ଯିବା ଲୋକ କ’ଣ ଫେରିବେ ବି କେବେ!

0

ନୂଆଦିଲ୍ଲୀ: ମୁମ୍ବଇର ବିଖ୍ୟାତ ବିଲ୍ଡର ହୀରାନନ୍ଦାନୀ ଗ୍ରୁପର ସଂସ୍ଥାପକ ସୁରେନ୍ଦ୍ର ହୀରାନନ୍ଦାନୀ ଭାରତର ନାଗରିକତା ଛାଡ଼ି ଦେଇଛନ୍ତି। ଏବେ ସେ ସାଇପ୍ରସର ନାଗରିକ ହୋଇଛନ୍ତି। ସାଇପ୍ରସ ବିଶ୍ୱର ସେହି ଦେଶମାନଙ୍କ ତାଲିକାରେ ରହିଛି ଯେଉଁଠି କର ବ୍ୟବସ୍ଥା ଅନ୍ୟ ଦେଶଠାରୁ ବେଶ୍‌ ସରଳ ଓ କମ୍‌। ତେଣୁ ସେସବୁ ଦେଶବାସୀଙ୍କୁ ଆୟ ଉପରେ କମ୍‌ କର ଦେବାକୁ ପଡ଼ିଥାଏ ଓ ଟିକସ ପୈଠ କରିବା ମଧ୍ୟ ବେଶ୍‌ ସହଜ। ତେବେ ସୁରେନ୍ଦ୍ର ସେଥିପାଇଁ ନାଗରିକତ୍ୱ ଛାଡ଼ି ନାହାନ୍ତି ବରଂ ଭାରତ ପାସପୋର୍ଟରେ ଅନ୍ୟ ଦେଶର ୱାର୍କ୍ସ ଭିସା ମିଳୁ ନଥିବାରୁ ସେ ନଗରିକତ୍ୱ ଛାଡ଼ିଥିବା ପ୍ରକାଶ କରିଛନ୍ତି। ତେବେ ସୁରେନ୍ଦ୍ର ହୀରାନନ୍ଦାନୀଙ୍କୁ କେଉଁ କାରଣରୁ ୱାର୍କ୍ସ ଭିସାର ଆବଶ୍ୟକତା ପଡ଼ିଲା ତାହା କେବଳ ତାଙ୍କୁ ହିଁ ଜଣା! ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସୁରେନ୍ଦ୍ର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ପୁଅ ହର୍ସ ଭାରତର ନାଗରିକ ରହିବ ଓ ଭାରତରେ କମ୍ପାନୀର କାର୍ଯ୍ୟର ତଦାରଖ କରିବ। ହିନ୍ଦୀ ସିନେମାର ଚର୍ଚ୍ଚିତ ନାୟକ ଅକ୍ଷୟ କୁମାରଙ୍କ ଭଉଣୀଙ୍କ ସହ ହର୍ସଙ୍କ ବିବାହ ହୋଇଛି। ଫୋବର୍ସ ପତ୍ରିକାରେ ପ୍ରକାଶିତ ତାଲିକା ଅନୁଯାୟୀ ସୁରେନ୍ଦ୍ର ଭାରତର ୧୦୦ଧନୀକଙ୍କ ମଧ୍ୟରେ ଅନ୍ୟତମ।
ସମଗ୍ର ବିଶ୍ୱରେ କୋଟିପତି ଦେଶ ଛାଡ଼ି ଅନ୍ୟ ସ୍ଥାନକୁ ପଳାୟନ କରୁଛନ୍ତି। ବିଶ୍ୱରେ ଚୀନ ପରେ ଭାରତର ସ୍ଥାନ ଦ୍ୱିତୀୟରେ ରହିଛି। ନୁ୍ୟ ୱାଲ୍ଫ ୱେଲ୍‌ଥର ରିପୋର୍ଟ ଅନୁଯାୟୀ କେବଳ ୨୦୧୭ରେ ୭୦୦୦କୋଟିପତି ଭାରତର ନଗରିକତା ଛାଡ଼ି ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କରିଛନ୍ତି। ସେହିପରି ୨୦୧୬ରେ ୬୦୦୦ ଓ ୨୦୧୫ରେ ୪୦୦୦ କୋଟିପତି ନାଗରିକ ଭାରତ ଛାଡ଼ିଛନ୍ତି।
