ରାଫେଲ କିଣା ଦୁର୍ନୀତି,ରାଫେଲ ଦୁର୍ନୀତି ସହଜରେ ମୋଦୀଙ୍କ ପିଛା ଛାଡ଼ିବ ନାହିଁ

0

ଚଳିତ ମାସ ୭ ତାରିଖରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ଦେଇ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଫେଲ ଲଢୁଆ ଜେଟ୍‌ କିଣିବା ପ୍ରସଙ୍ଗ ଉପରେ କଂଗ୍ରେସ ଦୁର୍ନୀତି ହୋଇଛି ବୋଲି କହୁଥିବାରୁ ଏହା ଦେଶର ପ୍ରତିରକ୍ଷା ବ୍ୟବସ୍ଥା ଉପରେ କଂଗ୍ରେସର ସୁଚିନ୍ତିତ ଆକ୍ରମଣ ବୋଲି ଆକ୍ଷେପ କରିଛନ୍ତି। ୧୦ ଏପ୍ରିଲ ୨୦୧୫ରେ ଶ୍ରୀ ମୋଦୀ ଫ୍ରାନ୍ସ ଯାଇଥିଲେ। ସେଠାରେ ଫ୍ରାନ୍ସର ରାଷ୍ଟ୍ରପତି ଫ୍ରାଙ୍କୋଇ ଓଲାନ୍ଦେଙ୍କ ସହିତ ତାଙ୍କର ରାଫେଲ ବିମାନ କିଣା ସମ୍ପର୍କରେ ଆଲୋଚନା ହୋଇଥିଲା।
ରାଫେଲ ବିମାନ କିଣା ପ୍ରସଙ୍ଗରେ ଦୁର୍ନୀତି ହୋଇଛି ବୋଲି ପ୍ରଥମେ ବିଦେଶୀ ଗଣମାଧ୍ୟମ ପ୍ରକାଶ କରିଥିଲେ। ବୋଫର୍ସ ତୋପ କିଣିବା ବେଳେ ମଧ୍ୟ ପ୍ରଥମେ ସ୍ୱିଡେନର ଗଣମାଧ୍ୟମ ଏହି କିଣାବିକାରେ ଅନିୟମିତତା ହୋଇଛି ବୋଲି ପ୍ରକାଶ କରିଥିଲେ। ଏବେ ରାଫେଲ ବିମାନ କିଣାବେଳେ ଫରାସୀ ଗଣମାଧ୍ୟମ ସଂସ୍ଥା ‘ମିଡିଆ ପାର୍ଟ’ ବାରମ୍ବାର ଅନୁସନ୍ଧାନମୂଳକ ତଥ୍ୟମାନ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଏହି କିଣାବିକାରେ ଭୂମିକାକୁ ସନ୍ଦେହଘେରକୁ ଟାଣିଆଣିଥିଲା। ୨୦୧୮ ଅକ୍ଟୋବର ୧୧ରେ ରାଫେଲ କାରବାର ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟ ଏକ ଜନସ୍ୱାର୍ଥ ମାମଲାକୁ ବିଚାର ପାଇଁ ଗ୍ରହଣ କରିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଏସ୍‌.କେ. କାଉର ଏବଂ ଜଷ୍ଟିସ୍‌ କେ.ଏମ୍‌. ଜୋଶେଫଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ଚାଲିଥିଲାବେଳେ ୪ ଜଣ ଏୟାର୍‌ ମାର୍ଶାଲ୍‌ ଏବଂ ପ୍ରତିରକ୍ଷା ସାମଗ୍ରୀ ସଂଗ୍ରହ ବିଭାଗର ନିର୍ଦେଶକ ଅପୂର୍ବ ଚନ୍ଦ୍ରାଙ୍କଠାରୁ ପଚାରି ବୁଝିଥିଲେ ଯେ ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଅତ୍ୟାଧୁନିକ ଲଢୁଆ ବିମାନ ରାଫେଲ କିଣିବାର ଜରୁରୀ ଆବଶ୍ୟକତା ରହିଛି। ପୂର୍ବରୁ ବ୍ୟବହୃତ ହେଉଥିବା ସୁଖୋଇ, ତେଜସ୍‌ ଓ ଜାଗୁଆର ଭଳି ବିମାନର ମାରକ କ୍ଷମତା ସୀମିତ ହୋଇଥିବାରୁ ରାଫେଲ ଭଳି ଲଢୁଆ ବିମାନ କିଣିବା ଅତ୍ୟନ୍ତ ଜରୁରୀ ହୋଇପଡିଛି। ଏଠାରେ ଉଲ୍ଲେଖ କରିବା ଉଚିତ ହେବ ଯେ ୧୯୮୫ ମସିହା ପରଠାରୁ ଭାରତ କୌଣସି ଲଢୁଆ ବିମାନ ଖରିଦ କରିନାହିଁ। ଆଟର୍ଣ୍ଣି ଜେନେରାଲ ଅଦାଲତଙ୍କ ନିକଟରେ ଦର୍ଶାଇଛନ୍ତି ଯେ ବାୟୁସେନା ପାଇଁ କେଉଁ ପ୍ରକାରର ବିମାନ ଆବଶ୍ୟକ ସେ ନିଷ୍ପତ୍ତି ଅଦାଲତ କରିପାରିବେ ନାହିଁ। ଏହା କେବଳ ବାୟୁସେନାର ଉଚ୍ଚାଧିକାରୀ ଓ ପ୍ରତିରକ୍ଷା ବିଶେଷଜ୍ଞ ହିଁ ସ୍ଥିର କରିପାରିବେ। ଜନସ୍ୱାର୍ଥ ମାମଲା ଦାୟର କରିଥିବା ଆବେଦନକାରୀ ପୂର୍ବତନ ମନ୍ତ୍ରୀ ଯଶୱନ୍ତ ସିହ୍ନା, ଅରୁଣ ସୌରୀ, ସାଂସଦ ସଞ୍ଜୟ ସିଂହ, ଆଇନଜୀବୀ ମନୋହରଲାଲ ଶର୍ମା ଓ ବିନୀତ ଧଣ୍ଡାଙ୍କ ଅଭିଯୋଗ ଯେ ଫରାସୀ କମ୍ପାନୀ ଡାସଲ୍ଟଠାରୁ ରାଫେଲ ବିମାନ କିଣିବାକୁ ସରକାର ଅହେତୁକ ଆଗ୍ରହ ଦେଖାଇଛନ୍ତି ଏବଂ ପ୍ରଚଳିତ ଥିବା ଆଇନ ବ୍ୟବସ୍ଥା ଏଡ଼ାଇ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଦିନ ଗଡୁଥିବା ସଙ୍ଗେସଙ୍ଗେ ଜନସ୍ୱାର୍ଥ ମାମଲା ଦାୟର କରିଥିବା ପୂର୍ବତନ ମନ୍ତ୍ରୀ, ସାଂସଦମାନଙ୍କ ଅଭିଯୋଗରେ ଯେ ସତ୍ୟତା ରହିଛି ତାହା ସଂସଦରେ ହେଉଥିବା ଆଲୋଚନାରୁ ଲୋକଲୋଚନକୁ ଆସୁଛି। ପ୍ରତିରକ୍ଷା ସାମଗ୍ରୀ କ୍ରୟକୁ ନେଇ ବିବାଦ ମୁଣ୍ଡ ଟେକିବା ଆମ ଦେଶରେ କିଛି ନୂଆ କଥା ନୁହେଁ, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଫେଲ୍‌ କିଣାରେ ଗ୍ରହଣ କରିଥିବା ଭୂମିକା ଦେଶର ସ୍ୱାର୍ଥ ଅପେକ୍ଷା ଅନିଲ ଅମ୍ବାନୀଙ୍କ କମ୍ପାନୀର ସ୍ୱାର୍ଥକୁ ଗୁରୁତ୍ୱ ପ୍ରଦାନ କରିବା ସମସ୍ତଙ୍କୁ ଚକିତ କରିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସବୁଠାରେ ରାଫେଲ୍‌ ବିମାନ କିଣା ବାବଦରେ କହିଲାବେଳେ ଅତି ଦୃଢ଼ ଭାବରେ କହୁଛନ୍ତି ‘ଚୌକିଦାର ଚୋର ହୈ’। ୫୯ ହଜାର କୋଟି ଟଙ୍କାରେ ୩୬ଟି ରାଫେଲ୍‌ ଯୁଦ୍ଧ ବିମାନ କିଣା ହେବାକୁ ଥିବା ଚୁକ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦପ୍ତରର ଭୂମିକାକୁ ଅନାବଶ୍ୟକ ଓ ଉଦ୍ଦେଶ୍ୟପ୍ରଣୋଦିତ ବୋଲି ବିରୋଧୀଦଳର ସମସ୍ତେ ଏକଜୁଟ ହୋଇ ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ରାଫେଲ୍‌ ଡିଲ୍‌ର ତଦନ୍ତ କରିବାକୁ ଅଡ଼ି ବସିଛନ୍ତି।
ୟୁପିଏ-୨ ଅମଳରୁ ଫ୍ରାନ୍ସର ଯୁଦ୍ଧବିମାନ ତିଆରି କମ୍ପାନୀ ଡାସଲ୍ଟ ଏଭିଏସନ୍‌ ଭାରତକୁ ୧୨୬ଟି ଯୁଦ୍ଧବିମାନ ଯୋଗାଇବାକୁ କଥାବାର୍ତ୍ତା କରୁଥିଲେ। ବିମାନଗୁଡିକର ମୁଖ୍ୟାଂଶ ଯୋଗାଇବା ପରେ ଭାରତର ରାଷ୍ଟ୍ରାୟାତ୍ତ କମ୍ପାନୀ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌) ଯୁଦ୍ଧବିମାନଗୁଡିକୁ ଲଢୁଆ ବିମାନରେ ପରିଣତ କରିବାର ଦାୟିତ୍ୱ ନେଇଥାନ୍ତା। ୫୦ ବର୍ଷ ହେଲା ପ୍ରତିଷ୍ଠିତ କମ୍ପାନୀ ହାଲ୍‌ର ଯୁଦ୍ଧବିମାନ ପ୍ରସ୍ତୁତିରେ ବହୁ ଅଭିଜ୍ଞତା ଅଛି, କିନ୍ତୁ ଏହି ରାଷ୍ଟ୍ରାୟତ୍ତ କମ୍ପାନୀକୁ ଡାସଲ୍ଟ ଏଭିଏସନ୍‌ର ସହଯୋଗୀ ଭାବରେ କାର୍ଯ୍ୟ କରିବାକୁ ସୁଯୋଗ ମିଳିଲା ନାହିଁ। ୨୦୧୫ ମାର୍ଚ୍ଚ ମାସରେ ଗଠିତ ହୋଇଥିବା ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସ କମ୍ପାନୀର କୌଣସି ପୂର୍ବ ଅଭିଜ୍ଞତା ନଥାଇ ଡାସଲ୍ଟର ଅଫସେଟ୍‌ ସହଯୋଗୀ ହେବାର ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପାଇଛି, ଯଦିଓ ଅମ୍ବାନୀଙ୍କ କମ୍ପାନୀ ସହିତ ଉଭୟ ଫ୍ରାନ୍ସ ଓ ଭାରତର ୭୨ଟି କମ୍ପାନୀ ରାଫେଲ୍‌ କାରବାରରେ ଡାସଲ୍ଟର ଅଫସେଟ୍‌ ସହଯୋଗୀ ହେବାଲାଗି ଆବେଦନ କରିଥିଲେ। ‘ମିଡିଆ ପାର୍ଟ’ର ତଥ୍ୟ ଅନୁଯାୟୀ ଭାରତ ସରକାରଙ୍କୁ ସନ୍ତୁଷ୍ଟ କରିବା ପାଇଁ ରିଲାଏନ୍ସ ଡିଫେନ୍ସ କମ୍ପାନୀକୁ ଅଫସେଟ୍‌ ସହଯୋଗୀ କରିବା