େରେଶନ ଓ ଆଇଏଫଏ ସିଲ୍‌ଡ ଫୁଟବଲ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିବା ଗୋଆର ପ୍ରତିଷ୍ଠିତ କ୍ଳବ ଚର୍ଚ୍ଚିଲ ବ୍ରଦର୍ସ ଚଳିତ ଆଇ-ଲିଗ୍‌ରେ ଆଶାଜନକ ପ୍ରଦର୍ଶନ କରି ୯ତମ ସ୍ଥାନ ହାସଲ କରିଛି। ଦଳ ସୁପରକପ୍‌ ଫୁଟବଲରେ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବ। ମୁଖ୍ୟ କୋଚ ଏ. ଫର୍ଣ୍ଣାଣ୍ଡିଜ୍‌ଙ୍କ ପ୍ରଶିକ୍ଷଣରେ ଦଳ ମୁଖ୍ୟ ପ୍ରତିଯୋଗିତା ଖେଳିବାକୁ ଲକ୍ଷ୍ୟ ରଖିଛି। ଦଳରେ ହୁସେନ ଏଲଡର, ଆଲବାର ଗନ୍‌ସଲଭାସ, ଏସ. ସିଂହ, ଇ. ବାରିଟୋ ଭଳି ଖେଳାଳି ରହିଛନ୍ତି। ଚର୍ଚ୍ଚିଲ ବ୍ରଦର୍ସ ଓ ଦିଲ୍ଲୀ ଡାଇନାମସ୍‌ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚର ବିଜେତା ଏପ୍ରିଲ ୧ରେ ତୃତୀୟ ପ୍ରି-କ୍ୱାର୍ଟର ଫାଇନାଲରେ ମୋହନ ବାଗାନ୍‌କୁ ଭେଟିବ। ସେହିପରି ରାତି ୮ଟାରେ ନର୍ଥ ଇଷ୍ଟ ୟୁନାଇଟେଡ୍‌ ଏଫସି – ଗୋକୁଳମ୍‌ ଏଫସିକୁ ଭେଟିବ। କେରଳର ଅନ୍ୟତମ ପ୍ରମୁଖ ଫୁଟବଲ କ୍ଳବ ଗୋକୁଳମ ଏଫସି ଚଳିତ ୨୦୧୭-୧୮ ଆଇ-ଲିଗ୍‌ ଫୁଟବଲରେ ଷଷ୍ଠ ସ୍ଥାନ ହାସଲ କରିଥିଲା। ବିନୋ ଜର୍ଜଙ୍କ ପ୍ରଶିକ୍ଷଣ ଓ ସୁଶାନ୍ତ ମାଥ୍ୟୁସ ଅଧିନାୟକତ୍ୱରେ ଦଳ ସୁପରକପ ଫୁଟବଲ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ବିଜୟୀ ହୋଇ ମୁଖ୍ୟ ପ୍ରତିଯୋଗିତା ଖେଳିବାକୁ ଲକ୍ଷ୍ୟ ରଖିଛି। ଆସାମର ଅନ୍ୟତମ ଫୁଟବଲ କ୍ଳବ ନର୍ଥ ଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି ସୁପରକପ୍‌ ଫୁଟବଲ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବ। କ୍ଲବ ଚଳିତ ୨୦୧୭-୧୮ ଆଇ-ଲିଗ୍‌ ଫୁଟବଲରେ ୧୦ତମ ସ୍ଥାନ ହାସଲ କରିଥିବା ଦଳ ସୁପରକପ୍‌ ଫୁଟବଲ ପ୍ରତିଯୋଗିତାରେ ମଧ୍ୟ ପ୍ରତିନିଧିତ୍ୱ କରିଥିଲା। ଆଭାନ ଗ୍ରାଣ୍ଟଙ୍କ ପ୍ରଶିକ୍ଷଣରେ ଦଳ ସୁପରକପ୍‌ର ମୁଖ୍ୟ ପ୍ରତିଯୋଗିତାକୁ ଯୋଗ୍ୟତା ହାସଲ କରିବା ଲକ୍ଷ୍ୟରେ ରହିଛି। ଦଳରେ ନିର୍ମଳ ଛେତ୍ରୀ, ଅବଦୁଲ ହାକୁ, ରୋଲିନ୍‌ ବର୍ଗ ଓ ଯୋଶେଫ ସିଦ୍ଧିକିଙ୍କ ଭଳି ଖେଳାଳି ରହିଛନ୍ତି। ଉକ୍ତ ମ୍ୟାଚର ବିଜେତା ଏପ୍ରିଲ ୧ରେ ବେଙ୍ଗାଲୁରୁ ଏଫସି ବିପକ୍ଷରେ ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳିବ। କଳିଙ୍ଗ ଷ୍ଟାଡ଼ିୟମ ଅଭ୍ୟାସ ପଡ଼ିଆରେ ବୁଧବାର ନର୍ଥ ଇଷ୍ଟ ୟୁନାଇଟେ୍‌ଡ୍‌ ଏଫସି ଓ ଚର୍ଚ୍ଚିଲ ବ୍ରଦର୍ସ ଦଳ ଜୋରଦାର ଅଭ୍ୟାସ କରିଥିବା ବେଳେ ଗୋକୁଳମ୍‌ ଏଫସି ବିକାଶ ପଡ଼ିଆରେ ଅଭ୍ୟାସ କରିଥିଲା। ମ୍ୟାଚ ଲାଗି ଦିଲ୍ଲୀ ଡାଇନାମସ୍‌ , ମୁମ୍ବାଇ ସିଟି ଏଫସି, ଇଣ୍ଡିଆନ ଆରୱେସ୍‌ ଓ ଏଟିକେ ଦଳ ପହଞ୍ଚିଛନ୍ତି। ମ୍ୟାଚ ଲାଗି ଫୁଟବଲ ଆସୋସିଏସନ ଅଫ ଓଡ଼ିଶା (ଫାଓ) ଓ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇସାରିଥିବାବେଳେ କେବଳ ମ୍ୟାଚକୁ ଦର୍ଶକଙ୍କ ଅପେକ୍ଷା।

Leave A Reply