ସେଣ୍ଟ୍ରାଲ ବୋର୍ଡ଼ ଅଫ ଡାଇରେକ୍ଟ ଟ୍ୟାକ୍ସ ଦ୍ୱାରା ମାର୍ଚ୍ଚ ମାସରେ ୫ଜଣିଆ ଏକ କମିଟି ଗଠିତ ହୋଇଛି। ଯେଉଁ ଅନୁପାତରେ କୋଟିପତି ଦେଶ ଛାଡ଼ୁଛନ୍ତି ଏହାର ପ୍ରଭାବ ଦେଶର କର ବ୍ୟବସ୍ଥା ଉପରେ କି ପ୍ରଭାବ ପକାଇବ ଏହାକୁ ଅନୁଧ୍ୟାନ କରୁଛି ଏହି କମିଟି। ମୁଖ୍ୟତଃ କୋଟିପତିମାନେ ଭାରତ ଛାଡ଼ିବା ଏକ ଗୁୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏମାନେ ଅନ୍ୟ ଦେଶର ନାଗରିକତ୍ବ ଗ୍ରହଣ କରି ଭାରତୀୟ ଟିକସ ବ୍ୟବସ୍ଥାରୁ ମୁକୁଳି ଯାଉଥିଲେ ମଧ୍ୟ ସେମାନଙ୍କ ବ୍ୟବସାୟ ଭାରତରେ ବଳବତ୍ତର ରହୁଛି। ଏହାକୁ ତର୍ଜମା କଲେ ଏହି କୋଟିପତିମାନେ ଭାରତୀୟ ଅର୍ଥବ୍ୟବସ୍ଥାରେ ସାମିଲ ରହିଥିଲେ ମଧ୍ୟ ଟିକସ ବ୍ୟବସ୍ଥାରୁ ଓହରି ଯାଉଛନ୍ତି। ଏଭଳି ହେଲେ ଏହାର ପ୍ରଭାବ ରାଜକୋଷ ଉପରେ ପଡ଼ିବ।
୨୦୧୫ରୁ ୨୦୧୭ ମଧ୍ୟରେ ୧୭୦୦୦ଅତି ଧନୀ ଭାରତ ଛଡ଼ି ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କରିଛନ୍ତି। ଏମାନେ ଭାରତୀୟ ନାଗରିତା କାହିଁକି ଛାଡ଼ିଛନ୍ତି ଏ ସମ୍ପର୍କରେ ନା’ ଆମେ କିଛି ଜାଣିଛୁ ନା’ ସରକାରଙ୍କ ପାଖରେ କୌଣସି ସୂଚନା ରହିଛି। ନିଶ୍ଚୟ କୌଣସି ନା’ କୌଣସି ନୀତି, ଆଇନ ଅଥବା ବ୍ୟବସ୍ଥା ସେମାନଙ୍କୁ ନାଗରିକତା ଛାଡ଼ିବାକୁ ପ୍ରୋତ୍ସାହିତ କରୁଛି। ସେଥିପାଇଁ ସେମାନଙ୍କୁ ଭାରତ ଅପେକ୍ଷା ଅନ୍ୟ ଦେଶ ଅଧିକ ପସନ୍ଦ ଆସୁଛି। ଚାକିରୀ ପାଇଁ ଯିବା ଓ ସେଠାରେ ଅଧିକ ରୋଜଗାର କରିବାର ଆଶାରେ ରହିଯିବା ବୁଝି ହେଉଛି। ହେଲେ ଯେଉଁ ଦେଶରେ ରୋଜଗାର କରି ସାଧାରଣ ଲୋକଠୁ ସେମାନେ ଦେଶର ସୁପର ଧନୀ ପାଲଟି ଗଲେ, ତାକୁ ଛାଡ଼ି ଅନ୍ୟ ଦେଶକୁ ପଳାୟନର କାରଣ ନଜାଣିଲେ ଚଳିବ କେମିତି? କେଉଁ କାରଣ ସେମାନଙ୍କୁ ଭାରତ ଛାଡ଼ିବାକୁ ବାଧ୍ୟ କରୁଛି? କିଏ କରୁଛି ବାଧ୍ୟ? ଏ ସମ୍ପର୍କରେ କୌଣସି ତଥ୍ୟ ଆମ ପାଖରେ ନାହିଁ। ହୁଏତ ସେମାନଙ୍କ ସମ୍ପର୍କୀୟଙ୍କୁ ସେମାନେ ସତ କଥା କହୁଥିବେ। ହେଲେ ଏଭଳି ଏକ ବିଡ଼ମ୍ବନାର ସତ୍ୟାସତ୍ୟ ଆଜି ମଧ୍ୟ ଲୁକ୍କାୟିତ ହୋଇ ରହିଯାଇଛି।
