ରମେଶ ପୱାର ଜାତୀୟ ମହିଳା କ୍ରିକେଟ ଦଳର ଅସ୍ଥାୟୀ ପ୍ରଶିକ୍ଷକ

0

ମୁମ୍ବଇ: ବିସିସିଆଇ ପକ୍ଷରୁ ସୋମବାର ପୂର୍ବତନ ଅଫ୍‍ସ୍ପିନର ରମେଶ ପୱାରଙ୍କୁ ଜାତୀୟ ସିନିୟର ମହିଳା କ୍ରିକେଟ ଦଳର ଅସ୍ଥାୟୀ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି। ସ୍ଥାୟୀ ପ୍ରଶିକ୍ଷକ ନିଯୁକ୍ତି ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇବାକୁ ପୱାରଙ୍କୁ ନିର୍ଦେଶ ଦିଆଯାଇଛି। ବରିଷ୍ଠ ଖେଳାଳିଙ୍କ ସହ ମତାନ୍ତର ଘଟିବାପରେ ତୁଷାର ଆରୋଠେ ଚଳିତମାସ ପ୍ରାରମ୍ଭରେ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଥିଲେ। ବରୋଦାର ପୂର୍ବତନ ରଣଜୀ ଟ୍ରଫି ଖେଳାଳି ତୁଷାର ପ୍ରାୟ ଏକ ବର୍ଷ ଧରି ଏହି ଦାୟିତ୍ୱରେ ରହିଥିଲେ। ନୂତନ ପ୍ରଶିକ୍ଷକ ନିଯୁକ୍ତି ପାଇଁ ବିସିସିଆଇ ପକ୍ଷରୁ ନିକଟରେ ବିଜ୍ଞାପନ ପ୍ରକାଶ କରାଯାଇଛି। ଆବେଦନ କରିବାର ଶେଷ ତାରିଖ ଜୁଲାଇ ୨୦ ଧାର୍ଯ୍ୟ ହୋଇଥିବାବେଳେ ଆଗ୍ରହୀ ପ୍ରାର୍ଥୀଙ୍କ ବୟସ ୫୫ ବର୍ଷରୁ କମ ହୋଇଥିବା ଜରୁରୀ ବୋଲି ଜଣାପଡିଛି। ଜୁଲାଇ ୨୫ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ଜାତୀୟ ମହିଳା କ୍ରିକେଟ ଦଳର ଫିଟ୍‍ନେସ ଶିବିର ଆୟୋଜିତ ହେବ। ଏହି ଶିବିର ପରିଚାଳନା କରିବାକୁ ପୱାରଙ୍କୁ ନିର୍ଦେଶ ଦିଆଯାଇଛି। ଶିବିର ଶେଷ ହେବାପରେ ଭାରତୀୟ ଦଳ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଶ୍ରୀଲଙ୍କା ଗସ୍ତରେ ଯିବ।

Leave A Reply