ଛଡ଼ା ଡାସଲ୍ଟର ଅନ୍ୟ ଉପାୟ ନଥିଲା। ରାହୁଲ ଗାନ୍ଧୀ ବାରମ୍ବାର ପ୍ରଶ୍ନ ପଚାରୁଛନ୍ତି ଯେ ଅନିଲ ଅମ୍ବାନୀଙ୍କ କମ୍ପାନୀଗୁଡିକ ଉପରେ ବିଭିନ୍ନ ବ୍ୟାଙ୍କର ୪୫ ହଜାର କୋଟି ଟଙ୍କା ଋଣ ଥିବାବେଳେ କିଭଳି ନରେନ୍ଦ୍ର ମୋଦୀ ତାଙ୍କର ଏକ ଅନଭିଜ୍ଞ କମ୍ପାନୀ ରିଲାଏନ୍ସ ଡିଫେନ୍ସକୁ ଡାସଲ୍ଟର ଅଫସେଟ୍‌ ସହଯୋଗୀ ହେବାର ସୁଯୋଗ ଦେଲେ।
ଏଠାରେ ମନେରଖିବା ଉଚିତ ଯେ ଡାସଲ୍ଟ କମ୍ପାନୀ ସହିତ ୟୁପିଏ ସରକାର ୩୦ ଜାନୁଆରୀ ୨୦୧୨ରେ ରାଫେଲ ଯୁଦ୍ଧ ବିମାନ କିଣିବା ବିଷୟରେ ଆଲୋଚନା କରିଥିଲେ, କିନ୍ତୁ ସେତେବେଳର ପ୍ରତିରକ୍ଷା ମନ୍ତ୍ରୀ ଏ.କେ. ଆଣ୍ଟୋନି କହିଥିଲେ ଯେ ଯୁଦ୍ଧାସ୍ତ୍ର କିଣିବା ପାଇଁ ବଜେଟ୍‌ ଶେଷ ହୋଇଯାଇଥିବାରୁ ସେହି ଆର୍ଥିକ ବର୍ଷରେ ଡାସଲ୍ଟ ସହିତ ଚୁକ୍ତି ସ୍ୱାକ୍ଷରିତ ହୋଇପାରିବ ନାହିଁ। ୟୁପିଏ ସରକାରର କାର୍ଯ୍ୟକାଳ ଶେଷ ପର୍ଯ୍ୟାୟ ମାର୍ଚ୍ଚ ୨୦୧୪ରେ ଏନ୍‌ଡିଟିଭି ଚ୍ୟାନେଲ ଖବର ପ୍ରକାଶ କରିଥିଲେ ଯେ ଡାସଲ୍ଟ ଆଭିଏସନ୍‌ ହିନ୍ଦୁସ୍ତାନ ଏରୋନଟିକ୍ସ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି ଯେଉଁଥିରେ ହାଲ୍‌ ରାଫେଲ ବିମାନର ୭୦ ଭାଗ ତିଆରି କରିବ ଏବଂ ଅନ୍ୟ ୩୦ ଭାଗ ଡାସଲ୍ଟ ପ୍ରସ୍ତୁତ କରିବ। ନରେନ୍ଦ୍ର ମୋଦୀ କିନ୍ତୁ ୨୬ ମେ’ ୨୦୧୪ରେ ପ୍ରଧାନମନ୍ତ୍ରୀ ହେବାପରେ ତାଙ୍କର ପ୍ରିୟପାତ୍ର କୁହାଯାଉଥିବା ଅନିଲ ଅମ୍ବାନୀ, ମୁକେଶ ଅମ୍ବାନୀ ଓ ଗୌତମ ଆଦାନୀଙ୍କ ବ୍ୟବସାୟରେ ଦ୍ରୁତ ଅଗ୍ରଗତି ଘଟିଲା। ତେଣୁ ହିନ୍ଦୁସ୍ତାନ ଏରୋନଟିକ୍ସ ପରିବର୍ତ୍ତେ ରିଲାଏନ୍ସ ଡିଫେନ୍ସ କମ୍ପାନୀକୁ ମୋଦୀ ସରକାର ସହାୟତା କରିଥିବେ ଏହା ସାଧାରଣରେ ବିଶ୍ୱାସଯୋଗ୍ୟ।
ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପରିକର ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣିବାର ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର, ଏଥିରେ ତାଙ୍କର କୌଣସି