ଏଭଳି ଏକ ସମୟରେ ଭାରତରୁ ଧନୀମାନେ ପଳାୟନ କରୁଛନ୍ତି ଯେତେବେଳେ ପ୍ରଧାନମନ୍ତ୍ରୀ ସମଗ୍ର ବିଶ୍ୱରେ ଭାରତର ପାସପୋର୍ଟର ଗୁରୁତ୍ୱ ବୃଦ୍ଧି ପାଇଛି ବୋଲି ଯୁକ୍ତି ଉପସ୍ଥାପନ କରୁଛନ୍ତି। ଠିକ୍‌ ସେତିକି ବେଳେ ଦେଶର ୧୭୦୦୦ଅତି ଧନୀକ ଶ୍ରେଣୀର ଲୋକ ଭାରତୀୟ ପାସପୋର୍ଟ ତ୍ୟାଗ କରି ଦେଇଛନ୍ତି।
ହେନରୀ ପାସପୋର୍ଟ ଇଣ୍ଡେକ୍ସ ପ୍ରତିବର୍ଷ ବିଭିନ୍ନ ଦେଶର ପାସପୋର୍ଟର ରାଙ୍କିଂ କରିଥାଏ। ସେହି ରାଙ୍କିଂ ଅନୁଯାୟୀ ଜର୍ମାନୀର ପାସପୋର୍ଟରେ ଆପଣ ୧୭୭ଟି ଦେଶକୁ ବିନା ଭିସାରେ ଗସ୍ତ କରିପାରିବେ। ସେହିପରି ସିଙ୍ଗାପୁରର ପାସପୋର୍ଟରେ ଆପଣ ୧୭୬ଟି ଦେଶ ଗସ୍ତ କରିପାରିବେ। ଡେନମାର୍କ, ଫିନଲ୍ୟାଣ୍ଡ, ଫ୍ରାନ୍ସ, ଇଟାଲୀ, ଜାପାନ,ନରୱେ, ସ୍ୱିଡେନ୍‌ ଓ ବ୍ରିଟେନ ପରି ଦେଶର ପାସପୋର୍ଟରେ ଆପଣ ୧୭୫ଟି ଦେଶକୁ ବିନା ଭିସାରେ ଯାଇପାରିବେ।
ଏସିଆ ମହାଦେଶରେ ସିଙ୍ଗାପୁରର ସବୁଠାରୁ ଆଗରେ ରହିଥିବାବେଳେ ଭାରତ ଏହି ତାଲିକାର ଶେଷ ୩ଦେଶ ମଧ୍ୟରେ ରହିଛି। ବିଶ୍ୱ ଦରବାରରେ ଭାରତ ପାସପୋର୍ଟର ସ୍ଥାନ ୮୬ତମ ସ୍ଥାନରେ ରହିଛି। ୨୦୧୭ରେ ଏହା ୮୭ତମ ସ୍ଥାନରେ ଥିଲା। ଭାରତୀୟ ପାସପୋର୍ଟରେ ଆପଣ ୪୯ଟି ଦେଶକୁ ବିନା ଭିସାରେ ଯାଇ ପାରିବେ। ଆଉ ଏକ ସଂସ୍ଥା ଆଟନ କ୍ୟାପିଟାଲ ନାମକ ସଂସ୍ଥା ମଧ୍ୟ ପାସପୋର୍ଟକୁ ତର୍ଜମା କରି ଏହାର ତାଲିକା ପ୍ରସ୍ତୁତ କରେ। ଏହି ସଂସ୍ଥାର ତାଲିକା ଅନୁଯାୟୀ ଭାରତର ସ୍ଥାନ ୭୨ତମ ସ୍ଥାନରେ ରହିଛି। ଭାରତୀୟ ପାସପୋର୍ଟରେ ୫୫ଟି ଦେଶକୁ ବିନା ଭିସାରେ ଯାଇ ହେବ ବୋଲି ଏଠାରେ ଦର୍ଶାଯାଇଛି।
ଉଭୟ ସଂସ୍ଥାର ତାଲିକାକୁ ତର୍ଜମା କଲେ ଭାରତର ସ୍ଥାନ ବିଶ୍ୱ ଦରବାରରେ ବେଶ୍‌ ତଳେ ରହିଛି। ଏଭଳି ପରିସ୍ଥିତିରେ ଭାରତୀୟ ଧନୀକଙ୍କୁ ଧରି ରଖିବା ପାଇଁ ସେମାନଙ୍କ ପଳାୟନର କାରଣ ଖୋଜିବାର ଆବଶ୍ୟକତା ଜରୁରୀ ହୋଇ ପଡ଼ିଛି।

Leave A Reply