ରୋଗୀଙ୍କୁ ନିଶ୍ଚେତକ ଦେବାକୁ ଲାଞ୍ଚ: ଭିଜିଲାନ୍ସ ଜାଲରେ ଫାର୍ମାସିଷ୍ଟ

0

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସପିଟାଲ ଭିତରେ ଚାଲିଥିବା ସବୁଦିନିଆ ଲାଞ୍ଚ କାରବାର ଆଜି ସାମ୍ନାକୁ ଆସିଛି। ଅସ୍ତ୍ରୋପଚାର ପୂର୍ବରୁ ନିଶ୍ଚେତକ ଦେବାକୁ ପ୍ରତ୍ୟେକ ରୋଗୀଙ୍କୁ ବାଧ୍ୟ କରୁଥିବା ଜଣେ ମହିଳା ଫାର୍ମାସିଷ୍ଟ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଘଟଣା ସାମ୍ନାକୁ ଆସିବା ପରେ ଏମକେସିଜିର ଡାକ୍ତର, ନର୍ସ ଓ କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଗୁରୁବାର ଜଣେ ରୋଗୀ ସମ୍ପର୍କୀୟଙ୍କ ଠାରୁ ୮୦୦ଟଙ୍କା ଲାଞ୍ଚନେବା ବେଳେ ବ୍ରହ୍ମପୁର ବଡ଼ମେଡ଼ିକାଲ ନିଶ୍ଚେତକ ବିଭାଗର ଫାର୍ମାସିଷ୍ଟ ମେରୀ ଖାନ୍‍ ଗୁରୁବାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ସୂଚନାଥାଉକି ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଳକ୍‍ ଅନ୍ତର୍ଗତ କୃଷ୍ଣପ୍ରସାଦର ମାନସ ସାମନ୍ତରାୟଙ୍କ ବାପା ହଟକିଶୋର ଗତ ୨୬ତାରିଖରେ ଏକ ଦୁର୍ଘଟଣାର ଶିକାର ହୋଇ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଗୁରୁବାର ତାଙ୍କର ଅସ୍ତ୍ରୋପଚାର ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ହେଲେ ଅସ୍ତ୍ରୋପଚାର ପୂର୍ବରୁ ରୋଗୀଙ୍କୁ ନିଶ୍ଚେତକ ଦେବାକୁ ନିୟୋଜିତ ଥିବା ମହିଳା ଫାର୍ମାସିଷ୍ଟ ଜଣକ ମାନସଙ୍କୁ ୮୦୦ ଟଙ୍କା ଯୋଗାଡ କରିବାକୁ କହିଥିଲେ। ଏହି ଘଟଣାକୁ ନେଇ ମାନସଙ୍କ ପରିବାର ସଦସ୍ୟ ବ୍ରହ୍ମପୁର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଫାର୍ମସିିଷ୍ଟଙ୍କୁ ଧରିବାକୁ ଭିଜିଲାନ୍ସ ପକ୍ଷରୁ ଯୋଜନା କରାଯାଇଥିଲା। ସେହି ଅନୁସାରେ ଆଜି ପୁରୁଣା ଇନଡୋର କୋଠାର ଦ୍ୱିତୀୟ ମହଲାରେ ଥିବା ଅସ୍ଥିଶଲ୍ୟ ବିଭାଗ ଅସ୍ତ୍ରୋପଚାର ଗୃହ ନିକଟରେ ଥିବା ନିଜ କୋଠରୀରେ ମାନସ ଫାର୍ମାସିଷ୍ଟ ମେରୀଙ୍କୁ ୮୦୦ଟଙ୍କା ଲାଞ୍ଚ ଦେଇଥିଲେ। ପୂର୍ବରୁ ସେଠାରେ ପ୍ରସ୍ତୁତ ରହିଥିବା ଭିଜିଲାନ୍ସ କର୍ମଚାରୀ ମେରୀଙ୍କୁ କାବୁ କରି ନେଇଥିଲେ। ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ। ଗିରଫ ପରେ ମେରୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅରବିନ୍ଦନଗର ପ୍ରଥମ ଲାଇନସ୍ଥିତ ମେରୀଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ କରାଯାଉଥିବା ବ୍ରହ୍ମପୁର ଭିଜିଲାନ୍ସ ଏସ୍‍ପି ମାୟାଧର ସ୍ୱାଇଁ କହିଛନ୍ତି।

Leave A Reply