ଭୂମିକା ନଥିଲା। ଦିନକୁଦିନ ରାଫେଲ ବିମାନ କିଣା ଓ ମୋଦୀଙ୍କ ସମ୍ପୃକ୍ତି ବିଷୟରେ ନୂତନ ତଥ୍ୟମାନ ସାମନାକୁ ଆସୁଛି। ସଦ୍ୟତମ ତଥ୍ୟଟି ହେଲା ଯୁଦ୍ଧ ବିମାନ କିଣା ନେଇ କଥାବାର୍ତ୍ତା ଓ ମୂଲଚାଲ ପ୍ରକ୍ରିୟାରେ ପ୍ରଧାନମନ୍ତ୍ରୀଙ୍କ ଦପ୍ତରର ପ୍ରତ୍ୟକ୍ଷ ସମ୍ପୃକ୍ତି। ଦୈନିକ ଇଂରାଜୀ ପତ୍ରିକା ‘ଦି ହିନ୍ଦୁ’ ପ୍ରକାଶ କରିଛି ଯେ ରାଫେଲ ଖର୍ଦି ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଫ୍ରାନ୍ସ ସରକାର ଓ ରାଫେଲ ନିର୍ମାତା ଡାସଲ୍ଟ ସହିତ ଆଲୋଚନା କରୁଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ମଧ୍ୟ ଫ୍ରାନ୍ସ ସରକାର ଓ ଡାସଲ୍ଟ କମ୍ପାନୀ ସହିତ ସମାନ୍ତରାଳ କଥାବାର୍ତ୍ତା ଚଳାଇଥିଲା। ସଂସଦରେ ପ୍ରତିଦିନ ଦାବି ହେଉଥିଲା ଯେ ରାଫେଲ ବିମାନ କିଣା ବିଷୟରେ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା ତଦନ୍ତ ହେଉ।
୧୩ ଫେବୃଆରୀରେ ସିଏଜି ରିପୋର୍ଟ ପାର୍ଲିଆମେଣ୍ଟରେ ଉପସ୍ଥାପିତ ହେବାପରେ ଏହା ରାଫେଲ କାରବାରରେ ମୋଦୀ ସରକାରକୁ କ୍ଲିନ୍‌ ଚିଟ୍‌ ଦେଇଛି ବୋଲି କହିବା ଠିକ୍‌ ହେବ ନାହିଁ। କେବଳ ୟୁପିଏ ସରକାର ଯେତିକି ମୂଲ୍ୟରେ ଡାସଲ୍ଟ କମ୍ପାନୀଠାରୁ ରାଫେଲ କିଣିବା ଲାଗି ସ୍ଥିର କରିଥିଲା ଏନ୍‌ଡିଏ ସରକାର ତା’ଠାରୁ ୨.୮୪% କମ୍‌ ଦାମରେ ରାଫେଲ୍‌ କିଣିବା ପାଇଁ ଚୁକ୍ତି ସ୍ୱାକ୍ଷର କରିପାରିଛି ବୋଲି ଦର୍ଶାଯାଇଛି। ଏନ୍‌ଡିଏ ସରକାରର ରାଫେଲ କିଣାରେ ଦୁର୍ନୀତିର ଆଲୋଚନା ୨୦୧୯ ଲୋକସଭା ନିର୍ବାଚନ ପାଇଁ ମୁଖ୍ୟ ପ୍ରସଙ୍ଗ ହେବ। ସମାଜବାଦୀ ପାର୍ଟିର ନେତା ମୁଲାୟମ ସିଂହ ଯାଦବଙ୍କ ଶୁଭେଚ୍ଛା ଯେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହୁଅନ୍ତୁ। ତାହା ସଫଳ ହେଲେ ମଧ୍ୟ ରାଫେଲ ଦୁର୍ନୀତି ମୋଦୀଙ୍କ ପିଛା ଛାଡିବ ନାହିଁ।
ପୂର୍ବତନ କୁଳପତି, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ

Leave A Reply