ମନ୍ଦିର ଚୂଡାରେ ଲାଗି ହେଲା ନୂଆ ନେତ: ଆରଡିଧାମରେ ପ୍ରସ୍ତୁତି ଚୂଡାନ୍ତ

0

ଆରଡି: ମହାଶିବରାତ୍ରି ପାଇଁ ରାଜ୍ୟର ପ୍ରମୁଖ ଶୈବପୀଠ ଆରଡିଧାମର ଆଖଣ୍ଡଳମଣିଙ୍କ ମନ୍ଦିର ହୋଇଉଠିଛି ଉତ୍ସବମୁଖର। ଏହି ଅବସରରେ ରବିବାର ମନ୍ଦିର ଚୂଡାରେ ନୁଆ ନେତ ଲାଗି ହେବା ସହ ମନ୍ଦିର ମଧ୍ୟରେ ସ୍ୱତନ୍ତ୍ର ନୀତିକାନ୍ତି ହୋଇଛି। ବିଶେଷକରି ସୋମବାର ଅର୍ଥାତ ଜାଗରଯାତ୍ରା ଦିନ ମଣିବାବାଙ୍କ ସୁନାବେଶ ଓ ମହାଦୀପ ଦର୍ଶନ କଲେ ବହୁ ପୂଣ୍ୟ ମିଳିଥାଏ ବୋଲି ଶ୍ରଦ୍ଧାଳୁ ଭକ୍ତଙ୍କ ମନରେ ବିଶ୍ୱାସ ରହିଥିବାରୁ ଲକ୍ଷାଧିକ ଭକ୍ତଙ୍କ ଭିଡ ଲାଗିବ ପୀଠରେ।

ଏକବାର ନୀତିକାନ୍ତି ପାଇଁ ରବିବାର ଭୋର ୪ଟାରେ ପହଡ ଖୋଲିବା ପରେ ମଙ୍ଗଳ ଆଳତୀ, ଘର୍ଷଣ ଲାଗି, ବାଲ୍ୟଭୋଗ ଲାଗି ସରିବା ପରେ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇଥିଲା। ସମସ୍ତ ସକାଳ ଧୂପ ସହ ପଅଡକିଆ ଓ ବଡନୀତି ଆଦି ଦିନ ୨ଟା ସୁଦ୍ଧା ସରିବା ପରେ ମନ୍ଦିର ଗର୍ଭଗୃହକୁ ମାର୍ଜନା କରାଯାଇ ନୂଆ ଚାନ୍ଦୁଆ ଲାଗି କରାଯିବା ସହିତ ସେବାୟତମାନଙ୍କ ପକ୍ଷରୁ ମନ୍ଦିର ଚୂଡାରେ ଅପରାହ୍ଣ ୪ଟାରେ ନୂଆ ନେତ ବନ୍ଧା ଯାଇଥିଲା। ପରେ ମଣିବାବାଙ୍କୁ ଫୁଲ, ଚନ୍ଦନ, ବେଲ ପତ୍ର ଓ ବିଭିନ୍ନ ଅଳଙ୍କାର ଲାଗି କରାଯାଇ ବଡସିଂହାର ବେଶରେ ସଜ୍ଜିତ କରାଯିବା ପରେ ଏକବାର ନୀତି ଭୋଗ(ଅନ୍ନ) ଲାଗି କରାଯାଇଥିଲା। ପରେ ଏହି ନୀତି ଭୋଗକୁ ସମସ୍ତ ସେବାୟତଙ୍କ ସହ ଶ୍ରଦ୍ଧାଳୁମାନଙ୍କୁ ବଣ୍ଟନ କରାଯାଇଥିଲା।

ଜାଗର(ମହାଶିବରାତ୍ରି) ନୀତିକାନ୍ତି ନିମନ୍ତେ ସେବାୟତମାନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସରିଥିବା ସେବାୟତମାନେ ପ୍ରକାଶ କରିଛନ୍ତି। ଜାଗର ଯାତ୍ରାର ସ୍ୱତନ୍ତ୍ର ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହେବା ସହ ରାତ୍ର ୧ଟାରେ ମଣିବାବାଙ୍କ ସୁନାବେଶ ଓ ଭୋର ୫ଟାରେ ମହାଦୀପ ମନ୍ଦିର ଚୂଡାକୁ ଉଠିବ ବୋଲି ବରିଷ୍ଠ ସେବାୟତ କହିଛନ୍ତି। ଜିଲା ପ୍ରଶାସନ ଓ ପୁଲିସ ପକ୍ଷରୁ ପୀଠରେ ପ୍ରସ୍ତୁତିକୁ ତଦାରଖ କରାଯିବା ସହିତ ମନ୍ଦିର ଭିତର ବେଢା ଓ ବାହର ବେଢାରେ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ସେହିପରି ଜଳପଥ ଓ ସ୍ଥଳପଥରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ୨୪ଘଣ୍ଟିଆ ପେଟ୍ରୋଲିଂ ସହ ଗହଳିପୂର୍ଣ୍ଣ ସ୍ଥାନଗୁଡିକରେ ସାଧା ପୋଷାକଧାରୀ ପୁଲିସ ଜଗି ରହିବେ ବୋଲି ଧାମନଗର ଏସଡିପିଓ ମନୋରଞନ ସାମଲ କହିଛନ୍ତି। ଅପାର ପକ୍ଷରେ ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କ ଦର୍ଶନ ନିମନ୍ତେ ବ୍ୟାରିକେଡକୁ ଯାଞ୍ଚ କରାଯିବା ସହିତ ଭକ୍ତଙ୍କ ଗମନାଗମନରେ ଯେପରି କୈାଣସି ବାଧା ନଉପୁଜିବ ସେଥିପାଇଁ ବିଶେଷ ଧ୍ୟାନ ଦିଆଯିବ ବୋଲି ମନ୍ଦିର ଟ୍ରଷ୍ଟି ତଥା ଉପଜିଲାପାଳ ପିତାମ୍ବର ସାମଲ ପ୍ରକାଶ କରିଛନ୍ତି।

Leave A Reply